କରୋନା ଯୋଗୁ ପ୍ରଭାବିତ ହେବ ଭାରତର ଅଷ୍ଟ୍ରେଲିଆ ଗସ୍ତ!

ନୂଆଦିଲ୍ଲୀ: କରୋନା ପାଇଁ କ୍ରିକେଟ୍ ମଇଦାନ ଖାଁ ଖାଁ। କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ସରକାର ଆଗାମୀ ୬ମାସ ପର୍ଯ୍ୟନ୍ତ ତା’ର ସୀମା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ଯଦି ଏହି ନିଷ୍ପତ୍ତି କାଏମ ରୁହେ, ତାହେଲେ ଭାରତର ଫ୍ୟୁଚର୍ ଟୁର୍ ପ୍ରୋଗ୍ରାମ (ଏଫଟିପି) ଉପରେ ଏହାର ପ୍ରଭାବ ପଡ଼ିପାରେ। ଚଳିତ ଏଫଟିପିରେ ଭାରତ ଅଷ୍ଟ୍ରେଲିଆ ଗସ୍ତ ସାମିଲ୍ ଅଛି। ଭାରତର ଅଷ୍ଟ୍ରେଲିଆ ଗସ୍ତ ଅକ୍ଟୋବରରେ ଟି-୨୦ ଟ୍ରାଇସିରିଜରୁ ଆରମ୍ଭ ହୋଇ ଡିସେମ୍ବରରେ ଟେଷ୍ଟ ସିରିଜ୍ […]

aus

Ranjit Kumar Jena
  • Published: Sunday, 29 March 2020
  • , Updated: 29 March 2020, 08:35 PM IST

ନୂଆଦିଲ୍ଲୀ: କରୋନା ପାଇଁ କ୍ରିକେଟ୍ ମଇଦାନ ଖାଁ ଖାଁ। କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ସରକାର ଆଗାମୀ ୬ମାସ ପର୍ଯ୍ୟନ୍ତ ତା'ର ସୀମା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ଯଦି ଏହି ନିଷ୍ପତ୍ତି କାଏମ ରୁହେ, ତାହେଲେ ଭାରତର ଫ୍ୟୁଚର୍ ଟୁର୍ ପ୍ରୋଗ୍ରାମ (ଏଫଟିପି) ଉପରେ ଏହାର ପ୍ରଭାବ ପଡ଼ିପାରେ। ଚଳିତ ଏଫଟିପିରେ ଭାରତ ଅଷ୍ଟ୍ରେଲିଆ ଗସ୍ତ ସାମିଲ୍ ଅଛି। ଭାରତର ଅଷ୍ଟ୍ରେଲିଆ ଗସ୍ତ ଅକ୍ଟୋବରରେ ଟି-୨୦ ଟ୍ରାଇସିରିଜରୁ ଆରମ୍ଭ ହୋଇ ଡିସେମ୍ବରରେ ଟେଷ୍ଟ ସିରିଜ୍ ସହ ଶେଷ ହେବ। ଏହା ମଧ୍ୟରେ ଅକ୍ଟୋବର ୧୮ରୁ ଟି-୨୦ ବିଶ୍ୱକପ୍ ମଧ୍ୟ ଆରମ୍ଭ ହେବ, କିନ୍ତୁ ବୈଷୟିକ ସ୍ୱାସ୍ଥ୍ୟ ସଙ୍କଟ ଯୋଗୁ ଏହାର ଭବିଷ୍ୟତ ଉପରେ ଅନିଶ୍ଚିତତାର ବାଦଲ ଦେଖା ଦେଇଛି। ଅଷ୍ଟ୍ରେଲିଆରେ କୋଭିଡ୍‌-୧୯ ପ୍ରକୋପ କାରଣରୁ ୨ହଜାରରୁ ଅଧିକ ଲୋକେ ଆକ୍ରାନ୍ତ ହୋଇଥିବା ବେଳେ ୧୬ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ଏଭଳି ଭୟାବହ ବାତାବରଣକୁ ଆଖି ଆଗରେ ରଖି ଅଷ୍ଟ୍ରେଲିଆ ସରକାର ସୀମାଗୁଡ଼ିକୁ ବନ୍ଦ କରିଦେଇଛନ୍ତି।

ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତା ବିଶିଷ୍ଟ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)କୁ ଏହି ମହାମାରୀ ଯୋଗୁ ବିକଳ୍ପ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିପାରେ। ବିସିସିଆଇ ଏପର୍ଯ୍ୟନ୍ତ ଆଇପିଏଲର ୧୩ଶ ସଂସ୍କରଣର ଆୟୋଜନ ଉପରେ ଅନ୍ତିମ ନିଷ୍ପତ୍ତି ନେଇନାହିଁ। ଏହାସହ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାଲେଣ୍ଡର୍ ମଧ୍ୟ ଚିନ୍ତାର ବିଷୟ ରହିଛି, କାରଣ ଏଥିରେ ଶ୍ରୀଲଙ୍କା (ଦିନିକିଆ ଓ ଟି-୨୦), ଜିମ୍ବାୱେ ଗସ୍ତ, ଏସିଆ (ଟି-୨୦) ଓ ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ୍ ସାମିଲ୍ ଅଛି।

