ପୁଣି ନିରାଶ କଲେ ବିରାଟ, ଇଂଲଣ୍ଡ ଆଗରେ ୧୭୧ ରନ୍‌ର ଟାର୍ଗେଟ

ବର୍ମିଂହାମ: ପୁଣିଥରେ ସମସ୍ତଙ୍କୁ ନିରାଶ କରିଛନ୍ତି ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି। ସେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ରେ ମାତ୍ର ୧ ରନ୍‌ କରି ଆଉଟ ହୋଇଛନ୍ତି। ଦୀର୍ଘ ମାସ ପରେ ଟି-୨୦ ଖେଳିବାକୁ ମୈଦାନକୁ ଓହ୍ଲାଇଥିବା ବିରାଟଙ୍କ ଉପରେ ଆଜି ସମସ୍ତଙ୍କ ନଜର ଥିଲେ ମଧ୍ୟ ସେ ଆଦୌ ନିଜ ଦକ୍ଷତାର ପରିଚୟ ଦେଇ ପାରିନାହାନ୍ତି। ଇନଫର୍ମ ଦୀପକ ହୁଡ୍ଡାଙ୍କ ବଦଳରେ ବିରାଟଙ୍କୁ ଆଜି ସୁଯୋଗ ମିଳିଥିଲା। ଭାରତ ଆଜିର ମ୍ୟାଚ୍‌ରେ ଦ୍ରୁତ […]

India

India

Hemant Lenka
  • Published: Saturday, 09 July 2022
  • Updated: 09 July 2022, 08:48 PM IST

ବର୍ମିଂହାମ: ପୁଣିଥରେ ସମସ୍ତଙ୍କୁ ନିରାଶ କରିଛନ୍ତି ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି। ସେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ରେ ମାତ୍ର ୧ ରନ୍‌ କରି ଆଉଟ ହୋଇଛନ୍ତି। ଦୀର୍ଘ ମାସ ପରେ ଟି-୨୦ ଖେଳିବାକୁ ମୈଦାନକୁ ଓହ୍ଲାଇଥିବା ବିରାଟଙ୍କ ଉପରେ ଆଜି ସମସ୍ତଙ୍କ ନଜର ଥିଲେ ମଧ୍ୟ ସେ ଆଦୌ ନିଜ ଦକ୍ଷତାର ପରିଚୟ ଦେଇ ପାରିନାହାନ୍ତି। ଇନଫର୍ମ ଦୀପକ ହୁଡ୍ଡାଙ୍କ ବଦଳରେ ବିରାଟଙ୍କୁ ଆଜି ସୁଯୋଗ ମିଳିଥିଲା।

ଭାରତ ଆଜିର ମ୍ୟାଚ୍‌ରେ ଦ୍ରୁତ ଆରମ୍ଭ କରିଥିଲେ ହେଁ ମଧ୍ୟକ୍ରମର ବିଫଳତା ଯୋଗୁ ବଡ଼ ସ୍କୋର କରିବାରୁ ବଞ୍ଚିତ ହୋଇଛି। ଅଧିନାୟକ ରୋହିତ ଶର୍ମା ଓ ନୂଆ ଓପନର ଋଷଭ ପନ୍ତ ଦ୍ରୁତଗତିରେ ରନ ସ୍କୋର କରିଥିଲେ ମଧ୍ୟ ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭର୍‌ରେ ୮ ୱିକେଟ ହରାଇ କେବଳ ୧୭୦ ରନ୍‌ କରି ପାରିଛି। ଫଳରେ ଇଂଲଣ୍ଡକୁ କର ବା ମର ମ୍ୟାଚ୍‌ରେ ୧୭୧ ରନ୍‌ର ଟାର୍ଗେଟ ମିଳିଛି। ଭାରତ ବ୍ୟାଟିଂ ଲାଇନକୁ ଯୁବ ଇଂଲିଶ ବୋଲର ତଥା ଡେବ୍ୟୁଟାଣ୍ଟ ରିଚାର୍ଡ ଗ୍ଲିସନ ଛିନଛତ୍ର କରି ଦେଇଛନ୍ତି। ସେ ୪ ଓଭରରେ ୧୫ ରନ ଦେଇ ୩ ୱିକେଟ ନେଇଛନ୍ତି।

Ravindra Jadeja hits one through backward point, England vs India, 2nd men's T20I, Birmingham, July 9, 2022

