ନଟ୍ଟିଂହାମ: ପ୍ରାରମ୍ଭିକ ଝଟକା ପରେ ସ୍ଥିତି ସମ୍ଭାଳିଥିବା ଇଂଲଣ୍ଡ ଲଞ୍ଚ ପରେ ଷ୍ଟାର ବ୍ୟାଟସମ୍ୟାନ ଡମ ସିବଲେଙ୍କୁ ହରାଇଛି। ଲଞ୍ଚ ପୂର୍ବରୁ ସେ ଦମଦାର ବ୍ୟାଟିଂ କରୁଥିଲେ। ହେଲେ ଲଞ୍ଚ ପରେ ସେ ନିଜ ଖାତାରେ ଆଉ କୌଣସି ରନ ଯୋଡ଼ିବାକୁ ସକ୍ଷମ ହୋଇନାହାନ୍ତି। ସେ ୧୮ ରନ୍ କରିଥିବା ବେଳେ ମହମ୍ମଦ ଶାମିଙ୍କ ବଲ୍ରେ ଆଉଟ ହୋଇଛନ୍ତି। ଏହା ଆଜିର ମ୍ୟାଚ୍ରେ ଶାମିଙ୍କ ପ୍ରଥମ ୱିକେଟ। ଏହାପୂର୍ବରୁ ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।
ରିପୋର୍ଟ ଲେଖା ହେବା ବେଳକୁ ଇଂଲଣ୍ଡ ୩ ୱିକେଟ ହରାଇ ତା’ର ପ୍ରଥମ ଇନିଂସରେ ୮୩ ରନ୍ କରିଛି। ଅଧିନାୟକ ଜୋ ରୁଟ ୨୩ ଓ ଜନ୍ନି ବେୟାରଷ୍ଟୋ ୭ ରନ୍ କରି ବ୍ୟାଟିଂ କରୁଛନ୍ତି।
ଆଜି ଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ଟିକିଆ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ଜୋ ରୁଟ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ତେବେ ମ୍ୟାଚ୍ର ପ୍ରଥମ ଓଭରରେ ଦଳ ରୋରୀ ବର୍ନସଙ୍କୁ ହରାଇଥିଲା। ବର୍ନସ ଖାତା ଖୋଲିବା ପୂର୍ବରୁ ବୁମ୍ରାଙ୍କ ଶିକାର ବନିଥିଲେ।
ଜ୍ୟାକ କ୍ରାଉଲୀ ଓ ସିବଲେ ଏହାପରେ ସ୍ଥିତି ସମ୍ଭାଳି ଦଳୀୟ ସ୍କୋରକୁ ୪୨ରେ ପହଞ୍ଚାଇଥିଲେ। କିନ୍ତୁ ମହମ୍ମଦ ସିରାଜ ୨୭ ରନ୍ କରିଥିବା କ୍ରାଉଲୀଙ୍କୁ ଆଉଟ କରି ଘରୋଇ ଟିମ୍କୁ ଦ୍ୱିତୀୟ ଝଟକା ଦେଇଥିଲେ। ସିବଲେ ଅଧିନାୟ ରୁଟଙ୍କ ସହ ମିଶି ଲଞ୍ଚ ଯାଏ ଆଉ ଦଳକୁ କୌଣସି କ୍ଷତି ପହଞ୍ଚାଇବାକୁ ଦେଇ ନଥିଲେ। କିନ୍ତୁ ଲଞ୍ଚରୁ ଫେରିବା ପରେ ସିବଲେ ୧୮ ରନ୍ କରି ପ୍ୟାଭିଲିୟନ ଫେରିଛନ୍ତି।
ପ୍ରଥମ ଟେଷ୍ଟରେ ଭାରତୀୟ ଦଳରେ ସେଭଳି ଆଖିଦୃଶିଆ ପରିବର୍ତ୍ତନ କରାଯାଇନାହିଁ। ମୟଙ୍କ ଅଗ୍ରୱାଲ୍ ଆହତ କାରଣରୁ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଲୋକେଶ ରାହୁଲଙ୍କ ସାମିଲ କରାଯାଇଛି। ରାହୁଲ୍ ରୋହିତ୍ ଶର୍ମାଙ୍କ ସହ ଇନିଂସ୍ ଓପନ୍ କରିବେ। ମିଡଲ୍ ଅର୍ଡରରେ ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, କ୍ୟାପଟେନ୍ ବିରାଟ କୋହଲି, ଋଷଭ ପନ୍ତ ରହିଛନ୍ତି।
ବୋଲିଂରେ ଭାରତ ୪ ପେସ୍ ବୋଲରଙ୍କ ସହ ଓହ୍ଲାଇଛି। ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର ଓ ମହମ୍ମଦ ଶାମିଙ୍କ ବ୍ୟତୀତ ସ୍ପିନର ଅଲରାଉଣ୍ଡର ଭାବେ ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନ ମିଳିଛି। ପେସ୍ ବୋଲର ଈଶାନ୍ତ ଶର୍ମା ଓ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ବାଦ୍ ଦିଆଯାଇଛି।