ଯାତ୍ରା ସମ୍ବନ୍ଧିତ ୬ମାସର ପ୍ରତିବନ୍ଧ ହେବା ଦ୍ୱାରା ଆଗାମୀ ଦିନରେ ହେବାକୁଥିବା ଟୁର୍ଣ୍ଣାମେଣ୍ଟ ପାଇଁ କୌଣସି ଟିମକୁ ଅଷ୍ଟ୍ରେଲିଆରେ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ, ଏଥିରେ ଟି-୨୦ ବିଶ୍ୱକପ୍ ଏବଂ ଭାରତ ଗସ୍ତ ମଧ୍ୟ ସାମିଲ୍ ଅଛି। ଏହାର ସୂଚନା ରଖୁଥିବା ବିସିସିଆଇର ଜଣେ ଅଧିକାରୀ ନିଜ ନାଁ ଗୁପ୍ତ ରଖି କହିଛନ୍ତି, ବର୍ତ୍ତମାନ ସମୟରେ କିଛି ବି କହିହେବ ନାହିଁ। ଅଷ୍ଟ୍ରେଲିଆରେ ବର୍ତ୍ତମାନ ୬ମାସାର ଯାତ୍ରା ଉପରେ ପ୍ରତିବନ୍ଧ ରହିଛି। ଆଗାମୀ ଦିନରେ ଯଦି ପରିସ୍ଥିତି ନିୟନ୍ତ୍ରଣକୁ ଆସେ, ତାହେଲେ ଏହା ଉପରେ କୌଣସି ନିଷ୍ପତ୍ତି ନିଆଯାଇପାରେ।

ଯେଉଁମାନେ ଏଫଟିପି କ୍ୟାଲେଣ୍ଡର ସମ୍ବନ୍ଧରେ ଅବଗତ ଅଛନ୍ତି, ସେମାନେ ସ୍ୱୀକାର କରିଛନ୍ତି ଯେ ଏଭଳି ପରିସ୍ଥିତିରେ ବ୍ୟାବହାରିକ ସମସ୍ୟା ଟି-୨୦ ସିରିଜରେ ହିଁ ଅଧିକ ହୋଇପାରେ, ଯାହା ଅକ୍ଟୋବରରୁ ଆରମ୍ଭ ହେବ ଏବଂ ଏଥିରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ସାମିଲ୍ ଅଛି। ବିସିସିଆଇର ଅନ୍ୟ ଏକ ସୂତ୍ରରୁ କୁହାଯାଇଛି ଯେ ଯଦି ଅନ୍ତର୍ଜାତୀୟ ଯାତ୍ରା ଉପରେ ୬ମାସ ପର୍ଯ୍ୟନ୍ତ ପ୍ରତିବନ୍ଧ ଲାଗି ରହିବ, ତାହେଲେ ଏହା ଲଜିଷ୍ଟିକାଲ୍ ଦୁଃସ୍ୱପ୍ନ ହେବ। ବିଶେଷକରି ଟି-୨୦ ବିଶ୍ୱକପ୍ ପୂର୍ବରୁ ହେବାକୁଥିବା ଟି-୨୦ ଟ୍ରାଇସିରିଜ୍ ଉପରେ ଏହାର ପ୍ରଭାବ ପଡ଼ିବ। ଭିସା, ଟିକେଟ୍ ପ୍ରସ୍ତୁତ କରିବା ଆଦି ସବୁକିଛି ଚ୍ୟାଲେଞ୍ଜିଂ ହୋଇଯିବ। କେବଳ ଅଷ୍ଟ୍ରେଲିଆକୁ ନୁହେଁ ବରଂ ଇଂଲଣ୍ଡକୁ ମଧ୍ୟ ସେପ୍ଟେମ୍ବରରେ ସୀମିତ ଓଭର ସିରିଜ୍ ପାଇଁ ଭାରତ ଗସ୍ତ କରିବାକୁ ଅଛି। ଯଦି ସେହି ସମୟରେ ବ୍ରିଟେନରେ ପରିସ୍ଥିତି ସାମାନ୍ୟ ହୋଇଥିବ, ତାହେଲେ ଖେଳାଳିମାନଙ୍କୁ ଯାତ୍ରା କରିବାକୁ ଅନୁମତି ମିଳିବ। ତେଣୁ ଏସବୁ ବର୍ତ୍ତମାନ ସମସ୍ତଙ୍କ ପାଇଁ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି।

ବିସିସିଆଇ ସୂତ୍ରରୁ ଆହୁରି କୁହାଯାଇଛି ଯେ ଯଦି ଟି-୨୦ ବିଶ୍ୱକପ୍ ଆୟୋଜିତ ନହୁଏ, ତାହେଲେ ବିଶ୍ୱ ଚାମ୍ପିୟନଶିପ୍ ଆଧାରରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁଥିବା ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ମଧ୍ୟ ପ୍ରଭାବିତ ହେବ। ଗୋଟିଏ କଥା ହେଉଛି, ସବୁ ଦେଶରେ ଭିନ୍ନ ଭିନ୍ନ ପରିସ୍ଥିତି ରହିଛି। ତେଣୁ କେଉଁ ଦେଶରେ ସ୍ଥିତି କ'ଣ ହେଉଛି, ତାକୁ ଅପେକ୍ଷା କରିବାକୁ ପଡ଼ିବ।

ସୂଚନାଯୋଗ୍ୟ, କରୋନାଭାଇରସ୍ ଯୋଗୁ ସାରା ବିଶ୍ୱର କ୍ରୀଡ଼ା ଇଭେଣ୍ଟ ବାତିଲ୍ କିମ୍ବା ସ୍ଥଗିତ ରହିଛି। ଏଭଳି ସ୍ଥିତିରେ କ୍ରିକେଟର ସବୁ ସିରିଜକୁ ମଧ୍ୟ ସ୍ଥଗିତ ରଖାଯାଇଛି। କରୋନାଭାଇରସକୁ ଆଖି ଆଗରେ ରଖି ଆଇସିସି ସମସ୍ତ ବିଶ୍ୱକପ୍ କ୍ୱାଲିଫାୟର୍ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କରିଥିବା ବେଳେ ବିସିସିଆଇ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ୧୩ଶ ସଂସ୍କରଣକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି।

Related story