ନୂଆଦିଲ୍ଲୀ: ଆଫଗାନିସ୍ତାନର ଯୁବ ସ୍ପିନର ରାଶିଦ୍ ଖାନ୍ ଖୁବ୍ କମ୍ ଦିନରେ ନିଜକୁ ଦୁନିଆର ଅନ୍ୟତମ ସଫଳ କ୍ରିକେଟର୍ ଭାବେ ନିଜକୁ ପରିଚିତ କରାଇଛନ୍ତି। ଟି-୨୦ କ୍ରିକେଟରେ ରାଶିଦଙ୍କୁ ସବୁଠାରୁ ଘାତକ ବୋଲର କୁହାଯାଉଛି। ଆଫଗାନିସ୍ତାନ ଆଜି ବିଶ୍ୱ ସ୍ତରରେ ଯାହା କିଛି ସଫଳତା ହାସଲ କରିଛି, ସେଥିରେ ରାଶିଦଙ୍କ ଯୋଗଦାନ ଉଲ୍ଲେଖନୀୟ ରହିଛି। ରାଶିଦ୍ କେବଳ ରନ୍ ରୋକନ୍ତି ନାହିଁ ବରଂ ୱିକେଟ୍ ମଧ୍ୟ ବାହାର କରିବାରେ ମାହିର୍। ସେ ଦୁନିଆର ବଡ଼ ବଡ଼ କ୍ରିକେଟ୍ ଲିଗ୍ ଯଥା ଆଇପିଏଲ୍, ବିବିଏଲ୍ ଓ ପିଏସଏଲରେ ଭାଗ ନେଇସାରିଛନ୍ତି।
ଲଗାତର କ୍ରିକେଟ୍ ଖେଳିବା କାରଣରୁ ରାଶିଦଙ୍କୁ ପରିବାରଠାରୁ ଦୂରେଇ ରହିବାକୁ ପଡ଼େ। ସେ ଗତ ୫ ବର୍ଷ ମଧ୍ୟରେ ମାତ୍ର ୨୫ ଦିନ ହିଁ ନିଜ ଘରେ ବିତାଇଛନ୍ତି। ଖୋଦ୍ ରାଶିଦ୍ ଖାନ୍ ଏହାର ଖୁଲାସା କରିଛନ୍ତି। ରାଶିଦ୍ ଖାନ୍ କହିଛନ୍ତି, ଗତ ୫ ବର୍ଷ ମଧ୍ୟରେ ମୁଁ କେବଳ ୨୫ ଦିନ ଘରେ ରହିଛି। ପରିବାର ସହ ନିଜ ଉପଲବ୍ଧି ବଖାଣିବା ପାଇଁ ମୋତେ ସମୟ ମିଳିନାହିଁ, କାରଣ ମୁଁ ବ୍ୟସ୍ତ ରୁହେ।
ରାଶିଦ୍ କହିଛନ୍ତି, ମୁଁ ଅନେକ ଥର ନିଜ କାରନାମା ଭୁଲିଯାଏ ଏବଂ ଏହା ମୋତେ ବହୁତ ଦୁଃଖ ଦେଇଥାଏ। ମୋତେ ପରିବାର ସହ ସମୟ ବିତାଇବାକୁ ସମୟ ମିଳେ ନାହିଁ, କାରଣ ଏବେ ମୋ କ୍ୟାରିୟରର ଶୁଭାରମ୍ଭ ହେଉଛି। ଏଥିପାଇଁ ମୋତେ ଏତେ ସଂଘର୍ଷ କରିବାକୁ ପଡ଼ୁଛି। ମୁଁ ଯେଉଁଠି ବି ଖେଳିବାକୁ ଯାଏ, ସବୁଠାରେ ଅନ୍ତର୍ଜାତୀୟ ଖେଳାଳି ନିଜ ଘରୋଇ ଦର୍ଶକଙ୍କ ସାମ୍ନାରେ ଖେଳନ୍ତି ଏବଂ ସେମାନଙ୍କୁ ଖୁବ୍ ଭଲପାଇବା ମଧ୍ୟ ମିଳେ। ମୁଁ ମଧ୍ୟ ଏଭଳି ସୁଯୋଗ ଅପେକ୍ଷାରେ ରହିଛି। ଆମ ଦେଶରେ ଲୋକେ କ୍ରିକେଟକୁ ବହୁତ ଭଲ ପାଆନ୍ତି।
ସୂଚନାଯୋଗ୍ୟ, ରଶିଦ୍ ଅଲଗା ଅଲଗା ଦେଶରେ ନିଜ ବୋଲିଂର କରାମତି ଦେଖାଇ ସାରିଛନ୍ତି। କିନ୍ତୁ ସେ ଏପର୍ଯ୍ୟନ୍ତ ନିଜ ଦେଶରେ ଗୋଟିଏ ବି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିନାହାନ୍ତି।