ଲର୍ଡସ: ଐତିହାସିକ ଲର୍ଡସରେ ଘରୋଇ ଟିମ୍ ଇଂଲଣ୍ଡକୁ ହରାଇଛି ଦକ୍ଷିଣ ଆଫ୍ରିକା। ମାତ୍ର ଅଢ଼େଇ ଦିନ ମଧ୍ୟରେ ମ୍ୟାଚ୍ ଶେଷ କରି ବଡ଼ ବିଜୟ ହାସଲ କରିଛି ଭ୍ରମଣକାରୀ ଦଳ। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ପଏଣ୍ଟ ଟେବୁଲର ୧ନଂ ସ୍ଥାନରେ ନିଜ ସ୍ଥାନକୁ ଆହୁରି ସୁଦୃଢ଼ କରିନେଇଛି। ସେହିପରି ଭାରତ ପୂର୍ବଭଳି ୫୨.୦୮ ବିଜୟ ପ୍ରତିଶତ ସହ ୪ର୍ଥ ସ୍ଥାନରେ ରହିଛି।
ଇଂଲଣ୍ଡ ବିପକ୍ଷ ୩ଟିକିଆ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ଲର୍ଡସରେ ୧୭ ତାରିଖରୁ ଆରମ୍ଭ ହୋଇଥିଲା। ପ୍ରଥମ ଇନିଂସରେ ଇଂଲଣ୍ଡ ୧୬୫ ରନ କରିଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୩୨୬ ରନ କରି ଅଲଆଉଟ ହୋଇଯାଇଥିଲା। ଇଂଲଣ୍ଡ ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।
ଶେଷରେ ପୂରା ଟିମ୍ ୧୪୯ରେ ଅଲଆଉଟ ହୋଇଯାଇଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ଗୋଟିଏ ଇନିଂସ ଓ ୧୨ ରନ୍ରେ ମ୍ୟାଚ୍ ଜିତି ସିରିଜ୍ରେ ୧-୦ରେ ଆଗୁଆ ହୋଇଯାଇଛି। ପ୍ରଥମ ଇନିଂସରେ ୫ ଓ ଦ୍ୱିତୀୟ ଇନିଂସରେ ୨ଟି ୱିକେଟ ନେଇଥିବା କାଗିସୋ ରାବଡା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।
ଦକ୍ଷିଣ ଆଫ୍ରିକାର ବିଜୟ ପରେ ଆଇସିସି ପକ୍ଷରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ଟେବୁଲକୁ ଅପଡେଟ କରାଯାଇଛି। ଦକ୍ଷିଣ ଆଫ୍ରିକାର ବିଜୟ ପ୍ରତିଶତ ଏବେ ୭୫ ରହିଛି। ଦଳ ୧ ନଂ ସ୍ଥାନରେ ଥିବା ବେଳେ ୭୦% ବିଜୟ ପ୍ରତିଶତ ସହ ଅଷ୍ଟ୍ରେଲିଆ ଦ୍ୱିତୀୟ ଓ ୫୩.୩୩ ବିଜୟ ପ୍ରତିଶତ ସହ ଶ୍ରୀଲଙ୍କା ୩ୟ ସ୍ଥାନରେ ଅଛି।
୫ମରେ ପାକିସ୍ତାନ, ୬ଷ୍ଠରେ ୱେଷ୍ଟଇଣ୍ଡିଜ, ୭ମରେ ଇଂଲଣ୍ଡ ୮ମରେ ନ୍ୟୁଜିଲ୍ୟାଣ୍ତ ଓ ୯ମ ସ୍ଥାନରେ ବାଂଲାଦେଶ ରହିଛି। ଇଂଲଣ୍ଡର ବିଜୟ ପ୍ରତିଶତ ମାତ୍ର ୫୦% ରହିଛି।
ଚଳିତ ସିଜନ ଶେଷ ବେଳକୁ ଯେଉଁ ଦୁଇ ଦଳ ପଏଣ୍ଟ ଟେବୁଲର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଥିବେ, ସେମାନଙ୍କ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମ୍ୟାଚ ଖେଳାଯିବ। ଫାଇନାଲ ମ୍ୟାଚ୍ଟି ୨୦୨୩ ଜୁନ୍ରେ ଇଂଲଣ୍ଡର ଲର୍ଡସରେ ଖେଳାଯିବାର ଅଛି।
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପାର ପ୍ରଥମ ସଂସ୍କରଣର ଫାଇନାଲ ନ୍ୟୁଜିଲ୍ୟାଣ୍ଡ ଓ ଭାରତ ମଧ୍ୟରେ ଖେଳା ଯାଇଥିଲା। ଏହି ମ୍ୟାଚ୍ ଭାରତକୁ ହରାଇ ନ୍ୟୁଜିଲ୍ୟାଣ୍ତ ଚାମ୍ପିୟନ ହୋଇଥିଲା।