ନୂଆଦିଲ୍ଲୀ: ବିଶ୍ୱକପରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଖେଳୁଥିବା ବେଳେ ମହେନ୍ଦ୍ର ସିଂହ ଧୋନି ଆହତ ହୋଇଥିଲେ। କିନ୍ତୁ ସେ ଏହାକୁ କାହା ଆଗରେ ପ୍ରକାଶ କରିନଥିଲେ। ଇନ ଡଟ୍ କମ୍ ନାମକ ଏକ ଇଂଲିଶ ଓ୍ୱେବସାଇଟ୍ ଆଜି ଏହା ଦାବି କରିଛି।
ଧୋନି ଆହତ ବୋଲି ଜଣାପଡ଼ିଥିଲେ ଦଳ ପାଇଁ ଆଗାମୀ ମ୍ୟାଚରେ ପ୍ରଭାବ ପଡ଼ିଥାନ୍ତା ଓ ସେ ବିଶ୍ୱକପ ପରେ ଆର୍ମି ଟ୍ରେନିଂରେ ଭାଗ ନେଇ ପାରିନଥାନ୍ତେ ବୋଲି ଚିନ୍ତା କରି ଆହତ ସମସ୍ୟାକୁ ଧୋନି ଲୁଚାଇ ରଖିଥିଲେ ବୋଲି ଇନ ଡଟ୍ କମ୍ ପ୍ରକାଶ କରିଛି।
ସୂଚନାଯୋଗ୍ୟ, ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ଭାରତ ଖେଳୁଥିଲା। ଭାରତ ପକ୍ଷରୁ ପଡ଼ିଆରେ ଧୋନି ବ୍ୟାଟିଂ କରୁଥିବା ବେଳେ ବଲଟି ତାଙ୍କ ଆଙ୍ଗୁଳିରେ ବାଜିବାରୁ ସୂତା ଭଳି ସରୁ ଫ୍ରାକଚର ହୋଇଥିଲା ବୋଲି ଇନ ଡଟ୍ କମ୍ କହିଛି। ତେବେ ଡାକ୍ତରଙ୍କ ପାଖକୁ ଯାଇ ଟେଷ୍ଟ କଲେ ଏହା ପ୍ରଘଟ ହୋଇଯିବ ଭାବି ନିଜ ଭିତରେ ଧୋନି ଏହି ଆହତ ସମସ୍ୟାକୁ ଲୁଚାଇ ରଖିଥିଲେ ବୋଲି ଏହି ୱେବସାଇଟ ତା ରିପୋର୍ଟରେ କହିଛି।
ଏହି ମ୍ୟାଚରେ ଧୋନି ବହୁତ ଧିମା ବ୍ୟାଟିଂ କରିଥିବାରୁ ଭାରତ ଇଂଲଣ୍ଡ ପାଖରୁ ହାରିଥିଲା ବୋଲି କ୍ରିକେଟ୍ ପ୍ରେମୀ ସେତେବେଳେ କହିଥିଲେ।