ଏଲଏଲସିସି ଡ୍ୟୁଜ ବଲ କ୍ରିକେଟ: ରାମେଶ୍ୱରର ଏକତରଫା ବିଜୟ

ଭୁବନେଶ୍ୱର: ସ୍ଥାନୀୟ ଆଇଆରସି ସ୍ଥିତ ଏଲଏଲସିସି କ୍ରିକେଟ ଗ୍ରାଉଣ୍ଡରେ ଖେଳା ଯାଉଥିବା ଅଣ୍ଡର ୧୪ ଡ୍ୟୁଜ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୭ମ ମୁକାବିଲାକୁ ରାମେଶ୍ୱର ସ୍ପୋର୍ଟିଂ କ୍ଲବ ଏକତରଫା ଭାବେ ଜିତି ନେଇଛି। ଏହି ମ୍ୟାଚ୍‌ରେ ରାମେଶ୍ୱର ସ୍ପୋର୍ଟିଂ ଶେଖର ସ୍ପୋର୍ଟିଂ କ୍ଲବକୁ ୯ ୱିକେଟରେ ହରାଇ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶେଖର ସ୍ପୋର୍ଟିଂ ନିର୍ଦ୍ଧାରିତ ୩୫ ଓଭର୍‌ରେ ୭ ୱିକେଟ ହରାଇ କେବଳ ୧୧୫ ରନ୍‌ କରିଥିଲା। […]

LLCC

Hemant Lenka
  • Published: Saturday, 16 April 2022
  • , Updated: 16 April 2022, 01:14 PM IST

ଭୁବନେଶ୍ୱର: ସ୍ଥାନୀୟ ଆଇଆରସି ସ୍ଥିତ ଏଲଏଲସିସି କ୍ରିକେଟ ଗ୍ରାଉଣ୍ଡରେ ଖେଳା ଯାଉଥିବା ଅଣ୍ଡର ୧୪ ଡ୍ୟୁଜ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୭ମ ମୁକାବିଲାକୁ ରାମେଶ୍ୱର ସ୍ପୋର୍ଟିଂ କ୍ଲବ ଏକତରଫା ଭାବେ ଜିତି ନେଇଛି। ଏହି ମ୍ୟାଚ୍‌ରେ ରାମେଶ୍ୱର ସ୍ପୋର୍ଟିଂ ଶେଖର ସ୍ପୋର୍ଟିଂ କ୍ଲବକୁ ୯ ୱିକେଟରେ ହରାଇ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶେଖର ସ୍ପୋର୍ଟିଂ ନିର୍ଦ୍ଧାରିତ ୩୫ ଓଭର୍‌ରେ ୭ ୱିକେଟ ହରାଇ କେବଳ ୧୧୫ ରନ୍‌ କରିଥିଲା। ଏହାର ଜବାବରେ ରାମେଶ୍ୱର ଗୋଟିଏ ୱିକେଟ ହରାଇ ୧୫ ଓଭର୍‌ରେ ଧାର୍ଯ୍ୟ ଟାର୍ଗେଟ ୧୧୬କୁ ହାସଲ କରି ନେଇଛି।

ଦଳ ପକ୍ଷରୁ ସୁବାଷିସ ମଲ୍ଲିକ ୧୨ ରନ୍‌ କରି ଆଉଟ ହୋଇଥିବା ବେଳେ ଶୁଭ୍ରଜିତ ମିଶ୍ର ୪୬ ବଲରେ ୫୧ ଓ ତ୍ରିଥାଙ୍କର ସାହୁ ୩୧ ବଲରେ ଅପରାଜିତ ୨୯ ରନ୍‌ର ଇନିଂସ ଖେଳିଛନ୍ତି। ଶେଖର ସ୍ପୋର୍ଟିଂ ପକ୍ଷରୁ ଈଶାନ ରାଜ ମହାପାତ୍ର ଗୋଟିଏ ୱିକେଟ ନେଇଛନ୍ତି।

ଏହାପୂର୍ବରୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଶେଖର ସ୍ପୋର୍ଟିଂ ଆଦୌ ଆଶା ଅନୁଯାୟୀ ଖେଳ ପ୍ରଦର୍ଶନ କରିପାରି ନଥିଲା। ଦଳ ପକ୍ଷରୁ ଓପନର ଅନୁରାଗ ସାମନ୍ତରାୟ ୫୭ ବଲରେ ୨୪ ଓ ଗୋପାଲ କେ ରଥ ୬୪ ବଲରେ ୨୫ ରନ୍‌ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଈଶାନ ରାଜ ମହାପାତ୍ର ୧୨, ଆୟନ ନାୟକ ୪, ରିତିକ ରାଉତରାୟ ୨୦, ଆୟୁଷ୍ମାନ ସାମଲ ୦ ଓ ପ୍ରୀତକ ଅପରାଜିତ ୧୦ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଏହି ଛୋଟ ଛୋଟ ଇନିଂସ ବଳରେ ଶେଖର ସ୍ପୋର୍ଟିଂ ନିର୍ଦ୍ଧାରିତ ୩୫ ଓଭର୍‌ରେ ୭ ୱିକେଟ ହରାଇ ୧୧୫ ରନ୍‌ରେ ଅଟକି ଯାଇଥିଲା।

ରାମେଶ୍ୱର ପକ୍ଷରୁ ଶୁଭ୍ରକାନ୍ତ ପରିଡ଼ା ମାତ୍ର ୧୮ ରନ୍ ଦେଇ ୩ ୱିକେଟ ନେଇଥିବା ବେଳେ ସୁଭାଷିସ ମଲ୍ଲିକ ୨୫ ରନ୍‌ରେ ୨ଟି ସଫଳତା ପାଇଛନ୍ତି। କଞ୍ଜୁସି ବୋଲିଂ ସହ ୩ ୱିକେଟ ଦଖଲ କରିଥିବା ରାମେଶ୍ୱରର ଶୁଭ୍ରକାନ୍ତଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି।

ଆଜି ଅତିଥି ଭାବେ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଓ ପୁଷ୍ପାଞ୍ଜଳୀ ମହାନ୍ତି ଯୋଗଦେଇ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏଲଏଲସିସି ସଭାପତି ନିତ୍ୟାନନ୍ଦ ବେହେରା ଓ ଯୁଗ୍ମ ସମ୍ପାଦକ ଅଜୟ କୁମାର ସାହୁ ଉପସ୍ଥିତ ରହିଥିଲେ।

ସୂଚନାଯୋଗ୍ୟ, ଆସନ୍ତାକାଲି ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଥିବା ଏଲଏଲସିସିର ମୁକାବିଲା ଓସ୍କାର କ୍ରିକେଟ କ୍ଲବ ସହ ହେବ। ଏହା ଟୁର୍ଣ୍ଣାମେଣ୍ଟର ଅନ୍ତିମ ଲିଗ୍‌ ମ୍ୟାଚ୍‌। ଏହାପରେ ସୋମବାର ଠାରୁ କ୍ୱାର୍ଟର ଫାଇନାଲ ମୁକାବିଲା ଆରମ୍ଭ ହେବ।

Related story