କାହିଁକି ଏହି ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ପୁଣି ଖୁସି ଖବର ଦେବେ ଧୋନୀ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହର ଦ୍ୱିତୀୟ ରିସେପସନ୍‌ ପାର୍ଟି ମଙ୍ଗଳବାର ମୁମ୍ବାଇରେ ଅନୁଷ୍ଠିତ ହୋଇଯାଇଛି। ମୁମ୍ବାଇର ଏକ ତାରକା ହୋଟଲରେ ଏହି ପାର୍ଟିର ଆୟୋଜନ କରାଯାଇଥିଲା। ଏହି ଅବସରରେ ଟିମ୍‌ ଇଣ୍ଡିଆର ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ତଥା ପୂର୍ବତନ ଅଧିନାୟକ ଧୋନୀ ପହଞ୍ଚିଥିଲେ। ଧୋନୀଙ୍କ ସହ ତାଙ୍କ ପତ୍ନୀ ସାକ୍ଷୀ ଓ ଝିଅ ଜିଭା ଏହି ପାର୍ଟିକୁ ତାଙ୍କ ସହ ଆସିଥିଲେ।

ଏହି ପାର୍ଟିରେ ଧୋନୀ ବ୍ଲାକ୍‌ କଲର୍‌ରେ ବ୍ଲେଜର ପିନ୍ଧିଥିବା ବେଳେ ସାକ୍ଷୀ ଓ ଜିଭା ପିଙ୍କ୍‌ କଲର୍‌ରେ ଡ୍ରେସ୍‌ ପିନ୍ଧିଥିଲେ। ଏହି ଡ୍ରେସ୍‌ରେ ସାକ୍ଷୀ ବହୁତ ସୁନ୍ଦର ଦେଖାଯାଉଥିଲେ। ହେଲେ ପାର୍ଟିରେ ପହଞ୍ଚିଥିବା ସାକ୍ଷୀଙ୍କୁ ଦେଖିବା ପରେ ପ୍ରଶଂସକଙ୍କ ମଧ୍ୟରେ ଏକ ନୂଆ କଥାକୁ ନେଇ ଚର୍ଚ୍ଚା ଦେଖିବାକୁ ମିଳିଥିଲା। ସାକ୍ଷୀ ଗର୍ଭବତୀ ଥିବା କଥା ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ସାକ୍ଷୀଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ ସେ ଗର୍ଭବତୀ ଥିବା ଦେଖାଯାଉଛନ୍ତି। ଧୋନୀ ପୁଣିଥରେ ବାପା ହେବେ ବୋଲି କିଛି ଲୋକେ କହିବାକୁ ଲାଗଲେଣି।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ ସାକ୍ଷୀ ଓ ଧୋନୀ ୨୦୧୦ରେ ବିବାହ କରିଥିଲେ। ୨୦୧୫ରେ ପ୍ରଥମ ଥର ପାଇଁ ଧୋନୀ ବାପା ହୋଇଥିଲେ। ହେଲେ ପୁଣିଥରେ ସାକ୍ଷୀ ଗର୍ଭବତୀ ହେବା କଥା ଧୋନୀ କିମ୍ବା ସାକ୍ଷୀଙ୍କ ପକ୍ଷରୁ କେହିବି ଖୋଲିକରି କହିନାହାଁନ୍ତି।