ହାଇଦ୍ରାବାଦ ଠାରୁ ପ୍ରତିଶୋଧ ନେଲା ଆରସିବି

ମୁମ୍ବାଇ: ଚଳିତ ଆଇପିଏଲରେ ସନ୍‌ ରାଇଜର୍ସ ହାଇଦ୍ରାବାଦ ଠାରୁ ମଧୁର ପ୍ରତିଶୋଧ ନେଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବା ଆରସିବି। ଆଜି ଆରସିବି ପ୍ରତିପକ୍ଷ ହାଇଦ୍ରାବାଦକୁ ୬୭ ରନ୍‌ରେ ହରାଇ ୭ମ ବିଜୟ ହାସଲ କରିଛି। ଏଥିସହ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ପହଞ୍ଚି ଯାଇଛି। ଚଳିତ ଆଇପିଏଲରେ ଦୁଇ ଦଳ ପରସ୍ପରକୁ ଦ୍ୱିତୀୟ ଥର ପାଇଁ ଆଜି ଭେଟିଥିଲେ। ପ୍ରଥମ ମୁକାବିଲାରେ ହାଇଦ୍ରାବାଦ ମାତ୍ର ୬୮ ରନ୍‌ରେ ଆରସିବିକୁ ଅଲଆଉଟ କରିବା ସହ ୯ ୱିକେଟରେ […]

RCB

RCB

Hemant Lenka
  • Published: Sunday, 08 May 2022
  • Updated: 08 May 2022, 07:59 PM IST

Sports

Latest News

ମୁମ୍ବାଇ: ଚଳିତ ଆଇପିଏଲରେ ସନ୍‌ ରାଇଜର୍ସ ହାଇଦ୍ରାବାଦ ଠାରୁ ମଧୁର ପ୍ରତିଶୋଧ ନେଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବା ଆରସିବି। ଆଜି ଆରସିବି ପ୍ରତିପକ୍ଷ ହାଇଦ୍ରାବାଦକୁ ୬୭ ରନ୍‌ରେ ହରାଇ ୭ମ ବିଜୟ ହାସଲ କରିଛି। ଏଥିସହ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ପହଞ୍ଚି ଯାଇଛି। ଚଳିତ ଆଇପିଏଲରେ ଦୁଇ ଦଳ ପରସ୍ପରକୁ ଦ୍ୱିତୀୟ ଥର ପାଇଁ ଆଜି ଭେଟିଥିଲେ।

ପ୍ରଥମ ମୁକାବିଲାରେ ହାଇଦ୍ରାବାଦ ମାତ୍ର ୬୮ ରନ୍‌ରେ ଆରସିବିକୁ ଅଲଆଉଟ କରିବା ସହ ୯ ୱିକେଟରେ ବିଜୟ ଲାଭ କରିଥିଲା। ହେଲେ ଆଜି ଆରସିବି ପ୍ରଥମେ ବ୍ୟାଟିଂ କରି ୧୯୨ ରନ୍‌ କରିଥିଲା। ଏହାପରେ ହାଇଦ୍ରାବାଦକୁ ୧୨୫ ରନ୍‌ର ଅଲଆଉଟ କରି ବଡ଼ ବିଜୟ ହାସଲ କରିଛି। ବ୍ୟାଟିଂରେ ଡୁପ୍ଲେସିସ ଓ ଦୀନେଶ କାର୍ତ୍ତିକ କମାଲ କରିଥିଲେ। ସେହିପରି ବୋଲିଂରେ ୱାନିନ୍ଦୁ ହସରଙ୍ଗା ୫ ୱିକେଟ ଦଖଲ କରି ହାଇଦ୍ରାବାଦକୁ ବିପର୍ଯ୍ୟୟକୁ ଠେଲି ଦେଇଛନ୍ତି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଆରସିବି ଆଜି ପ୍ରଥମ ବଲ୍‌ରେ ବିରାଟ କୋହଲିଙ୍କୁ ହରାଇଥିଲା। ଚଳିତ ସିଜିନରେ ଏହା ବିରାଟଙ୍କ ତୃତୀୟ ଗୋଲ୍ଡେନ ଡକ୍‌। ତେବେ ଏହାପରେ ଅଧିନାୟକ ଡୁପ୍ଲେସିସ ସ୍ଥିତି ସମ୍ଭାଳିଥିଲେ। ତାଙ୍କୁ ରଜତ ପଟିଦାର ୪୮ ରନ୍‌ ଓ ଗ୍ଲେନ ମ୍ୟାକ୍ସୱେଲ ୩୩ ରନ୍‌ ଭରପୂର ସହଯୋଗ କରିଥିଲେ।

