ସବୁଠି ଜିତିଛନ୍ତି, ୨୯ ବର୍ଷ ଧରି ଦକ୍ଷିଣ ଆଫ୍ରିକାରେ ହାତ ଖାଲି

ନୂଆଦିଲ୍ଲୀ: ବିରାଟ୍ କୋହଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିଗା ଗସ୍ତ କରିଛି। ଭାରତୀୟ ଟିମ୍ ସବୁ ବିଦେଶ ମାଟିରେ ଟେଷ୍ଟ ସିରିଜ୍ ବିଜୟର ସ୍ୱାଦ ଚାଖିସାରିଛି। କିନ୍ତୁ ଦକ୍ଷିଣ ଆଫ୍ରିକା ଏକମାତ୍ର ଦେଶ, ଯେଉଁଠାରେ ଭାରତ ଟେଷ୍ଟ ମ୍ୟାଚ୍ ତ ଜିତିଛି, କିନ୍ତୁ ସିରିଜ୍ କେବେବି ଜିତିପାରିନାହିଁ। ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ୱେଷ୍ଟଇଣ୍ଡିଜ୍, ପାକିସ୍ତାନ, ଶ୍ରୀଲଙ୍କା ମାଟିରେ ଭାରତ ସିରିଜ୍ ଜିତିବାରେ ସଫଳ ହୋଇଛି। ଭାରତ ଗତ ୨୯ ବର୍ଷ ଧରି ଦକ୍ଷିଣ ଆଫ୍ରିକା […]

Team-India

Ranjit Kumar Jena
  • Published: Thursday, 23 December 2021
  • , Updated: 23 December 2021, 05:27 PM IST

ନୂଆଦିଲ୍ଲୀ: ବିରାଟ୍ କୋହଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିଗା ଗସ୍ତ କରିଛି। ଭାରତୀୟ ଟିମ୍ ସବୁ ବିଦେଶ ମାଟିରେ ଟେଷ୍ଟ ସିରିଜ୍ ବିଜୟର ସ୍ୱାଦ ଚାଖିସାରିଛି। କିନ୍ତୁ ଦକ୍ଷିଣ ଆଫ୍ରିକା ଏକମାତ୍ର ଦେଶ, ଯେଉଁଠାରେ ଭାରତ ଟେଷ୍ଟ ମ୍ୟାଚ୍ ତ ଜିତିଛି, କିନ୍ତୁ ସିରିଜ୍ କେବେବି ଜିତିପାରିନାହିଁ। ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ୱେଷ୍ଟଇଣ୍ଡିଜ୍, ପାକିସ୍ତାନ, ଶ୍ରୀଲଙ୍କା ମାଟିରେ ଭାରତ ସିରିଜ୍ ଜିତିବାରେ ସଫଳ ହୋଇଛି। ଭାରତ ଗତ ୨୯ ବର୍ଷ ଧରି ଦକ୍ଷିଣ ଆଫ୍ରିକା ଗସ୍ତ କରିଆସୁଛି, କିନ୍ତୁ ସେଠାରେ ଟେଷ୍ଟ ସିରିଜ୍ ନଜିତିବାର ଅବଶୋଷ ସମସ୍ତଙ୍କ ମନରେ ରହିଛି। ଏଥର ବିରାଟଙ୍କ ନେତୃତ୍ୱରେ ଭାରତ ଦକ୍ଷିଣ ଆଫ୍ରିକାରେ ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି।

[caption id="" align="alignleft" width="1200"] ୧୯୯୨ରେ ଦକ୍ଷିଣ ଆଫ୍ରିକା ଗସ୍ତରେ ପ୍ରବୀଣ ଆମ୍ରେ[/caption]

ଭାରତୀୟ ଟିମ୍ ୭ଥର ଦକ୍ଷିଣ ଆଫ୍ରିକା ଗସ୍ତ କରିଛି। ଭାରତୀୟ ଟିମ୍ ୧୯୯୨-୯୨ରେ ପ୍ରଥମଥର ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା। ଚାରିମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଦକ୍ଷିଣ ଆଫ୍ରିକା ୧-୦ରେ ସିରିଜ୍ ବିଜୟୀ ହୋଇଥିଲା। ସିରିଜର ପ୍ରଥମ ଓ ଦ୍ୱିତୀୟ ଟେଷ୍ଟ ଡ୍ର’ ରହିଥିଲା। ତୃତୀୟ ଟେଷ୍ଟକୁ ଦକ୍ଷିଣ ଆଫ୍ରିକା ୯ ୱିକେଟରେ ଜିତିଥିବା ବେଳେ ଚତୁର୍ଥ ଟେଷ୍ଟ ଡ୍ର’ ହୋଇଥିଲା। ଏହା ପରେ ଭାରତ ୧୯୯୬-୯୭ରେ ଦ୍ୱିତୀୟଥର ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା। ଏହି ଗସ୍ତରେ ତିନୋଟି ଟେଷ୍ଟ ଖେଳାଯାଇଥିବା ବେଳେ ଦକ୍ଷିଣ ଆଫ୍ରିକା ୨-୦ରେ ବିଜୟୀ ହୋଇଥିଲା। ୨୦୦୧-୦୨ ଗସ୍ତରେ ଭାରତ ୦-୧ରେ ସିରିଜ୍ ହାରିଯାଇଥିଲା।

