ଶିବମ ଦୁବେଙ୍କ ଅପରାଜିତ ୯୫, ଆରସିବିକୁ ୨୧୭ ରନ୍‌ର ଟାର୍ଗେଟ

ମୁମ୍ବାଇ: ଲଗାତର ୪ଟି ମ୍ୟାଚ୍‌ ହାରିଥିବା ଚେନ୍ନାଇ ସୁପର କିଙ୍ଗସର ଦୁଇ ବ୍ୟାଟର ରବିନ ଉଥାପ୍ପା ଓ ଶିବମ ଦୁବେ ଆଜି କମାଲ କରିଛନ୍ତି। ଶିବମ ଦୁବେଙ୍କ ଅପରାଜିତ ୯୫ ଓ ଉଥାପ୍ପାଙ୍କ ୮୮ ରନ ବଳରେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭର୍‌ରେ ୪ ୱିକେଟ ହରାଇ ୨୧୬ ରନ୍‌ କରିଛି। ଫଳରେ ଏହି ମ୍ୟାଚ୍‌ ଜିତିବା ପାଇଁ ଆରସିବିକୁ ୨୧୭ ରନ୍‌ର ଟାର୍ଗେଟ ମିଳିଛି। ଡିୱାଇ ପାଟିଲ ଷ୍ଟାଡିୟମରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା […]

Shivam-Dube

Hemant Lenka
  • Published: Tuesday, 12 April 2022
  • , Updated: 13 April 2022, 07:11 AM IST

ମୁମ୍ବାଇ: ଲଗାତର ୪ଟି ମ୍ୟାଚ୍‌ ହାରିଥିବା ଚେନ୍ନାଇ ସୁପର କିଙ୍ଗସର ଦୁଇ ବ୍ୟାଟର ରବିନ ଉଥାପ୍ପା ଓ ଶିବମ ଦୁବେ ଆଜି କମାଲ କରିଛନ୍ତି। ଶିବମ ଦୁବେଙ୍କ ଅପରାଜିତ ୯୫ ଓ ଉଥାପ୍ପାଙ୍କ ୮୮ ରନ ବଳରେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭର୍‌ରେ ୪ ୱିକେଟ ହରାଇ ୨୧୬ ରନ୍‌ କରିଛି। ଫଳରେ ଏହି ମ୍ୟାଚ୍‌ ଜିତିବା ପାଇଁ ଆରସିବିକୁ ୨୧୭ ରନ୍‌ର ଟାର୍ଗେଟ ମିଳିଛି।

ଡିୱାଇ ପାଟିଲ ଷ୍ଟାଡିୟମରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଚେନ୍ନାଇ ପାଇଁ ଋତୁରାଜ ଗାଏକ୍ୱାଡ ଓ ଉଥାପ୍ପା ପୂର୍ବାପେକ୍ଷା ଭଲ ଆରମ୍ଭ କରିଥିଲେ। ତେବେ ଦଳୀୟ ସ୍କୋର ୧୯ ଥିବା ବେଳେ ଗାଏକ୍ୱାଡ(୧୭)ଙ୍କୁ ଜୋଶ ହେଜେଲଉଡ୍‌ ଆଉଟ କରି ଚେନ୍ନାଇକୁ ପ୍ରଥମ ଝଟକା ଦେଇଥିଲେ।

ତାଳମେଳ ଅଭାବରୁ ମୋଇନ ଅଲୀ(୩) ରନ୍‌ ଆଉଟ ରୂପେ ପ୍ୟାଭିଲିୟନ ଫେରିଥିଲେ। ୩୬ ରନ୍‌ରେ ଦୁଇ ୱିକେଟ ହରାଇଥିବା ଚେନ୍ନାଇ ପାଇଁ ଏହିଠାରୁ କମାଣ ସମ୍ଭାଳିଥିଲେ ଉଥାପ୍ପା ଓ ଶିବମ ଦୁବେ। ଉଭୟ ଆରସିବି ବୋଲରଙ୍କୁ କଡ଼ା ପ୍ରହାର କରି ଦ୍ରୁତଗତିରେ ରନ୍‌ ସଂଗ୍ରହ କରିଥିଲେ।

