ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ବୀରେନ୍ଦ୍ର ସେହୱାଗ ଏସିଆ କପକୁ ନେଇ ବଡ଼ ପୂର୍ବାନୁମାନ କରିଛନ୍ତି। ଚଳିତ ବର୍ଷ ଏସିଆ କପ କେଉଁ ଦଳ ଜିତିବାକୁ ପ୍ରବଳ ଦାବିଦାର ରହିଛି, ତା’ର ଆକଳନ କରିଛନ୍ତି ସେହୱାଗ। ତାଙ୍କ ଆକଳନ ଅନୁଯାୟୀ, ଭାରତ ନୁହେଁ ବରଂ ସୁପର ୪ରେ ଦଳକୁ ହରାଇଥିବା ପାକିସ୍ତାନ ଚଳିତ ବର୍ଷ ଏସିଆ କପ ଜିତିପାରେ ବୋଲି ସେ କହିଛନ୍ତି।
କ୍ରିକବଜକୁ ସାକ୍ଷାତକାର ଦେଇ ସେହୱାଗ କହିଛନ୍ତି, ପାକିସ୍ତାନ ଠାରୁ ପ୍ରଥମ ସୁପର ୪ ମ୍ୟାଚ୍ ହାରି ଯାଇଥିବା ଟିମ୍ ଇଣ୍ଡିଆ ଏବେ ଚାପରେ ରହିପାରେ। ଆଜିର ମ୍ୟାଚ୍ରେ ଦଳ ଶ୍ରୀଲଙ୍କା ଠାରୁ ହାରିଗଲେ ଟୁର୍ଣ୍ଣାମେଣ୍ଟରୁ ବାଦ ମଧ୍ୟ ପଡ଼ିବାର ଆଶଙ୍କା ରହିଛି। ଯଦି ଭାରତ ସୁପର ୪ରେ ଆଉ ଗୋଟିଏ ବି ମ୍ୟାଚ୍ ହାରିଯାଏ, ତା’ହେଲେ ଦଳ ଟୁର୍ଣ୍ଣାମେଣ୍ଟରୁ ବାହାରି ଯିବ।
ଭାରତ ତୁଳନାକରେ ପାକିସ୍ତାନର ସ୍ଥିତି ଅଧିକ ଭଲ ରହିଛି। କାରଣ ପାକିସ୍ତାନ ତା’ର ବାକି ଦୁଇଟି ମ୍ୟାଚ୍ରୁ ଗୋଟିଏରେ ହାରେ ଓ ଗୋଟିଏରେ ଜିତେ, ତା’ହେଲେ ନେଟ ରନରେଟ ଆଧାରରେ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିପାରିବ। ଭାରତ ଗୋଟିଏ ହାରିଛି ଓ ଆଉ ଗୋଟିଏ ମ୍ୟାଚ୍ ହାରିଲେ, ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଯିବ।
ତେଣୁ ଭାରତ ଉପରେ ଅଧିକ ଚାପ ରହିଛି। ପାକିସ୍ତାନ ଦୀର୍ଘ ବର୍ଷ ପରେ ଏସିଆ କପ ଫାଇନାଲ ଖେଳିପାରେ। ସେମାନେ ଦୀର୍ଘ ବର୍ଷ ପରେ ଭାରତକୁ ଏସିଆ କପରେ ହରାଇଛନ୍ତି। ତେଣୁ ଚଳିତ ବର୍ଷ ଏସିଆ କପ ଜିତିବାର ଅଧିକ ସୁଯୋଗ ପାକିସ୍ତାନ ପାଖରେ ରହିଛି ବୋଲି ବୀରୁ କହିଛନ୍ତି।
ଏସିଆ କପର ଗ୍ରୁପ ପର୍ଯ୍ୟାୟରେ ଭାରତ ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇଥିଲା। କିନ୍ତୁ ସୁପର ୪ ମୁକାବିଲାରେ ପାକିସ୍ତାନ ଏହାର ବଦଲା ନେଇ ଭାରତକୁ ହରାଇଛି। ଆଜି ଭାରତ ସୁପର ୪ର ଦ୍ୱିତୀୟ ମୁକାବିଲାରେ ଶ୍ରୀଲଙ୍କାକୁ ଭେଟୁଛି। ଯଦି ଏହି ମ୍ୟାଚ୍ରେ ଦଳ ହାରିଯିବ, ତା’ହେଲେ ଟୁର୍ଣ୍ଣାମେଣ୍ଟରୁ ଏକ ପ୍ରକାରର ବାଦ ପଡ଼ିବ।