ଏହା ମଧ୍ୟରେ ଡୁପ୍ଲେସିସ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ତେବେ ଶେଷ ଭାଗରେ କାର୍ତ୍ତିକ ପୁଣିଥରେ ବିସ୍ଫୋରକ ଇନିଂସ୍ ଖେଳିଥିଲେ। ସେ ମାତ୍ର ୮ ବଲ୍‌ରେ ୩୦ ରନ୍‌ କରିବାରୁ ଆରସିବି ନିର୍ଦ୍ଧାରିତ ୨୦ ଓଭର୍‌ରେ ୩ ୱିକେଟ ହରାଇ ୧୯୨ କରିଥିଲା। ଏହି ଇନିଂସ୍‌ରେ ସେ ୪ଟି ଛକା ଓ ଗୋଟିଏ ଚୌକା ମାରିଛନ୍ତି। ଡୁପ୍ଲେସିସ ଶେଷ ଯାଏ ୫୦ ବଲ୍‌ରେ ୭୩ ରନ୍‌ କରି ଅପରାଜିତ ରହିଥିଲେ। ହାଇଦ୍ରାବାଦ ପକ୍ଷରୁ ସୁଚିତ ୨ଟି ୱିକେଟ ନେଇଥିବା ବେଳେ କାର୍ତ୍ତିକ ତ୍ୟାଗୀଙ୍କ ଖାତାକୁ ଗୋଟିଏ ସଫଳତା ଯାଇଛି।

୧୯୩ ରନ୍‌ର ଟାର୍ଗେଟ ପିଛା କରୁଥିବା ହାଇଦ୍ରାବାଦ ପ୍ରଥମ ବଲ୍‌ରେ କେନ୍‌ ୱିଲିୟମସନଙ୍କୁ ରନ୍‌ଆଉଟ ରୂପେ ହରାଇଥିଲେ। ପ୍ରଥମ ଓଭର୍‌ର ୫ମ ବଲରେ ମ୍ୟାକ୍ସୱେଲ ଇନଫର୍ମ ଅଭିଷେକ ଶର୍ମାଙ୍କୁ ଆଉଟ କରିଥିଲେ। ଏହାପରେ ରାହୁଲ ତ୍ରିପାଠୀ କିଛି ସମୟ ପାଇଁ ସ୍ଥିତି ସମ୍ଭାଳିଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ସେ ଗୋଟିଏ ପଟେ ବ୍ୟାଟିଂ ଜାରି ରଖିଥିଲେ ମଧ୍ୟ ହସରଙ୍ଗା ଅନ୍ୟପଟେ ବିପର୍ଯ୍ୟୟ ସୃଷ୍ଟି କରି ଚାଲିଥିଲେ।

ପ୍ରଥମେ ସେ ଏଡେନ ମାର୍କମ(୨୧)ଙ୍କୁ ଆଉଟ କରିଥିଲେ। ଏହାପରେ ନିକୋଲସ ପୂରନ(୨), ଶଶାଙ୍କ ସିଂହ(୮), ଜଗଦୀଶ ସୁଚିତ(୨) ଓ ଉମ୍ରାନ ମଲିକ(୦)ଙ୍କ ୱିକେଟ ଦଖଲ କରିଥିଲେ। ଜୋଶ ହେଜେଲଉଡ ୫୮ ରନ୍‌ କରିଥିବା ରାହୁଲ ତ୍ରିପାଠୀଙ୍କୁ ଆଉଟ କରି ହାଇଦ୍ରାବାଦର ସବୁ ଆଶାରେ ପାଣି ପକାଇ ଦେଇଥିଲେ।

କାର୍ତ୍ତିକ ତ୍ୟାଗୀ(୦)ଙ୍କ ୱିକେଟ ମଧ୍ୟ ହେଜେଲଉଡଙ୍କ ଖାତାକୁ ଯାଇଛି। ଶେଷରେ ହର୍ଷଲ ପଟେଲ ୮ ରନ୍‌ କରିଥିବା ଭୁବନେଶ୍ୱର କୁମାରଙ୍କୁ ଆଉଟ କରି ହାଇଦ୍ରାବାଦ ଇନିଂସ୍‌ରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ହାଇଦ୍ରାବାଦ ୧୯.୨ ଓଭର୍‌ରେ ସମସ୍ତ ୱିକେଟ ହରାଇ କେବଳ ୧୨୫ ରନ୍‌ କରିବାକୁ ସକ୍ଷମ ହୋଇଛି।

ମ୍ୟାଚ୍‌ରେ ୫ ୱିକେଟ ନେଇଥିବା ହସରଙ୍ଗା ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos