ଗୁରୁବାରଠାରୁ କଳିଙ୍ଗ ଷ୍ଟାଡିୟମରେ ଏଫ୍‌ଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସ

ଭୁବନେଶ୍ୱର: ଗୋଟିଏ ପଟେ କ୍ରିକେଟ୍ ମହାକୁମ୍ଭ ସାରା ଦୁନିଆକୁ ମତୁଆଲା କରିଥିବା ବେଳେ ଅନ୍ୟ ପଟେ ଭୁବନେଶ୍ୱରରେ ପୁଣିଥରେ ହକି ଫିଭର ଆରମ୍ଭ ହୋଇଛି। ଗୁରୁବାରଠାରୁ କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସ ଆରମ୍ଭ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟ ଜରିଆରେ ଭାରତୀୟ ହକି ଟିମ ତା’ର ନୂଆ କୋଚ୍ ଗ୍ରାହାମ୍ ରିଡଙ୍କ ମାର୍ଗଦର୍ଶନରେ ୨୦୨୦ ଟୋକିଓ ଅଲିମ୍ପିକ୍ସ କ୍ୱାଲିଫାଏ କରିବା ପାଇଁ ଅଭିଯାନ ଆରମ୍ଭ କରିବ। ଏସିଆ, ୟୁରୋପ, ଆଫ୍ରିକା ଓ ଉତ୍ତର ଆମେରିକାର […]

hockey

Hemant Lenka
  • Published: Wednesday, 05 June 2019
  • , Updated: 05 June 2019, 05:53 PM IST

ଭୁବନେଶ୍ୱର: ଗୋଟିଏ ପଟେ କ୍ରିକେଟ୍ ମହାକୁମ୍ଭ ସାରା ଦୁନିଆକୁ ମତୁଆଲା କରିଥିବା ବେଳେ ଅନ୍ୟ ପଟେ ଭୁବନେଶ୍ୱରରେ ପୁଣିଥରେ ହକି ଫିଭର ଆରମ୍ଭ ହୋଇଛି। ଗୁରୁବାରଠାରୁ କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସ ଆରମ୍ଭ ହେବାକୁ ଯାଉଛି।

ଏହି ଟୁର୍ଣ୍ଣାମେଣ୍ଟ ଜରିଆରେ ଭାରତୀୟ ହକି ଟିମ ତା'ର ନୂଆ କୋଚ୍ ଗ୍ରାହାମ୍ ରିଡଙ୍କ ମାର୍ଗଦର୍ଶନରେ ୨୦୨୦ ଟୋକିଓ ଅଲିମ୍ପିକ୍ସ କ୍ୱାଲିଫାଏ କରିବା ପାଇଁ ଅଭିଯାନ ଆରମ୍ଭ କରିବ। ଏସିଆ, ୟୁରୋପ, ଆଫ୍ରିକା ଓ ଉତ୍ତର ଆମେରିକାର ୮ ଟିମ୍ ଅକ୍ଟୋବର-ନଭେମ୍ବରରେ ହେବାକୁଥିବା ଏଫଆଇଏଚ୍ ଅଲିମ୍ପିକ୍ସ କ୍ୱାଲିଫାୟରର ଦୁଇଟି ସ୍ଥାନ ପାଇଁ ଲଢ଼ିବେ। ଭାରତ ବ୍ୟତୀତ ପୁଲ୍-ଏ'ରେ ପୋଲାଣ୍ଡ, ରୁଷ୍ ଓ ଉଜବେକିସ୍ତାନ ମଧ୍ୟ ରହିଛନ୍ତି। ସେହିପରି ପୁଲ୍-ବି'ରେ ଦକ୍ଷିଣ ଆଫ୍ରିକା, ଏସିଆନ୍ ଗେମ୍ସ ବିଜେତା ଜାପାନ, ଆମେରିକା ଓ ମେକ୍ସିକୋ ଟିମ୍ ସ୍ଥାନ ପାଇଛନ୍ତି।

ୱାର୍ଲ୍ଡ ରାଙ୍କିଙ୍ଗରେ ପଞ୍ଚମ ସ୍ଥାନରେ ରହିଥିବା ଭାରତ ଦୃଢ଼ ଦାବିଦାର ଭାବେ ମଇଦାନକୁ ଓହ୍ଲାଇବ, କାରଣ ବାକି ଟିମ୍ ତୁଳନାରେ ଭାରତର ପ୍ରଦର୍ଶନର ଗ୍ରାଫ୍ ବହୁତ ଉନ୍ନତ। ଦକ୍ଷିଣ ଆଫ୍ରିକା ଓ ଜାପାନ ଯଥାକ୍ରମେ ରାଙ୍କିଙ୍ଗର ୧୬ତମ ଓ ୧୮ତମ ସ୍ଥାନରେ ଅଛନ୍ତି।

ଗୁରୁବାର ଭାରତ ତା'ର ପ୍ରଥମ ମ୍ୟାଚରେ ରୁଷକୁ ଭେଟିବ। ଏହି ମ୍ୟାଚ୍ ଭାରତ ପାଇଁ ସହଜ ହେବ ବୋଲି ଆଶା କରାଯାଉଛି। ଭାରତକୁ ଶୀର୍ଷରେ ରହିବାକୁ ହେଲେ ନକଆଉଟ୍ ପର୍ଯ୍ୟାୟରେ ବିପର୍ଯ୍ୟୟରୁ ବର୍ତ୍ତିବାକୁ ପଡ଼ିବ। ଭାରତ ପାଖରେ ଜାକର୍ତ୍ତାରେ ଆୟୋଜିତ ଏସିଆନ୍ ଗେମ୍ସ ଜରିଆରେ ଅଲିମ୍ପିକ୍ସକୁ କ୍ୱାଲିଫାଏ କରିବାର ଭଲ ସୁଯୋଗ ଥିଲା। କିନ୍ତୁ ଭାରତ ସେମିଫାଇନାଲରେ ମ୍ୟାଲେସିୟା ନିକଟରୁ ହାରିଯାଇଥିଲା। ଚଳିତବର୍ଷ ଆଜଲାନ ଶାହ କପ୍ ଫାଇନାଲରେ ମଧ୍ୟ ଭାରତକୁ କୋରିଆ ହରାଇଥିଲା।

