ୱାସିମ୍ ଜାଫର ହେଲେ ଓଡ଼ିଶା କ୍ରିକେଟ୍ ଟିମ୍ କୋଚ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତର ପୂର୍ବତନ କ୍ରିକେଟର୍ ୱାସିମ୍ ଜାଫର ଓଡ଼ିଶା ସିନିୟର୍ କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି। ଏ ନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ସୂଚନା ଦେଇଛି। ଏବେ ଜାଫର ରଶ୍ମିରଞ୍ଜନ ପରିଡ଼ାଙ୍କ ସ୍ଥାନ ନେବେ। ରଶ୍ମିରଞ୍ଜନ ୨୦୧୮ ମସିହାରେ ଓଡ଼ିଶା କ୍ରିକେଟ୍ ଟିମର କୋଚ୍ ଭାବେ ନିଯୁକ୍ତ ହୋଇଥିଲେ। ଜାଫରଙ୍କ ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ କ୍ରିକେଟର ପ୍ରଚୁର ଅଭିଜ୍ଞତା ରହିଛି। ଭାରତର ଏହି ପୂର୍ବତନ ଟେଷ୍ଟ ଓପ୍ନର […]

wasim-jaffer

Ranjit Kumar Jena
  • Published: Wednesday, 14 July 2021
  • , Updated: 14 July 2021, 07:21 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତର ପୂର୍ବତନ କ୍ରିକେଟର୍ ୱାସିମ୍ ଜାଫର ଓଡ଼ିଶା ସିନିୟର୍ କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି। ଏ ନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ସୂଚନା ଦେଇଛି। ଏବେ ଜାଫର ରଶ୍ମିରଞ୍ଜନ ପରିଡ଼ାଙ୍କ ସ୍ଥାନ ନେବେ। ରଶ୍ମିରଞ୍ଜନ ୨୦୧୮ ମସିହାରେ ଓଡ଼ିଶା କ୍ରିକେଟ୍ ଟିମର କୋଚ୍ ଭାବେ ନିଯୁକ୍ତ ହୋଇଥିଲେ।

ଜାଫରଙ୍କ ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ କ୍ରିକେଟର ପ୍ରଚୁର ଅଭିଜ୍ଞତା ରହିଛି। ଭାରତର ଏହି ପୂର୍ବତନ ଟେଷ୍ଟ ଓପ୍ନର ପୂର୍ବରୁ ବାଂଲାଦେଶ ଜାତୀୟ କ୍ରିକେଟ୍ ଟିମର କୋଚ୍ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି। ଏହାଛଡ଼ା ଆଇପିଏଲରେ ସେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଦଳର ମଧ୍ୟ ବ୍ୟାଟିଂ କୋଚ୍ ରହିଆସିଛନ୍ତି। ଗତବର୍ଷ ସେ ଉତ୍ତରାଖଣ୍ଡ କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ପାଇଥିଲେ। କିନ୍ତୁ ୨୦୨୧ ଜାନୁଆରୀ ମାସରେ ସେ ଉତ୍ତରାଖଣ୍ଡ କୋଚ୍ ପଦରୁ ଇସ୍ତଫା ଦେଇଥିଲେ।

ଜାଫର ଧର୍ମକୁ ଆଧାର କରି ଟିମ୍ ଚୟନ କରୁଥିବା ନେଇ ଉତ୍ତରାଖଣ୍ଡ କ୍ରିକେଟ୍ ଆସୋସିଏସନ୍ ଅଭିଯୋଗ ଆଣିଥିଲା। କିନ୍ତୁ ଜାଫର ଏସବୁ ଅଭିଯୋଗକୁ ଖାରଜ କରିଦେଇଥିଲେ। ବିବାଦ ତେଜିବା ପରେ ଜାଫର କୋଚ୍ ପଦରୁ ଇସ୍ତଫା ଦେଇଥିଲେ।

୪୩ ବର୍ଷୀୟ ଜାଫର୍ ୨୦୦୧ରେ ଭାରତ ପକ୍ଷରୁ ପଦାର୍ପଣ କରିଥିଲେ। ସେ ୩୧ ଟେଷ୍ଟ ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ସେହିପରି ସେ ମଧ୍ୟ ଭାରତ ପକ୍ଷରୁ ଦୁଇଟି ଦିନିକିଆ ମଧ୍ୟ ଖେଳିଛନ୍ତି। ଜାଫର ନିଜ ଟେଷ୍ଟ କ୍ୟାରିୟରରେ ଗୋଟିଏ ଦ୍ୱିଶତକ, ୫ଟି ଶତକ ଓ ୧୧ ଅର୍ଦ୍ଧଶତକ ସହ ମୋଟ୍ ୧୯୪୪ ରନ୍ କରିଛନ୍ତି। ୨୦୦୬ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସେ କ୍ୟାରିୟରର ସର୍ବଶ୍ରେଷ୍ଠ ୨୧୨ ରନର ଇନିଂସ୍ ଖେଳିଥିଲେ। ୨୦୦୮ରେ ସେ ଶେଷଥର ଲାଗି ଭାରତ ପକ୍ଷରୁ ଖେଳିଥିଲେ। ଏହା ପରେ ସେ ପ୍ରଥମଶ୍ରେଣୀ କ୍ରିକେଟ୍ ଖେଳିବା ଜାରି ରଖିଥିଲେ।

ପ୍ରଥମଶ୍ରେଣୀ କ୍ରିକେଟରେ ଜାଫରଙ୍କ ନାଁରେ ଅନେକ ରେକର୍ଡ ରହିଛି। ଜାଫର ୨୦୧୮ରେ ରଣଜୀ ଟ୍ରଫିର ଇତିହାସରେ ସେ ୧୧ହଜାର ରନ୍ କରିବାରେ ପ୍ରଥମ କ୍ରିକେଟର୍ ହୋଇଥିଲେ। ୨୦୧୯-୨୦ରେ ଜାଫର୍ ପ୍ରଥମ କ୍ରିକେଟର୍ ଭାବେ ରଣଜୀ ଟ୍ରଫିରେ ୧୫୦ ମ୍ୟାଚ୍ ଖେଳିବାର ଗୌରବ ଅର୍ଜନ କରିଥିଲେ।

ମୁମ୍ବାଇ ପକ୍ଷରୁ ଦୀର୍ଘ ବର୍ଷ ଧରି ଖେଳିବା ପରେ ଜାଫର୍ ୨୦୧୫ରେ ବିଦର୍ଭ ପକ୍ଷରୁ ରଣଜୀ ସିଜନ୍ ଖେଳିଥିଲେ। ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ୨୬୦ ମ୍ୟାଚ୍ ଖେଳି ୫୦.୬୭ ହାରରେ ୧୯୪୧୦ ରନ୍ କରିଛନ୍ତି, ଯେଉଁଥିରେ ୫୭ ଶତକ ଓ ୯୧ ଅର୍ଦ୍ଧଶତକ ମାରିଛନ୍ତି। ସେହିପରି ସେ ୧୧୮ ଲିଷ୍ଟ-ଏ ମ୍ୟାଚ୍ ଖେଳି ୪୮୪୯ ରନ୍ କରିଛନ୍ତି। ଗତ ବର୍ଷ ସେ ସମସ୍ତ ପ୍ରକାର କ୍ରିକେଟକୁ ଅଲବିଦା କହିଥିଲେ।

Related story