ପଞ୍ଚମ ଦିନର ଖେଳ ଶେଷ, ଭାରତ ୩୨ ରନରେ ଆଗୁଆ

ସାଉଥାମ୍ପଟନ୍: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏଠାରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ପଞ୍ଚମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ ୨ ୱିକେଟ୍ ହରାଇ ୬୪ ରନ୍ କରିଛି। ଏଥିସହ ଭାରତ ୩୨ ରନରେ ଆଗୁଆ ରହିଛି । କ୍ୟାପଟେନ୍ ବିରାଟ୍ କୋହଲି ୮ ଓ ଚେତେଶ୍ୱର ପୂଜାରା ୧୨ ରନରେ ବ୍ୟାଟିଂ କରୁଛନ୍ତି। ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଇନିଂସରେ ୨୪୯ ରନ୍ କରି ଅଲଆଉଟ୍ ହୋଇ ୩୨ ରନର ଅଗ୍ରଣୀ ହାସଲ […]

rohit-sharma

Ranjit Kumar Jena
  • Published: Tuesday, 22 June 2021
  • , Updated: 23 June 2021, 12:01 AM IST

ସାଉଥାମ୍ପଟନ୍: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏଠାରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ପଞ୍ଚମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ ୨ ୱିକେଟ୍ ହରାଇ ୬୪ ରନ୍ କରିଛି। ଏଥିସହ ଭାରତ ୩୨ ରନରେ ଆଗୁଆ ରହିଛି । କ୍ୟାପଟେନ୍ ବିରାଟ୍ କୋହଲି ୮ ଓ ଚେତେଶ୍ୱର ପୂଜାରା ୧୨ ରନରେ ବ୍ୟାଟିଂ କରୁଛନ୍ତି।

ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଇନିଂସରେ ୨୪୯ ରନ୍ କରି ଅଲଆଉଟ୍ ହୋଇ ୩୨ ରନର ଅଗ୍ରଣୀ ହାସଲ କରିଥିଲା । ଜବାବରେ ଭାରତ ଦ୍ୱିତୀୟ ଇନିଂସ୍ ଖେଳିବାକୁ ଓହ୍ଲାଇଥିଲା । ଦୁଇ ଓପ୍ନର ରୋହିତ୍ ଶର୍ମା ଓ ଶୁବମନ୍ ଗିଲ୍ ପ୍ରଥମ ୧୦ ଓଭର ଧୈର‌୍ୟ୍ୟର ସହ ଖେଳିଥିଲେ । କିନ୍ତୁ ଗିଲ୍ (୮)ଙ୍କୁ କିୱିର ଅଭିଜ୍ଞ ପେସର୍ ଟିମ୍ ସାଉଦୀ ଏଲବିଡବ୍ଲ୍ୟୁ କରିଥିଲେ ।

ରୋହିତ୍ (୩୦) ପୁଣିଥରେ ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ । ସେ ମଧ୍ୟ ସାଉଦୀଙ୍କ ବଲରେ ଏଲବିଡବ୍ଲ୍ୟୁର ଶିକାର ହୋଇଥିଲେ। ଟିମର ଭରସାଯୋଗ୍ୟ ବ୍ୟାଟ୍ସମ୍ୟାନ୍ ପୂଜାରା ଓ କୋହଲି କ୍ରିଜରେ ରହିଛନ୍ତି । ଷଷ୍ଠ ତଥା ଅନ୍ତିମ ଦିବସରେ ଦୁହିଁଙ୍କ ଉପରେ ଟିମର ଭାଗ୍ୟ ନିର୍ଦ୍ଧାରଣ କରୁଛି ।

https://twitter.com/BCCI/status/1407402815513718785?s=20

ଆଉଟ୍ ଫିଲ୍ଡ ଓଦା ଯୋଗୁ ପଞ୍ଚମ ଦିବସରେ ଘଣ୍ଟାଏ ବିଳମ୍ବରେ ଖେଳ ଆରମ୍ଭ ହୋଇଥିଲା । ହେଲେ ନ୍ୟୁଜିଲ୍ୟାଣ୍ଡ ଆରମ୍ଭରୁ ଅଭିଜ୍ଞ ରସ୍ ଟେଲର (୧୧)ଙ୍କ ୱିକେଟ୍ ହରାଇଥିଲା । ଟେଲରଙ୍କୁ ମହମ୍ମଦ ଶାମି ପ୍ୟାଭିଲିୟନ୍ ପଠାଇଥିଲେ । ହେନରୀ ନିକୋଲ୍ସ (୭)ଙ୍କୁ ଈଶାନ୍ତ ଶର୍ମା ଆଉଟ୍ କରିଥିବା ବେଳେ ବିଜେ ୱାଟଲିଙ୍ଗ (୧) ଓ କଲିନ୍ ଡି’ ଗ୍ରାଣ୍ଡହୋମ୍ (୧୩)ଙ୍କୁ ଶାମି ଆଉଟ୍ କରି ଭାରତକୁ ମ୍ୟାଚରେ କମବ୍ୟାକ୍ କରାଇଥିଲେ।

ବୋଲିଂରେ କମାଲ୍ କରିଥିବା କାଇଲ୍ ଜେମିସନ୍ ଦ୍ରୁତ ୨୧ ରନ୍ କରି ଦଳ ଉପରୁ ଚାପ ହଟାଇବାକୁ ପ୍ରୟାସ କରିଥିଲେ । କିନ୍ତୁ ତାଙ୍କ ୱିକେଟ୍ ନେଇ ଶାମି ନ୍ୟୁଜିଲ୍ୟାଣ୍ଡର ସପ୍ତମ ୱିକେଟ୍ ପତନ କରାଇଥିଲେ । କ୍ୟାପଟେନ୍ ୱିଲିୟମସନ୍ ଓ ଟିମ୍ ସାଉଦୀ ମିଶି ଦଳକୁ ଅଗ୍ରଣୀ କରାଇଥିଲେ । ୱିଲିୟମସନ୍ ୪୯ ରନରେ ଥିବା ବେଳେ ତାଙ୍କୁ ଈଶାନ୍ତ ଶର୍ମା କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଦ୍ୱାରା କ୍ୟାଚ୍ କରାଇଥିଲେ ।

ନିଲ୍ ୱାଗନର ଖାତା ଖୋଲିପାରି ନଥିବା ବେଳେ ସାଉଦି ଶେଷ ୱିକେଟ୍ ଭାବେ ଆଉଟ୍ ହୋଇଥିଲେ । ସାଉଦି ୪୬ ବଲରେ ୧ ଚୌକା ଓ ୨ ଛକା ସହ ୩୦ ରନ୍ କରି ଜାଡେଜାଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିଲେ । ଭାରତ ପକ୍ଷରୁ ମହମ୍ମଦ ଶାମି ୪ଟି, ଈଶାନ୍ତ ୩ଟି, ଅଶ୍ୱିନ୍ ୨ଟି ଓ ରବୀନ୍ଦ୍ର ଜାଡେଜା ଗୋଟିଏ ୱିକେଟ୍ ନେଇଥିଲେ ।

Related story