ଭାରତ-ଦକ୍ଷିଣ ଆଫ୍ରିକା ୪ର୍ଥ ଦିନିକିଆ: ଭାରତ ପାଇଁ ‘କର ବା ମର’ ସ୍ଥିତି

ଚେନ୍ନାଇ: ଚେନ୍ନାଇରେ ଆସନ୍ତାକାଲି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଏକଦିବସୀୟ ମ୍ୟାଚ ଖେଳାଯିବ । ଗାନ୍ଧୀ-ମାଣ୍ଡେଲା ଫ୍ରେଣ୍ଡସିପ ସିରିଜର ଏହି ମ୍ୟାଚ ଭାରତ ପାଇଁ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି। ସିରିଜ ବରାବର କରିବାକୁ ହେଲେ ଭାରତକୁ ଏହି ମ୍ୟାଚ ଜିତିବାକୁ ପଡିବ। ତେବେ ଭାରତର ମୁଣ୍ଡବିନ୍ଧାର କାରଣ ସାଜିଛି ମିଡିଲ ଅଡର ବ୍ୟାଟ୍ସମ୍ୟାନ ସୁରେଶ ରାଇନାଙ୍କ ଖରାପ ଫର୍ମ । ଅନ୍ୟପକ୍ଷରେ ଏହି ପିଚରେ ଗତ ୫ଟି ମ୍ୟାଚରୁ ଭାରତ ୩ଟି ମ୍ୟାଚ ଜିତି ଥିଲାବେଳେ ୨ଟି ମ୍ୟାଚରେ ପରାଜିତ ହୋଇଛି।

ରାଜକୋଟରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ହାରିବା ପରେ ସିରିଜ ଏବେ ୨-୧ ସ୍ଥିତିରେ ରହିଛି। ଏହି ମ୍ୟାଚ ଜିତିଲେ ଦକ୍ଷିଣ ଆଫ୍ରିକା ଦଳ ସିରିଜ ଜିତିଯିବ। ଏଥିପାଇଁ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ପ୍ରତି ଗୁରୁତ୍ୱ ଦେଇଛି ଦକ୍ଷିଣ ଆଫ୍ରିକା। ତେବେ ଦକ୍ଷିଣ ଆଫ୍ରିକା ଏହି ପିଚରେ ଗତ ୫ଟି ମ୍ୟାଚରେ ୩ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୨ଟି ମ୍ୟାଚରେ ପରାଜିତ ହୋଇଛି।