ଏଫଆଇଏଚ୍ ସିରିଜ୍ ଫାଇନାଲ୍ସ ଟୋକିଓ ଅଲିମ୍ପିକ୍ସ ପାଇଁ କ୍ୱାଲିଫାଏ କରିବା ପଥରେ ଭାରତୀୟ ଟିମ୍ ପାଇଁ ଏହା ଏକ ନୂଆ ପ୍ରୟାସ ହେବ। ନୂଆ କୋଚ୍ ଗ୍ରାହାମ ରିଡଙ୍କ ପାଇଁ ମଧ୍ୟ ଏହା ପ୍ରଥମ ଚ୍ୟାଲେଞ୍ଜ ହେବ, ଯାହାଙ୍କୁ ଏପ୍ରିଲରେ ହରେନ୍ଦ୍ର ସିଂହଙ୍କ ସ୍ଥାନରେ କୋଚ୍ ଭାବେ ନିଯୁକ୍ତି କରାଯାଇଥିଲା। ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ହରେନ୍ଦ୍ରଙ୍କୁ କୋଚ୍ ପଦରୁ ହରାଇ ଦିଆଯାଇଥିଲା। ଅଷ୍ଟ୍ରେଲିଆ ପୁରୁଷ ଟିମର ପୂର୍ବତନ କୋଚ୍ ରିଡଙ୍କ ପାଖରେ ସେତେଟା ସମୟ ନାହିଁ ଏବଂ ତାଙ୍କୁ ତୁରନ୍ତ ଫଳାଫଳ ଦେବାକୁ ପଡ଼ି। ରୁଷ୍ ପରେ ଭାରତ ତା'ର ଦ୍ୱିତୀୟ ମ୍ୟାଚରେ ପୋଲାଣ୍ଡ ଏବଂ ଜୁନ୍ ୧୦ ତାରିଖରେ ଉଜବେକିସ୍ତାନକୁ ଭେଟିବ।

ଭାରତ ଏହି ଟୁର୍ଣ୍ଣାମେଣ୍ଟକୁ ତା'ର ପୂରା ଶକ୍ତି ସହ ଓହ୍ଲାଇବ। ଆହତ ଯୋଗୁ ପ୍ରାୟ ବର୍ଷକ ପରେ ଟିମକୁ ଫେରିଥିବା ଷ୍ଟ୍ରାଇକର ରମନଦୀପ ସିଂହଙ୍କ ଉପସ୍ଥିତି ଭାରତ ପାଇଁ ଫଳପ୍ରଦ ହୋଇପାରେ। ସିନିୟର ଗୋଲକିପର ପିଆର୍ ଶ୍ରୀଜେଶଙ୍କୁ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ।

ରୂପିନ୍ଦର ପାଲ୍ ସିଂହଙ୍କୁ ବାଦ୍ ଦେଇ ରିଡ୍ ଟିମକୁ ସର୍ତକ କରାଇଛନ୍ତି ଯେ, ତାଙ୍କ ଟିମ୍ କେବଳ ଫର୍ମ ଆଧାରରେ ହିଁ ଚୟନ କରାଯିବ। ରିଡ୍ ପେନାଲ୍ଟି କର୍ଣ୍ଣର ପାଇଁ ହରମନପ୍ରୀତ ସିଂହ, ବରୁନ୍ କୁମାର ଓ ଅମିତ୍ ରୋହିଦାସଙ୍କ ଉପରେ ଭରସା ଦେଖାଇଛନ୍ତି। ମିଡଫିଲ୍ଡରେ ଅଧିନାୟକ ମନପ୍ରୀତ ସିଂହ, ବିବେକ ସାଗର, ନୀଳକଣ୍ଠ ଶର୍ମା ଓ ହାର୍ଦ୍ଦିକ ସିଂହଙ୍କ ଉପରେ ସବୁ ଭାର ରହିବ। ଅନ୍ୟପକ୍ଷରେ ଫରୱାର୍ଡ୍ସରେ ଆକାଶଦୀପ ସିଂହ ଓ ମନଦୀପ ସିଂହ ରହିବେ।

ଅଧିନାୟକ ମନପ୍ରୀତ କହିଛନ୍ତି, "ଆମକୁ ଭଲ ମୁଭ୍ ଓ ଫିନିଶ୍ କରିବାକୁ ପଡ଼ିବ । ଗତ ତିନି ସପ୍ତାହ ହେବ ଆମେ ଏହା ଉପରେ ଅଧିକ କାମ କରିଛୁ। ଶେଷ ମୁହୂର୍ତ୍ତରେ ହେଉଥିବା ଭୁଲରୁ ଆମକୁ ଶିଖିବାକୁ ପଡ଼ିବ। ତେଣୁ ନିର୍ଣ୍ଣାୟକ ସମୟରେ ଗୋଲ୍ କରିବା ଉପରେ ଅଧିକ ଗୁରୁତ୍ୱ ଦେଉଛୁ। ତେଣୁ ମୋଟାମୋଟି ଭାବେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଆମର ପ୍ରସ୍ତୁତି ଭଲ ରହିଛି।"

Related story