ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ରେ ଈଶାନ କିଶନ ଓ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ଏମାନଙ୍କ ସହ ଅଧିନାୟ ଋଷଭ ପନ୍ତ ମଧ୍ୟ ଦମଦାର ଖେଳ ଦେଖାଇଛନ୍ତି। ଆଜି ପନ୍ତ ପ୍ରଥମଥର ପାଇଁ ଭାରତର କମାଣ ସମ୍ଭାଳିଛନ୍ତି। ଈଶାନଙ୍କ ୭୬, ପାଣ୍ଡ୍ୟାଙ୍କ ଅପରାଜିତ ୩୧ ଓ ପନ୍ତଙ୍କ ୨୯ ରନ୍ ବଳରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭର୍ରେ ୪ ୱିକେଟ ହରାଇ ବିଶାଳ ୨୧୧ ରନ କରିଛି। ଫଳରେ ତେମ୍ବା ବଭୁମାଙ୍କ ଦଳକୁ ଏହି ମ୍ୟାଚ୍ ଜିତିବା ପାଇଁ ୨୧୨ ରନ୍ର ଟାର୍ଗେଟ ମିଳିଛି।
ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚ୍ରେ ବଭୁମା ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଦଳର ଦୁଇ ଯୁବ ଓପନର ଈଶାନ କିଶନ ଓ ଋତୁରାଜ ଗାଏକ୍ୱାଡ ବେଶ ଚମତ୍କାର ଢଙ୍ଗରେ ବ୍ୟାଟିଂ କରିଥିଲେ। ବିଶେଷ କରି ଈଶାନଙ୍କ ବ୍ୟାଟରୁ ବଡ଼ ଶଟ ଦେଖିବାକୁ ମିଳିଥିଲା। ଉଭୟ ପ୍ରଥମ ୱିକେଟ ପାଇଁ ୬.୨ ଓଭରରେ ୫୭ ରନ୍ ଯୋଡ଼ିଥିଲେ। ଏହି ସମୟରେ ବ୍ୟକ୍ତିଗତ ୨୩ ରନ କରିଥିବା ଗାଏକ୍ୱାଡ ଅଲରାଉଣ୍ଡର ୱେନ ପାର୍ଣ୍ଣେଲଙ୍କ ବଲରେ ଆଉଟ ହୋଇଥିଲେ।
ଏହାର ପ୍ରଭାବ କିନ୍ତୁ ଈଶାନ କିଶନ କିମ୍ବା ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରେୟସ ଆୟରଙ୍କ ଉପରେ ପଡ଼ି ନଥିଲା। ଉଭୟ ବଡ଼ବଡ଼ ଶଟ୍ ଖେଳି ଦ୍ରୁତଗତିରେ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଏଥିସହ ଈଶନ କିଶନ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଶ୍ରେୟସ ଆୟର ମଧ୍ୟ ତାଙ୍କୁ ଭରପୂର ସହଯୋଗ କରିଥିଲେ। ଏହି ସମୟରେ ବଡ଼ ଶଟ ଖେଳିବା ଲୋଭରେ ଈଶାନ(୭୬) କେଶବ ମହାରାଜଙ୍କ ବଲରେ ଆଉଟ ହୋଇଯାଇଥିଲେ।
ଆଉଟ ହେବା ପୂର୍ବରୁ ସେ ୪୮ ବଲର ସାମ୍ନା କରି ୧୧ଟି ଚୌକା ଓ ୩ଟି ଛକା ବଳରେ ୭୬ ରନ୍ର ଇନିଂସ ଖେଳିଥିଲେ। ଏହାପରେ ଶ୍ରେୟସ ଆୟର ୩୬ ରନ୍ କରି ପ୍ରିଟୋରିୟସଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ। ଏହି ସମୟରେ ଦଳୀୟ ସ୍କୋର ୧୫୬ ଥିଲା। ୪ର୍ଥ ୱିକେଟ ପାଇଁ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ସ୍ଥିତି ସମ୍ଭାଳିଥିଲେ। ଉଭୟ ଦଳୀୟ ସ୍କୋରକୁ ୧୯.୧ ଓଭର ସୁଦ୍ଧା ୨୦୨ରେ ପହଞ୍ଚାଇ ଦେଇଥିଲେ।
ପନ୍ତ ୧୬ ବଲରେ ୨୯ ରନ୍ କରି ଆଉଟ ହୋଇଥିବା ବେଳେ ପାଣ୍ଡ୍ୟା ଶେଷ ଯାଏ କ୍ରିଜ୍ରେ ରହିଥିଲେ। ତାଙ୍କ ସହ ଦୀନେଶ କାର୍ତ୍ତି ୨ ବଲରେ ୧ ରନ୍ କରି ଇନିଂସ ଶେଷ ଯାଏ ଅପରାଜିତ ଥିଲେ। ପାଣ୍ତ୍ୟା ମାତ୍ର ୧୨ ବଲରେ ୩୧ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୩ଟି ଛକା ଓ ଦୁଇଟି ଚୌକା ମାରିଛନ୍ତି। ପାଣ୍ଡ୍ୟାଙ୍କ ବିସ୍ଫୋରକ ଇନିଂସ ଯୋଗୁ ଭାରତ ୨୦ ଓଭରରେ ୪ ୱିକେଟ ହରାଇ ୨୧୨ ରନ୍ କରିବାକୁ ସକ୍ଷମ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।