ମୁମ୍ବାଇ: ଜୋଶ ବଟଲରଙ୍କ ଶତକ ଓ ସ୍ପିନରଙ୍କ ଦମଦାର ବୋଲିଂ ବଳରେ ଚଳିତ ଆଇପିଏଲରେ ଦ୍ୱିତୀୟ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ୫ଥରର ଆଇପିଏଲ ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ଆଜି ୨୩ ରନ୍ରେ ହରାଇ ଦେଇଛି ତାରକା ଖଚିତ ରାଜସ୍ଥାନ। ଚଳିତ ସିଜିନରେ ଏହା ମୁମ୍ବାଇର ଲଗାତର ଦ୍ୱିତୀୟ ପରାଜୟ। ପ୍ରଥମ ମ୍ୟାଚ୍ରେ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ପରାସ୍ତ ହୋଇଥିଲା।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ରାଜସ୍ଥାନ ବଟଲରଙ୍କ ୧୦୦ ରନ୍ ବଳରେ ନିର୍ଦ୍ଧାରିତ ୨୦ ଓଭର୍ରେ ୮ ୱିକେଟ ହରାଇ ୧୯୩ ରନ୍ କରିଥିଲା। ଏହାର ଜବାବରେ ମୁମ୍ବାଇ ୮ ୱିକେଟ ହରାଇ କେବଳ ୧୭୦ ରନ୍ କରିବାକୁ ସକ୍ଷମ ହୋଇଛି। ମୁମ୍ବାଇ ପକ୍ଷରୁ ଦୁଇ ଯୁବ ବ୍ୟାଟର ଈଶାନ କିଶନ ୫୫ ଓ ତିଲକ ବର୍ମା ୬୧ ରନ୍ର ଇନିଂସ ଖେଳିଥିଲେ ହେଁ ଏହା ଦଳର ବିଜୟ ପାଇଁ ଯଥେଷ୍ଟ ହୋଇନାହିଁ।
ରାଜସ୍ଥାନ ଦେଇଥିବା ୧୯୪ ରନ୍ର ଟାର୍ଗେଟ ପିଛା କରୁଥିବା ମୁମ୍ବାଇ ଆରମ୍ଭରୁ ଅଧିନାୟକ ରୋହିତ ଶର୍ମା(୧୦) ଓ ଅନମୋଲପ୍ରୀତ ସିଂହ (୫)ଙ୍କୁ ହରାଇଥିଲା। ରୋହିତଙ୍କୁ ପ୍ରସିଦ୍ଧ କ୍ରିଷ୍ଣା ଆଉଟ କରିଥିବା ବେଳେ ସିଂହଙ୍କ ୱିକେଟ ନଭଦୀପ ସୈନିଙ୍କ ଖାତାକୁ ଯାଇଥିଲା।
୩ୟ ୱିକେଟ ପାଇଁ ଈଶାନ କିଶନ ଓ ତିଲକ ବର୍ମା ଲଢ଼ୁଆ ଇନିଂସ ଖେଳିଥିଲେ। ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ୩ୟ ୱିକେଟ ପାଇଁ ୮୧ ରନ୍ ଯୋଡ଼ିଥିଲେ। ତେବେ ଦଳୀୟ ସ୍କୋର ୧୨୧ ଥିବା ବେଳେ ଟ୍ରେଣ୍ଟ ବୋଲ୍ଟ ୫୪ ରନ୍ କରିଥିବା ଈଶାନ କିଶନଙ୍କୁ ଆଉଟ କରି ମୁମ୍ବାଇକୁ ବଡ଼ ଝଟକା ଦେଇଥିଲେ। ଈଶାନ ତାଙ୍କ ଇନିଂସରେ ୫ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି।
ଏହାପରେ ତିଲକ ବର୍ମା ବଡ଼ ଶଟ ଖେଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କୁ ୬୧ ରନ୍ରେ ଅଭିଜ୍ଞ ରବିଚନ୍ଦ୍ରନ ଅଶ୍ୱିନ ଆଉଟ କରି ମୁମ୍ବାଇକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ୬୧ ରନ୍ର ଇନିଂସରେ ତିଲକ ୩ଟି ଚୌକା ଓ ୫ଟି ଛକା ମାରିଛନ୍ତି। ସେ ଆଉଟ ହେବା ପରେ ମୁମ୍ବାଇ ଲଗାତର ୱିକେଟ ହରାଇବା ଆରମ୍ଭ କରିଥିଲା।
ଟିମ ଡାଭିଡ(୧) ଓ ଡାନିଏଲ ସାମ୍ସ(୦)ଙ୍କୁ ୟୁଜବେନ୍ଦର ଚହଲ ଲଗାତର ଦୁଇଟି ବଲରେ ଆଉଟ କରି ମୁମ୍ବାଇର ବିଜୟ ରାସ୍ତାକୁ ଏକ ପ୍ରକାରର ବନ୍ଦ କରି ଦେଇଥିଲେ। କାଏରନ ପୋଲାର୍ଡ କ୍ରିଜ୍ରେ ଥିଲେ ମଧ୍ୟ ବେଶୀ କିଛି କରି ପାରି ନଥିଲେ। ମୁରଗାନ ଅଶ୍ୱିନ(୬)ଙ୍କୁ ମୁମ୍ବାଇ ରନ ଆଉଟ ରୂପେ ହରାଇଥିଲା।
ଇନିଂସର ଶେଷ ବଲରେ ପୋଲାର୍ଡ ମଧ୍ୟ ୨୨ ରନ୍ କରି ସୈନିଙ୍କ ବଲରେ ଆଉଟ ହୋଇଯାଇଥିଲେ। ଏଥିସହ ରାଜସ୍ଥାନ ୨୩ ରନ୍ରେ ମ୍ୟାଚ୍କୁ ଜିତି ନେଇଥିଲା। ଶତକୀୟ ଇନିଂସ ଖେଳିଥିବା ବଟଲର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।
ରାଜସ୍ଥାନ ପକ୍ଷରୁ ସୈନି ଓ ଚହଲ ଦୁଇଟି ଲେଖାଏ ୱିକେଟ ନେଇଥିବା ବେଳେ ଅଶ୍ୱିନ, ବୋଲ୍ଟ ଓ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।