indian-team
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଗଷ୍ଟ ମାସ ଆଣିଛି ଭାରତୀୟ ହକି ପାଇଁ ଡବଲ୍ ଖୁସି। ଅଗଷ୍ଟ ୧ ତାରିଖରେ ଭାରତୀୟ ପୁରୁଷ ହକି ଦଳ ଏବଂ ଅଗଷ୍ଟ ୨ ତାରିଖରେ ମହିଳା ହକି ଟିମ୍ ଅଲିମ୍ପିକ୍ସ ସେମିଫାଇନାଲରେ ପହଞ୍ଚି ଇତିହାସ ରଚିଛନ୍ତି। ପୁରୁଷ ହକି ଟିମ୍ ୪୯ ବର୍ଷ ପରେ ଅଲିମ୍ପିକ୍ସ ହକି ସେମିଫାଇନାଲକୁ ଯାଇଛନ୍ତି। ସେହିପରି ମହିଳା ହକି ଟିମ୍ ପ୍ରଥମଥର ଲାଗି ଅଲିମ୍ପିକ୍ସର ଅନ୍ତିମ-୪ରେ ସ୍ଥାନ ହାସଲ କରିଛି। ଉଭୟ ଟିମକୁ ଚାରିଆଡ଼ୁ ଶୁଭେଚ୍ଛାରୁ ସୁଅ ଛୁଟୁଛି। ତେବେ ପୁରୁଷ ଓ ମହିଳା ଦଳର ସଫଳତା ପଛରେ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବା କୁହାଯାଉଛି।
ଉଭୟ ପୁରୁଷ ଓ ମହିଳା ଟିମରେ ଓଡ଼ିଶାର ଦୁଇଜଣ ଲେଖାଏ ଖେଳାଳି ରହିଛନ୍ତି। ପୁରୁଷ ଟିମରେ ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସ ରହିଥିବା ବେଳେ ମହିଳା ହକିରେ ଦୀପ୍ ଗ୍ରେସ୍ ଏକ୍କା ଓ ନମିତା ଟପ୍ପୋ ଅଛନ୍ତି। ବୀରେନ୍ଦ୍ର ଓ ଅମିତ୍ ଡିଫେଣ୍ଡର ଭୂମିକା ତୁଲାଉଛନ୍ତି। ସେହିପରି ଦୀପ ଗ୍ରେସ୍ ଏକ୍କା ମଧ୍ୟ ସମାନ ଭୂମିକା ବହନ କରୁଛନ୍ତି। ତେବେ ନମିତାଙ୍କୁ ରିଜର୍ଭ ଖେଳାଳି ଭାବେ ଟିମରେ ସାମିଲ୍ କରାଯାଇଛି। ଏହି ଚାରି ଖେଳାଳି ହକିର ଏନ୍ତୁଡ଼ିଶାଳ କୁହାଯାଉଥିବା ସୁନ୍ଦରଗଡ଼ର। ସୁନ୍ଦରଗଡ଼ ହେଉଛି ଦେଶର ଏଭଳି ଏକ ଜିଲ୍ଲା, ଯେଉଁଠାରେ ପ୍ରତିବର୍ଷ ଶତାଧିକ ହକି ପ୍ରତିଭା ବାହାରୁଛନ୍ତି।
/odisha-reporter/media/post_attachments/2018/02/india-hockey-1200.jpg)
ଅନ୍ୟପକ୍ଷରେ ଭାରତୀୟ ହକି ଟିମର ମୁଖ୍ୟ ପ୍ରାୟୋଜକ ଓଡ଼ିଶା ରହିଛି। ୨୦୧୮ରେ ଭାରତୀୟ ହକିର ଉଭୟ ପୁରୁଷ ଓ ମହିଳା ଦଳର ନୂଆ ସ୍ପନସର୍ ହୋଇଥିଲା ଓଡ଼ିଶା। ଓଡ଼ିଶା ୨୦୨୩ ଯାଏ ଉଭୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ରହିବ। ଭାରତୀୟ ହକି ଟିମ୍କୁ ସ୍ପନସର କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହୋଇଥିଲା। ଗତ ତିନି ବର୍ଷ ଧରି ଭାରତୀୟ ଟିମର ଜର୍ସିରେ ଓଡ଼ିଶାର ନାଁ ଉଲ୍ଲେଖ ରହିଛି। ତେଣୁ କେଉଁଠି ନାଁ କେଉଁଠି ଭାରତୀୟ ହକି ଦଳର ସଫଳତା ପଛରେ ଓଡ଼ିଶାର ଭୂମିକା ନିର୍ଣ୍ଣାୟକ ରହିଛି।
