ଟି-୨୦ ରାଙ୍କିଙ୍ଗରେ କୋହଲିଙ୍କ ଅବନତି

ଦୁବାଇ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ସଦ୍ୟ ପ୍ରକାଶିତ ଆଇସିସି ଟି-୨୦ ରାଙ୍କିଙ୍ଗରେ ଦଶମ ସ୍ଥାନକୁ ଖସି ଆସିଛନ୍ତି। ତେବେ ସୀମିତ ଓଭର ଫର୍ମାଟରେ ଚମତ୍କାର ଫର୍ମରେ ଥିବା ଲୋକେଶ ରାହୁଲ୍ ନିଜର ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ରାହୁଲ୍ ୫୬ ହାରରେ ସର୍ବାଧିକ ୨୨୪ ରନ୍ କରିଥିଲେ। ତେବେ କୋହଲି ୪ଟି ଟି-୨୦ ଇନିଂସରେ ମାତ୍ର ୧୦୫ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଏହି କାରଣରୁ […]

kohli

kohli

Ranjit Kumar Jena
  • Published: Monday, 17 February 2020
  • Updated: 17 February 2020, 07:58 PM IST

Sports

Latest News

ଦୁବାଇ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ସଦ୍ୟ ପ୍ରକାଶିତ ଆଇସିସି ଟି-୨୦ ରାଙ୍କିଙ୍ଗରେ ଦଶମ ସ୍ଥାନକୁ ଖସି ଆସିଛନ୍ତି। ତେବେ ସୀମିତ ଓଭର ଫର୍ମାଟରେ ଚମତ୍କାର ଫର୍ମରେ ଥିବା ଲୋକେଶ ରାହୁଲ୍ ନିଜର ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ରାହୁଲ୍ ୫୬ ହାରରେ ସର୍ବାଧିକ ୨୨୪ ରନ୍ କରିଥିଲେ। ତେବେ କୋହଲି ୪ଟି ଟି-୨୦ ଇନିଂସରେ ମାତ୍ର ୧୦୫ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଏହି କାରଣରୁ କୋହଲିଙ୍କୁ ଗୋଟିଏ ସ୍ଥାନର କ୍ଷତି ହୋଇଛି।

କୋହଲିଙ୍କ ନବମ ସ୍ଥାନ ଉପରେ ଦଖଲ କରିଛନ୍ତି ଇଂଲଣ୍ଡ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ । ମୋର୍ଗାନ୍ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ୧୩୬ ରନ୍ କରିଥିଲେ। ସେ ମଧ୍ୟ ଅନ୍ତିମ ଟି-୨୦ ମ୍ୟାଚରେ ବିସ୍ଫୋରକ ଅର୍ଦ୍ଧଶତକ ମାରି ଇଂଲଣ୍ଡକୁ ୨-୧ରେ ବିଜୟୀ କରାଇଥିଲେ। ସେହିପରି ଦକ୍ଷିଣ ଆଫ୍ରିକା ଟି-୨୦ ଦଳର କ୍ୟାପଟେନ୍ କ୍ୱିଣ୍ଟନ୍ ଡି'କକ୍ ୧୦ଟି ସ୍ଥାନ ଉପରକୁ ଉଠି ୧୬ଶ ସ୍ଥାନରେ ପହଞ୍ଚିଛନ୍ତି। ଡି'କକ୍ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ଯଥାକ୍ରମେ ୩୧, ୬୫ ଓ ୩୫ ରନର ଇନିଂସ୍ ଖେଳିଥିଲେ।

ଡି'କକଙ୍କ ଓପନିଂ ପାର୍ଟନର୍ ତେମ୍ବା ବାଭୁମା ୫୨ତମ ସ୍ଥାନକୁ ଉଠିଛନ୍ତି। ବାଭୁମା ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ୧୫୩.୭୫ ଷ୍ଟ୍ରାଇକରେଟରେ ୧୨୩ ରନ୍ କରିଥିଲେ। ଇଂଲଣ୍ଡର ଓପନିଂ ବ୍ୟାଟ୍ସମ୍ୟାନ୍ ଜନ୍ନି ବେୟାରଷ୍ଟୋ ଓ ଦକ୍ଷିଣ ଆଫ୍ରିକାର ରାସି ଭାନ୍ ଡର୍ ଡୁସେନ୍ ଯଥାକ୍ରମେ ୧୫ ଓ ୨୧ଟି ସ୍ଥାନ ଉପରକୁ ଉଠି କ୍ୟାରିୟରର ଶ୍ରେଷ୍ଠ ୨୩ତମ ଓ ୩୭ତମ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ଡେବିଡ୍ ମଲାନଙ୍କୁ ଗୋଟିଏ ସ୍ଥାନର କ୍ଷତି ହୋଇଛି ଏବଂ ସେ ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ପାକିସ୍ତାନର ଯୁବ ବ୍ୟାଟ୍ସମ୍ୟାନ୍ ବାବର ଆଜମ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ତାଙ୍କ ପରେ ରାହୁଲ୍ ଦ୍ୱିତୀୟ, ଅଷ୍ଟ୍ରେଲିଆ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ତୃତୀୟ ସ୍ଥାନରେ ରହିଛନ୍ତି।

ଦିନିକିଆ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହରାଇଥିବା ଭାରତର ଷ୍ଟାର୍ ପେସ୍ ବୋଲର ଯଶପ୍ରୀତ ବୁମ୍ରା ଟି-୨୦ ରାଙ୍କିଙ୍ଗରେ ଦ୍ୱାଦଶ ସ୍ଥାନରେ ସ୍ଥିର ରହିଛନ୍ତି। ତାଙ୍କ ପରେ ୱେଷ୍ଟଇଣ୍ଡିଜର ଶେଲଡନ୍ କଟ୍ଟରେଲ୍ ୧୩ଶ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ୫ ୱିକେଟ୍ ଦଖଲ କରିଥିବା ଇଂଲଣ୍ଡର ଟମ୍ କୁରାନ୍ ଏକାଥରକେ ୨୮ଟି ସ୍ଥାନ ଉପରକୁ ଉଠି ଟପ୍‌-୩୦ରେ ପ୍ରବେଶ କରିଛନ୍ତି। ତେବେ ଆଫଗାନିସ୍ତାନର ରଶିଦ୍ ଖାନ୍ ବୋଲରଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନ ବଜାୟ ରଖିଥିବା ବେଳେ ଅଲରାଉଣ୍ଡରଙ୍କ ମଧ୍ୟରେ ମଦମ୍ମଦ ନବି ମଧ୍ୟ ଶୀର୍ଷ ସ୍ଥାନ କାଏମ ରଖିଛନ୍ତି। ଦଳଗତ ରାଙ୍କିଙ୍ଗରେ ଭାରତ ଚତୁର୍ଥ ସ୍ଥାନ ସୁରକ୍ଷିତ ରହିଥିବା ବେଳେ ଇଂଲଣ୍ଡ ତୃତୀୟ ସ୍ଥାନରେ ରହିଛି। ପାକିସ୍ତାନ ଏକ ନମ୍ବର ସ୍ଥାନ ବଜାୟ ରଖିଥିବା ବେଳେ ଅଷ୍ଟ୍ରେଲିଆ ଦ୍ୱିତୀୟରେ ବଳବତ୍ତର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos