ଦିନିକିଆ ସିରିଜ୍ ଜିତିଲା ଭାରତ-ଏ

ଥିରୁଅନନ୍ତପୁରମ୍: କ୍ୟାପଟେନ୍ ମନିଷ ପାଣ୍ଡେ ଦମଦାର ବ୍ୟାଟିଂ ଓ ଶିବମ ଦୁବେଙ୍କ ବିସ୍ଫୋରକ ଇନିଂସକୁ ଆଧାର କରି ଭାରତ-ଏ ଏଠାରେ ଅନୁଷ୍ଠିତ ତୃତୀୟ ଅନଅଫିସିଆଲ୍ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୪ ୱିକେଟରେ ପରାସ୍ତ କରିଛି। ଏଥିସହ ଭାରତ-ଏ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ ଆଗୁଆ କବଜା କରିନେଇଛି। ସିରିଜର ଶେଷ ଦୁଇଟି ମ୍ୟାଚ୍ ୪ ଏବଂ ୬ ତାରିଖରେ ଖେଳାଯିବ। ସୋମବାର ମ୍ୟାଚ୍ ମଧ୍ୟ ବର୍ଷା ବାଧାପ୍ରାପ୍ତ ହୋଇଥିଲା, ଯେଉଁକାରଣରୁ ମ୍ୟାଚକୁ ୩୦ ଓଭର ବିଶିଷ୍ଟ କରାଯାଇଥିଲା। […]

manish

Ranjit Kumar Jena
  • Published: Monday, 02 September 2019
  • , Updated: 02 September 2019, 06:11 PM IST

ଥିରୁଅନନ୍ତପୁରମ୍: କ୍ୟାପଟେନ୍ ମନିଷ ପାଣ୍ଡେ ଦମଦାର ବ୍ୟାଟିଂ ଓ ଶିବମ ଦୁବେଙ୍କ ବିସ୍ଫୋରକ ଇନିଂସକୁ ଆଧାର କରି ଭାରତ-ଏ ଏଠାରେ ଅନୁଷ୍ଠିତ ତୃତୀୟ ଅନଅଫିସିଆଲ୍ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୪ ୱିକେଟରେ ପରାସ୍ତ କରିଛି। ଏଥିସହ ଭାରତ-ଏ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ ଆଗୁଆ କବଜା କରିନେଇଛି। ସିରିଜର ଶେଷ ଦୁଇଟି ମ୍ୟାଚ୍ ୪ ଏବଂ ୬ ତାରିଖରେ ଖେଳାଯିବ।

ସୋମବାର ମ୍ୟାଚ୍ ମଧ୍ୟ ବର୍ଷା ବାଧାପ୍ରାପ୍ତ ହୋଇଥିଲା, ଯେଉଁକାରଣରୁ ମ୍ୟାଚକୁ ୩୦ ଓଭର ବିଶିଷ୍ଟ କରାଯାଇଥିଲା। ଦକ୍ଷିଣ ଆଫ୍ରିକା-ଏ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ୍ ବିନିମୟରେ ୨୦୭ ରନ୍ କରିଥିଲା। ଜବାବରେ ଭାରତ-ଏ ୨୭.୫ ଓଭରରେ ୬ ୱିକେଟ୍ ହରାଇ ୨୦୮ ରନ୍ କରି ବିଜୟୀ ହୋଇଛି। କ୍ୟାପଟେନ୍ ମନିଷ ପାଣ୍ଡେ ସର୍ବାଧିକ ୮୧ (୫୯ ବଲ୍, ୩ ଚୌକା, ୫ ଛକା) ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

୨୦୮ ରନର ଲକ୍ଷ୍ୟର ପିଛା କରୁଥିବା ଭାର-ଏ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଟିମ୍ ୨୬ ରନରେ ଋତୁରାଜ ଗାଏକ୍ୱାଡ (୧), ରିକି ଭୁଇ (୦) ଓ କୃନାଲ୍ ପାଣ୍ଡ୍ୟା (୧୩)ଙ୍କୁ ହରାଇଥିଲା। ତେବେ ଇଶାନ୍ କିଶନ ଓ ମନିଷ ଚତୁର୍ଥ ୱିକେଟ୍ ପାଇଁ ୭୦ ରନର ଭାଗୀଦାରୀ କରି ଭାରତ-ଏ'କୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। କିଶନ୍ ୪୧ ବଲରେ ୪ ଚୌକା ଓ ୧ ଛକା ସହ ୪୦ ରନ୍ କରି ଆଉଟ୍ ହୋଇଥିଲେ।