[caption id="" align="alignnone" width="980"] ୨୦୦୬ରେ ଜୋହାନସବର୍ଗ ଟେଷ୍ଟରେ ୱିକେଟ୍ ନେବା ପରେ ଏସ୍ ଶ୍ରୀସନ୍ଥ[/caption]

ଭାରତୀୟ ଟିମ୍ ୨୦୦୬-୦୭ରେ ରାହୁଲ ଦ୍ରାବିଡଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଟେଷ୍ଟ ମ୍ୟାଚ ଜିତିଥିଲା। ଜୋହାନସବର୍ଗରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ୧୨୩ ରନରେ ଘରୋଇ ଦଳକୁ ହରାଇଥିଲା। ପେସର ଏସ୍ ଶ୍ରୀସନ୍ଥ ପ୍ରଥମ ଇନିଂସରେ ୫ ୱିକେଟ ନେଇଥିବା ବେଳେ ଦ୍ୱିତୀୟ ଇନିଂସରେ ଭିଭିଏସ୍ ଲକ୍ଷ୍ମଣ ୭୩ ରନର ଇନିଂସ୍ ଖେଳିଥିଲେ। ତେବେ ପରବର୍ତ୍ତୀ ଦୁଇଟି ଟେଷ୍ଟରେ ଭାରତ ଯଥାକ୍ରମେ ୧୭୪ ରନ୍ ଓ ୫ ୱିକେଟରେ ପରାସ୍ତ ହୋଇଥିଲା। ଏଥିସହ ଭାରତ ସିରିଜ୍ ୧-୨ରେ ହାରିଯାଇଥିଲା।

୨୦୧୦-୨୦୧୧ରେ ଭାରତ ଦକ୍ଷିଣ ଆଫ୍ରିକାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ସେଞ୍ଚୁରିଅନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ଦକ୍ଷିଣ ଆଫ୍ରିକା ଇନିଂସ୍ ଓ ୨୫ ରନରେ ଜିତି ନେଇଥିଲା। ତେବେ ଡର୍ବାନରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ଭାରତ ଜବରଦସ୍ତ କମବ୍ୟାକ୍ କରି ୮୭ ରନର ବିଜୟୀ ହୋଇଥିଲା। କେପଟାଉନରେ ଅନୁଷ୍ଠିତ ତୃତୀୟ ଟେଷ୍ଟ ଡ୍ର’ ରହିଥିଲା। ଏଥିସହ ଭାରତୀୟ ଟିମ୍ ପ୍ରଥମଥର ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ୍ ଡ୍ର’ କରି ଇତିହାସ ରଚିଥିଲା।

[caption id="" align="alignnone" width="1200"] ୨୦୧୮ ଗସ୍ତରେ ସାଥୀ ଖେଳାଳିଙ୍କ ସହ ବିରାଟ୍ କୋହଲି[/caption]

୨୦୧୩-୧୪ରେ ଭାରତ ଷଷ୍ଠଥର ଲାଗି ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା। ଏହି ଗସ୍ତରେ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳାଯାଇଥିବା ବେଳେ ପ୍ରଥମ ଟେଷ୍ଟ ଡ୍ର’ ରହିଥିବା ବେଳେ ଦ୍ୱିତୀୟ ଟେଷ୍ଟକୁ ଦକ୍ଷିଣ ଆଫ୍ରିକା ୧୦ ୱିକେଟରେ ଜିତି ସିରିଜକୁ ୧-୦ରେ ହାତେଇ ନେଇଥିଲା। ଶେଷଥର ଲାଗି ଭାରତ ୨୦୧୮-୧୯ରେ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା। ଏହି ଗସ୍ତରେ ଦକ୍ଷିଣ ଆଫ୍ରିକା ଜବରଦସ୍ତ ପ୍ରଦର୍ଶନ କରି ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଥିଲେ। ଏହିପରି ଭାବେ ଭାରତ ଦକ୍ଷିଣ ଆଫ୍ରିକାରେ କେବେବି ଟେଷ୍ଟ ସିରିଜ୍ ଜିତିପାରିନାହିଁ।

[caption id="" align="alignnone" width="1200"] ୨୦୧୩ ଗସ୍ତରେ ଶତକ ମାରିବା ପରେ ବିରାଟ୍ କୋହଲି[/caption]