ପୁରୁଷ ହକି ଟିମରେ ସ୍ଥାନ ପାଇଥିବା ଦୁଇ ଓଡ଼ିଆ ଖେଳାଳି ଭାରତୀୟ ଦଳ ପକ୍ଷରୁ ନିୟମିତ ଖେଳିଆସୁଛନ୍ତି। ଭାରତୀୟ ପୁରୁଷ ହକି ଦଳର ଷ୍ଟାର୍ ଡିଫେଣ୍ଡର୍ ବୀରେନ୍ଦ୍ର ଲାକ୍ରା ନିକଟରେ ଭାରତ ପକ୍ଷରୁ ୨୦୦ତମ ମ୍ୟାଚ୍ ଖେଳିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ବୀରେନ୍ଦ୍ରଙ୍କ ପ୍ରତିନିଧିତ୍ୱରେ ଭାରତ ଏସିଆନ୍ ଗେମ୍ସରେ ଥରେ ସ୍ୱର୍ଣ୍ଣ (୨୦୧୪) ଓ ଥରେ ବ୍ରୋଞ୍ଜ (୨୦୧୮) ପଦକ ଜିତିଛି। ବୀରେନ୍ଦ୍ର ମଧ୍ୟ ୨୦୧୩ରେ ଏସିଆ କପ୍ ରୌପ୍ୟ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ। ସେହିପରି ଏସିଆନ୍ସ ଚାମ୍ପିୟନ୍ସ ଟ୍ରଫି (୨୦୧୬ରେ ସ୍ୱର୍ଣ୍ଣ ଓ ୨୦୧୨ରେ ରୌପ୍ୟ), ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ବିଜେତା ଭାରତୀୟ ଦଳର ପ୍ରତିନିଧିତ୍ୱ କରିଥିଲେ। ଏହାବାଦ୍ ବୀରେନ୍ଦ୍ର ହକି ୱାର୍ଲ୍ଡ କପ୍ ଓ ହକି ୱାର୍ଲ୍ଡ ଲିଗରେ ମଧ୍ୟ ଭାରତୀୟ ଦଳର ସଦସ୍ୟ ରହିସାରିଛନ୍ତି।
/odisha-reporter/media/post_attachments/wp-content/uploads/2021/07/Amit-Rohidas-HI.jpg)
ବୀରେନ୍ଦ୍ର ମଧ୍ୟ ୨୦୧୨ ଲଣ୍ଡନ୍ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ଖେଳିଥିଲେ। ସେହିପରି ଅମିତ୍ ଭାରତ ପକ୍ଷରୁ ୧୦୦ରୁ ଅଧିକ ମ୍ୟାଚ୍ ଖେଳିସାରିଛନ୍ତି। ଡିଫେଣ୍ଡର ଭାବେ ଉଭୟ ବୀରେନ୍ଦ୍ର ଓ ଅମିତଙ୍କ ପ୍ରଦର୍ଶନ ଭାରତ ପାଇଁ ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଯେଉଁ କାରଣରୁ ଦୁହେଁ ନିୟମିତ ଭାବେ ଭାରତୀୟ ଦଳରେ ସ୍ଥାନ ପାଇଆସୁଛନ୍ତି।
/odisha-reporter/media/post_attachments/editor/2021/07/0374c-16273776432494-800.jpg)
ସେହିପରି ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ମହିଳା ଡିଫେଣ୍ଡର୍ କୁହାଯାଉଥିବା ଦୀପ ଗ୍ରେସ୍ ଏକ୍କା ୨୦୦ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ଅଭିଜ୍ଞତା ରଖିଛନ୍ତି। ସେ ମଧ୍ୟ ଦୁଇଟି ଏସିଆନ୍ ଗେମ୍ସ (୨୦୧୮ ଓ ୨୦୧୪) ଖେଳିଛନ୍ତି। ଦୀପ ଗ୍ରେସଙ୍କ ପାଇଁ ସବୁଠାରୁ ବଡ଼ ସଫଳତା ଥିଲା ୨୦୧୬ ରିଓ ଅଲିମ୍ପିକ୍ସ। କାରଣ ଭାରତୀୟ ମହିଳା ହକି ଦଳ ୩୬ ବର୍ଷ ପରେ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଥିଲା। ଦୀପ୍ ପଦାର୍ପଣ ପରଠାରୁ ନିୟମିତ ଭାବେ ଜାତୀୟ ଦଳର ସଦସ୍ୟ ରହିଆସିଛନ୍ତି। ଦୀପଙ୍କୁ ଅଲିମ୍ପିକ୍ସ ପାଇଁ ଭାରତୀୟ ମହିଳା ଦଳର ଭାଇସ୍ କ୍ୟାପଟେନ୍ କରାଯାଇଛି। ରକ୍ଷଣପଂକ୍ତିରେ ଦୀପଙ୍କ ଉପସ୍ଥିତି ଭାରତ ପାଇଁ ସର୍ବଦା ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/08/indian-team.jpg)