ବର୍ମିଂହାମରେ ଟସ୍‌ ଜିତି ଇଂଲଣ୍ଡ ଅଧିନାୟକ ଜୋଶ ବଟଲର ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ରୋହିତ ଓ ପନ୍ତ ପ୍ରଥମ ୱିକେଟ ପାଇଁ ୪.୫ ଓଭରରେ ୪୯ ରନ୍‌ ଯୋଡ଼ିଥିଲେ। ଏହି ସମୟରେ ଗ୍ଲିସନ ୨୦ ବଲରେ ୩୧ ରନ କରିଥିବା ରୋହିତଙ୍କୁ ଆଉଟ କରି ଭାରତକୁ ପ୍ରଥମ ଝଟକା ଦେଇଥିଲେ।

ଏହାପରେ ବିରାଟ କୋହଲି(୧) ଗ୍ଲିସନଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଏହାର ପରବର୍ତ୍ତୀ ବଲରେ ହିଁ ସେ ୨୬ ରନ କରିଥିବା ପନ୍ତଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ଏକଦା ୪୯ ରନରେ କୌଣସି ୱିକେଟ ହରାଇ ନଥିବା ଭାରତ ୬୧ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ସୂର୍ଯ୍ୟ କୁମାର ଯାଦବ ଓ ଇନଫର୍ମ ହାର୍ଦ୍ଦିକ ପାଣ୍ଡ୍ୟା ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ହେଁ ଦଳୀୟ ସ୍କୋରକୁ କେବଳ ୮୯ ରନ୍‌ରେ ପହଞ୍ଚାଇ ପାରିଥିଲେ। ଉଭୟଙ୍କୁ କ୍ରମାଗତ ଦୁଇଟି ବଲରେ କ୍ରିସ ଜୋର୍ଡାନ ଆଉଟ କରିଥିଲେ।

Chris Jordan is delighted after dismissing Hardik Pandya, England vs India, 2nd men's T20I, Birmingham, July 9, 2022

ସୂର୍ଯ୍ୟ କୁମାର ଯାବଦ ୧୫ ଓ ପାଣ୍ଡ୍ୟା ୧୨ ରନ କରିଛନ୍ତି। ଦୀନେଶ କାର୍ତ୍ତିକ ଭଲ ଆରମ୍ଭ କରିଥିଲେ ହେଁ ୧୨ ରନ କରି ରନ ଆଉଟ ରୂପେ ପ୍ୟାଭିଲିୟନ ଫେରିଛନ୍ତି। ହର୍ଷଲ ପଟେଲ କିଛି ବଡ଼ ଶଟ ଖେଳି ୩ ବଲରେ ୭ ରନ୍‌ କରିଛନ୍ତି। ତାଙ୍କ ୱିକେଟ ଜୋର୍ଡାନଙ୍କ ଖାତାକୁ ଯାଇଛି। ଶେଷ ଭାଗରେ ରବୀନ୍ଦ୍ର ଜାଡେଜା ନିଜର ଯାଦୁ ଦେଖାଇଥିଲେ। ହେଲେ ଅନ୍ୟ କୌଣସି ବ୍ୟାଟର ତାଙ୍କ ସାଥ ଦେଇ ନଥିଲେ। ଜାଡେଜା ଶେଷ ଯାଏ ୨୯ ବଲରେ ଅପରାଜିତ ୪୬ ରନ୍‌ର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୫ଟି ଚୌକା ମାରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର କୁମାର ୨ ରନ୍‌ କରି ଜୋର୍ଡାନଙ୍କ ବଲରେ ଆଉଟ ହୋଇଛନ୍ତି। ଯଶପ୍ରୀତ ବୁମ୍ରା ବ୍ୟାଟିଂ କରିବାକୁ ଆସିଥିଲେ ବି କୌଣସି ବଲର ସମ୍ମୁଖୀନ ହୋଇ ନାହାନ୍ତି।

Suryakumar Yadav drives one through cover-point off Matt Parkinson, England vs India, 2nd men's T20I, Birmingham, July 9, 2022

ଇଂଲଣ୍ଡ ପକ୍ଷରୁ ଜୋର୍ଡାନ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ଗ୍ଲିସନ ୩ଟି ଓ ଗୋଟିଏ ୱିକେଟ ରନ ଆଉଟ ରୂପେ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos