ଆଇସିସି ଟେଷ୍ଟ ରାଙ୍କିଙ୍ଗ୍: କୋହଲିଙ୍କଠାରୁ ବହୁ ଆଗରେ ସ୍ମିଥ୍

ଦୁବାଇ: ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ଓ ପେସ୍ ବୋଲର ପ୍ୟାଟ୍ କମିନ୍ସ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ରବିବାର ଆଶେସ୍ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚକୁ ୧୩୫ ରନରେ ଜିତି ଇଂଲଣ୍ଡ ସିରିଜକୁ ୨-୨ରେ ଡ୍ର’ କରିଥିଲା। ସୋମବାର ଆଇସିସି ପକ୍ଷରୁ ଜାରି ହୋଇଥିବା ଟେଷ୍ଟ ରାଙ୍କିଙ୍ଗର ଶୀର୍ଷ ସ୍ଥାନ ଗୁଡ଼ିକରେ ସେଭଳି ପରିବର୍ତ୍ତନ ହୋଇନାହିଁ। ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ନୂଆ ରାଙ୍କିଙ୍ଗରେ ଅଷ୍ଟ୍ରେଲିଆର ସ୍ମିଥଙ୍କ […]

smith

Ranjit Kumar Jena
  • Published: Monday, 16 September 2019
  • , Updated: 16 September 2019, 04:51 PM IST

ଦୁବାଇ: ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ଓ ପେସ୍ ବୋଲର ପ୍ୟାଟ୍ କମିନ୍ସ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ରବିବାର ଆଶେସ୍ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚକୁ ୧୩୫ ରନରେ ଜିତି ଇଂଲଣ୍ଡ ସିରିଜକୁ ୨-୨ରେ ଡ୍ର' କରିଥିଲା। ସୋମବାର ଆଇସିସି ପକ୍ଷରୁ ଜାରି ହୋଇଥିବା ଟେଷ୍ଟ ରାଙ୍କିଙ୍ଗର ଶୀର୍ଷ ସ୍ଥାନ ଗୁଡ଼ିକରେ ସେଭଳି ପରିବର୍ତ୍ତନ ହୋଇନାହିଁ।

ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ନୂଆ ରାଙ୍କିଙ୍ଗରେ ଅଷ୍ଟ୍ରେଲିଆର ସ୍ମିଥଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। କୋହଲିଙ୍କ ନାଁରେ ୯୦୩ ରେଟିଂ ପଏଣ୍ଟ ରହିଛି। ଅନ୍ତିମ ଟେଷ୍ଟରେ ଯଥାକ୍ରମେ ୮୦ ଓ ୨୩ ରନର ଇନିଂସ୍ ଖେଳିଥିବା ସ୍ମିଥ୍ କୋହଲିଙ୍କଠାରୁ ୩୪ ପଏଣ୍ଟ ଆଗରେ ଅଛନ୍ତି। ବର୍ତ୍ତମାନ ସ୍ମିଥ୍ ୯୩୭ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଛନ୍ତି। ସ୍ମିଥ୍ ଓ କମିନ୍ସଙ୍କ ଦମଦାର ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ଆଶେସ୍ ସିରିଜ୍ ଟ୍ରଫି ନିଜ ପାଖରେ ରଖିବାରେ ସଫଳ ହୋଇଛି।

ଆଶେସ୍ ସିରିଜ୍ ପୂର୍ବରୁ ସ୍ମିଥଙ୍କ ନାଁରେ ୮୫୭ ରେଟିଂ ପଏଣ୍ଟ ଥିଲା, ଯାହା ଫଳରେ ସେ ଚତୁର୍ଥ ସ୍ଥାନରେ ଥିଲେ। ସେ ସିରିଜରେ ମୋଟ ୭୭୪ ପଏଣ୍ଟ ରନ୍ କରିଛନ୍ତି। କମିନ୍ସ ମଧ୍ୟ ଦ୍ୱିତୀୟ ସ୍ଥାନରେ ଥିଲେ ଏବଂ ଆଶେସ୍ ସିରିଜ୍ ପରେ କାଗିସୋ ରବାଡାଙ୍କଠାରୁ ୫୭ ପଏଣ୍ଟ ଆଗରେ ରହି ଶୀର୍ଷ ସ୍ଥାନ କବଜା କରିଛନ୍ତି। କମିନ୍ସ ଆଶେସ୍ ସିରିଜରେ ମୋଟ ୨୯ ୱିକେଟ୍ ନେଇ ସବୁଠାରୁ ସଫଳ ହୋଇଥିଲେ।

ଭାରତର ଯଶପ୍ରୀତ ବୁମ୍ରା ରାଙ୍କିଙ୍ଗର ତୃତୀୟ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର ମାଥ୍ୟୁ ୱେଡ୍ ଓ ମିଚେଲ୍ ମାର୍ଶ ମଧ୍ୟ ରାଙ୍କିଙ୍ଗରେ ସୁଧାର ଆଣିଛନ୍ତି। ୱେଡ୍ ରବିବାର ନିଜର ଚତୁର୍ଥ ଟେଷ୍ଟ ଶତକ ମାରିଥିଲେ, ଯାହା ଫଳରେ ସେ ୩୨ଟି ସ୍ଥାନ ଉପରକୁ ଉଠି ୭୯ତମ ସ୍ଥାନରେ ପହଞ୍ଚିଛନ୍ତି। ପ୍ରଥମଥର ୫ ୱିକେଟ୍ ନେଇଥିବା ମାର୍ଶଙ୍କୁ ୨୦ଟି ସ୍ଥାନର ଫାଇଦା ହୋଇଛି ଏବଂ ସେ ୫୪ତମ ସ୍ଥାନରେ ପହଞ୍ଚିଛନ୍ତି। ମାର୍ଚ୍ଚ, ୨୦୧୭ ପରେ ଏହା ତାଙ୍କର ସର୍ବଶ୍ରେଷ୍ଠ ରାଙ୍କିଙ୍ଗ୍।

ଡେଭିଡ୍ ୱାର୍ଣ୍ଣରଙ୍କୁ ୭ଟି ସ୍ଥାନର କ୍ଷତି ହୋଇଛି, ଯାହା ଫଳରେ ସେ ଏବେ ୨୪ତମ ସ୍ଥାନକୁ ଖସି ଆସିଛନ୍ତି। ୱାର୍ଣ୍ଣର ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜର ୧୦ ଇନିଂସରେ ମାତ୍ର ୯୫ ରନ୍ କରିଛନ୍ତି। ସିରିଜ୍ ଆରମ୍ଭ ପୂର୍ବରୁ ୱାର୍ଣ୍ଣର ପଞ୍ଚମ ସ୍ଥାନରେ ଥିଲେ, କିନ୍ତୁ ଲଗାତାର ୧୦ ଇନିଂସରେ ଖରାପ ପ୍ରଦର୍ଶନ ଦ୍ୱାରା ସେ ଏକାଥରକେ ୧୯ଟି ସ୍ଥାନ ଖସିଆସିଛନ୍ତି। ଇଂଲଣ୍ଡର ଜୋଫ୍ରା ଆର୍ଚର୍ ପ୍ରଥମଥର ଶୀର୍ଷ ୪୦ ଭିତରେ ସ୍ଥାନ ହାସଲ କରିବାରେ ସଫଳ ହୋଛନ୍ତି। ସେ ପଞ୍ଚମ ଟେଷ୍ଟରେ ୬ଟି ୱିକେଟ୍ ନେଇଥିଲେ।

Related story