ଦୁବାଇ: ଶୀର୍ଷକ ପଢ଼ି ଆପଣ ସାମାନ୍ୟ ଆଶ୍ଚର୍ଯ୍ୟ ହେଉଥିବେ। କେମିତି ଗୋଟିଏ ଟିମ୍ର ୧୧ ଜଣ ଖେଳାଳି ମାତ୍ର ୮ ରନ୍ କରି ଅଲଆଉଟ ହୋଇଗଲେ? କିନ୍ତୁ ଅଣ୍ଡର ୧୯ ମହିଳା ଟି-୨୦ ବିଶ୍ୱକପର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ଏମିତି ଏକ ଘଟଣା ଘଟିଛି। ୟୁଏଇ ମହିଳା ଟିମ୍ ନେପାଳକୁ ମାତ୍ର ୮ ରନରେ ଅଲଆଉଟ କରି ଦେଇଛି। ଏହାପରେ ୟୁଏଇ ୭ଟି ବଲ୍ରେ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ରେକର୍ଡ କରିଛି।
ଏହି ମ୍ୟାଚ୍ରେ ୟୁଏଇର ଦ୍ରୁତ ବୋଲର ମହିକା ଗୌର ଜବରଦସ୍ତ ବୋଲିଂ କରିଛନ୍ତି। ସେ ମାତ୍ର ୨ ରନ୍ ଦେଇ ନେପାଳର ୫ ଜଣ ବ୍ୟାଟରଙ୍କୁ ପାଭିଲିୟନ ପଠାଇ ଦେଇଛନ୍ତି। ୟୁଏଇର ଓପନର ତୀର୍ଥ ସତୀଶ ସର୍ବାଧିକ ୪ ବଲରେ ୪ ରନ୍ କରିଥିବା ବେଳେ ଲବନ୍ୟା କେନୀ ୪ ବଲ୍ରେ ୩ ରନ୍ କରି ଦଳକୁ ୭ ବଲ୍ରେ ଜିତାଇଛନ୍ତି।
ମାଲେସିୟାର ବାଙ୍ଗିରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ନେପାଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। କିନ୍ତୁ ଦଳ ୟୁଏଇ ବୋଲରଙ୍କ ଆଦୌ ମୁକାବିଲା କରି ପାରି ନଥିଲା। ଦଳର ୬ ଜଣ ବ୍ୟାଟର ବିନା କୌଣସି ରନ୍ ଯୋଡ଼ି ଆଉଟ ହୋଇଥିଲେ। ନେପାଳ ପକ୍ଷରୁ ସ୍ନେହା ମାହାର ୧୦ ବଲରେ ସର୍ବାଧିକ ୩ ରନ୍ କରିଥିବା ବେଳେ ମନୀଷା ରାଣେ ୨ ରନ୍ କରିଛନ୍ତି। କିରନ କୁମାରୀ, ଅନୁ କାଡାୟତ ଓ ଅଶମା ପୌଲମୀ ମାଗର ୧ ରନ୍ ଲେଖାଏ କରିବାରୁ ପୂରା ଟିମ୍ ୮ ରନ୍ କରିବାକୁ ସକ୍ଷମ ହୋଇଛି। ନେପାଳ ଟିମ୍ କେବଳ ୮.୧ ଓଭର୍ର ବ୍ୟାଟିଂ କରିଛି। ୟୁଏଇ ପକ୍ଷରୁ ମହିକା ସର୍ବାଧିକ ୫ଟି ୱିକେଟ ନେଇଥିବା ବେଳେ ଇନ୍ଦୁଜା ନନ୍ଦକୁମାର ୩ଟି ଓ ସମାଇରା ଡି ଗୋଟିଏ ବଲ ପକାଇ ଗୋଟିଏ ୱିକେଟ ନେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।