ଏହା ପରେ କ୍ୟାପଟେନ୍ ମନିଷ ଆକ୍ରମଣାତ୍ମକ ବ୍ୟାଟିଂ କରି ଟିମ୍ ଉପରୁ ଚାପ ହଟାଇଥିଲେ। ସେ ନୀତୀଶ ରାଣା (୧୩)ଙ୍କ ସହ ୩୭ ଏବଂ ଶିବମ ଦୁବେଙ୍କ ସହ ୪୧ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ। ଟିମର ସ୍କୋର ୧୭୪ ଥିବା ବେଳେ ମନିଷଙ୍କୁ ଜୋର୍ନ ଫର୍ଚ୍ୟୁନ୍ ଆଉଟ୍ କରି ଭ୍ରମଣକାରୀ ଦଳକୁ ବଡ଼ ସଫଳତା ଦେଇଥିଲେ। କିନ୍ତୁ ଏହି ସମୟରେ ଶିବମ ଚମତ୍କାର ବ୍ୟାଟିଂ କରି ଭାରତ-ଏ'କୁ ବିଜୟୀ କରାଇଥିଲେ। ସେ ୨୮ ବଲରେ ୨ ଚୌକା ଓ ୩ ଛକା ସହ ୪୫ ରନ୍ କରି ଅପରାଜିତ ଥିଲେ। ତାଙ୍କ ସହ ଅକ୍ଷର ପଟେଲ୍ (୭) ମଧ୍ୟ ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା-ଏ ପକ୍ଷରୁ ନୋର୍ଟଜେ ଓ ଲିଣ୍ଡେ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

ଏହା ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା-ଏ ଭଲ ଆରମ୍ଭ ସତ୍ତେ୍ୱ ବଡ଼ ସ୍କୋର ଛିଡ଼ା କରିପାରିନଥିଲା। ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ରୀଜା ହେଣ୍ଡ୍ରିକ୍ସ (୯)ଙ୍କୁ ଦୀପକ ଚହର୍ ଆଉଟ୍ କରି ଘରୋଇ ଦଳକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ଏହା ପରେ ଜାନେମନ୍ ମଲାନ୍ (୩୭) ଓ ମାଥ୍ୟୁ ବ୍ରିଜକେ (୩୬) ଟିମକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ।

କ୍ୟାପଟେନ୍ ତେମ୍ବା ବାଭୁମା (୨୭) ଓ ଖାୟା ଜୋଣ୍ଡୋ (୨୧)ଙ୍କ ଧିମା ବ୍ୟାଟିଂ ଯୋଗୁ ଟିମର ରନରେ ଅଙ୍କୁଶ ଲାଗିଥିଲା। ତେବେ ୱିକେଟକିପର ବ୍ୟାଟ୍ସମ୍ୟାନ୍ ହେନରିଚ୍ କ୍ଲାସେନଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ବଳରେ ଦକ୍ଷିଣ ଆଫ୍ରିକାର ସ୍କୋର ୨୦୦ ଅତିକ୍ରମ କରିପାରିଥିଲା। କ୍ଲାସେନ୍ ମାତ୍ର ୨୧ ବଲରେ ୨ ଚୌକା ଓ ୪ ଛକା ସହ ୪୪ ରନ୍ କରି ଚହରଙ୍କ ଶିକାର ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲିଣ୍ଡା ୧୭ ରନ୍ ଆଉଟ୍ ହୋଇଥିବା ବେଳେ ଫର୍ଚ୍ୟୁନ୍ ୪ ରନ୍ କରି ଅପରାଜିତ ଥିଲେ। ଭାରତ-ଏ ପକ୍ଷରୁ ଚହର୍ ଓ କୃନାଲ୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

Related story