ବିଶେଷ କରି ଦୁବେଙ୍କ ବ୍ୟାଟରୁ ବଡ଼ବଡ଼ ଶଟ ଦେଖିବାକୁ ମିଳିଥିବା। ଉଥାପ୍ପା ସାମାନ୍ୟ ଧିମା ଖେଳିଥିଲେ। ହେଲେ ନିଜର ଅର୍ଦ୍ଧଶତକ ହାସଲ କରିବା ପରେ ସେ ଆକ୍ରମଣାତ୍ମକ ରୂପ ଧାରଣ କରିଥିଲେ। ଦୁବେ ମଧ୍ୟ ୫୦ ରନ୍‌ ହାସଲ କରିବା ପରେ ନିର୍ଭୟରେ ଶଟ ମାରିଥିଲେ।

ଉଭୟ ୩ୟ ୱିକେଟ ପାଇଁ ୧୬୫ ରନ୍‌ ସଂଗ୍ରହ କରିଥିଲେ। ଏଥିସହ ଦଳୀୟ ସ୍କୋରକୁ ୨୦୦ ମଧ୍ୟ ପାର କରାଇଥିଲେ। ଚେନ୍ନାଇ ୧୮.୫ ଓଭର୍‌ରେ ୨୦୧ ରନ୍‌ କରିଥିବା ବେଳେ ଉଥାପ୍ପା ବ୍ୟକ୍ତିଗତ ୮୮ ରନ୍‌ କରି ୱାନିନ୍ଦୁ ହସରଙ୍ଗାଙ୍କ ବଲରେ ଆଉଟ ହୋଇଥିଲେ। ୫୦ ବଲରେ ୮୮ ରନ୍‌ର ଇନିଂସ ଖେଳିଥିବା ଉଥାପ୍ପା ୪ଟି ଚୌକା ଓ ୯ଟି ବିଶାଳ ଛକା ମାରିଛନ୍ତି।

ସେ ଆଉଟ ହେବା ପରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ ରବୀନ୍ଦ୍ର ଜାଡେଜା ପ୍ରଥମ ବଲରେ ହିଁ ପ୍ୟାଭିଲିୟନ ଫେରିଥିଲେ। ତେବେ ଶେଷ ଓଭର୍‌ରେ ଶିବମ ଦୁବେ ୧୫ ରନ୍‌ ଆଦାୟ କରିବାରୁ ଦଳୀୟ ସ୍କୋର ୨୧୬ରେ ପହଞ୍ଚିଥିଲା। ୪୬ ବଲରେ ଅପରାଜିତ ୯୫ ରନ୍‌ର ଇନିଂସ ଖେଳିଥିବା ଦୁବେ ୮ଟି ଛକା ଓ ୫ଟି ଚୌକା ମାରିଛନ୍ତି।

ଶେଷ ଓଭର୍‌ରେ ମହେନ୍ଦ୍ର ସିଂହ ଧୋନି କ୍ରିଜ୍‌କୁ ଆସିଥିଲେ ମଧ୍ୟ କୌଣସି ବଲ ସାମ୍ନା କରିବାର ସୁଯୋଗ ପାଇ ନଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚେନ୍ନାଇ ତା’ ଇନିଂସର ଶେଷ ୫ ଓଭର୍‌ରେ ୨ଟି ୱିକେଟ ହରାଇ ୮୩ ରନ୍‌ ଆଦାୟ କରିଛି। ଓଭର ପିଛା ୧୬.୬୦ ହାରରେ ଦଳ ରନ୍‌ ସଂଗ୍ରହ କରିଥିବାରୁ ଆରସିବି ବିପକ୍ଷରେ ବଡ଼ ସ୍କୋର କରିପାରିଛି।

Related story