ଦକ୍ଷିଣ ଆଫ୍ରିକାରେ ଭାରତ ମାତ୍ର ତିନୋଟି ଟେଷ୍ଟ ଜିତିଥିବା ବେଳେ ୧୦ଟି ମ୍ୟାଚରେ ପରାସ୍ତ ହୋଇଛି। ଉଭୟ ଦେଶ ମଧ୍ୟରେ ଯଦି ବ୍ୟାଟିଂ ଓ ବୋଲିଂ ରେକର୍ଡକୁ ଦେଖିବା, ତାହେଲେ ଭାରତ ଆଗରେ ରହିଛି। ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ୨୫ ଟେଷ୍ଟ ଖେଳି ୧୭୪୧ ରନ୍ କରିଛନ୍ତି, ଯେଉଁଥିରେ ୭ ଶତକ ଓ ୫ ଅର୍ଦ୍ଧଶତକ ରହିଛି। ତାଙ୍କ ପଛକୁ ଦକ୍ଷିଣ ଆଫ୍ରିକାର ଜ୍ୟାକ୍ କାଲିସ୍ ୧୮ ଟେଷ୍ଟ ମ୍ୟାଚରେ ୭ ଶତକ ଓ ୫ ଅର୍ଦ୍ଧଶତକ ସହ ୧୭୩୪ ରନ୍ କରିଛନ୍ତି। ବର୍ତ୍ତମାନ ଭାରତୀୟ ଟେଷ୍ଟ ଟିମର କ୍ୟାପଟେନ୍ ବିରାଟ୍ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୨ ଟେଷ୍ଟ ଖେଳି ୬୦ରୁ ଅଧିକ ହାରରେ ୧୦୭୫ ରନ୍ କରିଛନ୍ତି, ଯେଉଁଥିରେ ୩ ଶତକ ଓ ୩ ଅର୍ଦ୍ଧଶତକ ରହିଛି।

[caption id="" align="alignnone" width="1200"] ୨୦୧୦ରେ କେପଟାଉନ୍ ଟେଷ୍ଟରେ ଶତକ ମାରିବା ପରେ ସଚିନ୍ ତେନ୍ଦୁଲକର[/caption]

ସେହିପରୀ ବୋଲିଂରେ ସର୍ବାଧିକ ୱିକେଟର ରେକର୍ଡ ଅନୀଲ କୁମ୍ବଲେଙ୍କ ନାଁରେ ରହିଛି। କୁମ୍ବଲେ ୨୧ ଟେଷ୍ଟ ମ୍ୟାଚରୁ ୮୪ ୱିକେଟ୍ ନେଇଛନ୍ତି। ତାଙ୍କ ପଛକୁ ଡେଲ୍ ଷ୍ଟେନ୍ ୧୪ ଟେଷ୍ଟ ଖେଳି ୬୫ ୱିକେଟ୍ ନିଜ ନାଁରେ କରିଛନ୍ତି। ରବିଚନ୍ଦ୍ରନ୍ ଅଶ୍ୱିନ ୧୦ ଟେଷ୍ଟ ଖେଳି ୫୩ ୱିକେଟ୍ ହାସଲ କରିଛନ୍ତି।

ଜବରଦସ୍ତ ଫର୍ମରେ ଥିବା ରୋହିତ୍ ଶର୍ମା ଓ ରବୀନ୍ଦ୍ର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆହତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଛନ୍ତି। ରୋହିତ୍ ଚଳିତ ବର୍ଷ ଭଲ ପ୍ରଦର୍ଶନ କରିଥିଲେ। ଜାଡେଜା ମଧ୍ୟ ବିଦେଶ ମାଟିରେ ଭଲ ବ୍ୟାଟିଂ ଓ ବୋଲିଂ ପ୍ରଦର୍ଶନ ଦେଖାଇଛନ୍ତି। ତେବେ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କ ଫର୍ମ ଚିନ୍ତା ବିଷୟ। ଦୁହେଁ କ୍ୟାରିୟରର ସବୁଠାରୁ ଖରାପ ସମୟ ଦେଇ ଗତି କରୁଛନ୍ତି। ପୂଜାରା ତାଙ୍କ ଶେଷ ୪୪ ଇନିଂସରେ ଶତକ ମାରିନାହାନ୍ତି। ସେହିପରି ରାହାଣେ ୨୦୨୦ରେ ଅଷ୍ଟ୍ରେଲିଆ ଗସ୍ତରେ ଶେଷ ଶତକ ମାରିଥିଲେ।

[caption id="" align="alignnone" width="1200"] ଅନୀଲ କୁମ୍ବଲେ[/caption]

ଦକ୍ଷିଣ ଆଫ୍ରିକାରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ମାନେ ସୁଇଂ ଓ ବାଉନ୍ସ ଆଗରେ ସଂଘର୍ଷ କରିଛନ୍ତି। ଟିମ୍ ଇଣ୍ଡିଆ ଘରୋଇ ମାଟିରେ ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାରେ ବ୍ୟାଟ୍ସମ୍ୟାନଙ୍କୁ କଠିନତାର ସାମ୍ନା କରିବାକୁ ପଡ଼ିଥାଏ। ଏଥର ଦଳ ଦକ୍ଷିଣ ଆଫ୍ରିକାରେ ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି।

Related story