ମହିଳା ଟି-୨୦ ଚ୍ୟାଲେଞ୍ଜର ଟ୍ରଫି: ଫାଇନାଲରେ ଇଣ୍ଡିଆ-ବି ଓ ଇଣ୍ଡିଆ-ସି

କଟକ (ଓଡ଼ିଶା ରିପୋର୍ଟର): ବାରବାଟୀ ଷ୍ଟାଡିୟମରେ ଚାଲିଥିବା ମହିଳା ଟି-୨୦ ଚ୍ୟାଲେଞ୍ଜର ଟ୍ରଫିର ଫାଇନାଲକୁ ଉନ୍ନୀତ ହୋଇଛନ୍ତି ଇଣ୍ଡିଆ-ବି ଓ ଇଣ୍ଡିଆ-ସି। ତେବେ ଲଗାତର ତିନୋଟି ମ୍ୟାଚ୍ ହାରିବା ସହ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଇଣ୍ଡିଆ-ଏ ଟିମ୍ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। ଶୁକ୍ରବାର ସକାଳ ୧୧ଟା ବେଳେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ବୁଧବାର ଭାରତ ବନ୍ଦ ଥିବାରୁ ଗୁରୁବାର ଦୁଇଟି ମ୍ୟାଚ୍ ଖେଳାଯାଇଥିଲା। ଗୁରୁବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ବେଦା କ୍ରିଷ୍ଣମୂର୍ତ୍ତୀଙ୍କ ଇଣ୍ଡିଆ-ସି ୨ ରନରେ ଇଣ୍ଡିଆ-ଏ […]

india-b

Ranjit Kumar Jena
  • Published: Thursday, 09 January 2020
  • , Updated: 09 January 2020, 06:02 PM IST

କଟକ (ଓଡ଼ିଶା ରିପୋର୍ଟର): ବାରବାଟୀ ଷ୍ଟାଡିୟମରେ ଚାଲିଥିବା ମହିଳା ଟି-୨୦ ଚ୍ୟାଲେଞ୍ଜର ଟ୍ରଫିର ଫାଇନାଲକୁ ଉନ୍ନୀତ ହୋଇଛନ୍ତି ଇଣ୍ଡିଆ-ବି ଓ ଇଣ୍ଡିଆ-ସି। ତେବେ ଲଗାତର ତିନୋଟି ମ୍ୟାଚ୍ ହାରିବା ସହ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଇଣ୍ଡିଆ-ଏ ଟିମ୍ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। ଶୁକ୍ରବାର ସକାଳ ୧୧ଟା ବେଳେ ଫାଇନାଲ୍ ମ୍ୟାଚ୍ ଖେଳାଯିବ।

ବୁଧବାର ଭାରତ ବନ୍ଦ ଥିବାରୁ ଗୁରୁବାର ଦୁଇଟି ମ୍ୟାଚ୍ ଖେଳାଯାଇଥିଲା। ଗୁରୁବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ବେଦା କ୍ରିଷ୍ଣମୂର୍ତ୍ତୀଙ୍କ ଇଣ୍ଡିଆ-ସି ୨ ରନରେ ଇଣ୍ଡିଆ-ଏ ଟିମକୁ ପରାସ୍ତ କରିଛି। ସେହିପରି ଅନ୍ୟ ଏକ ମୁକାବିଲାରେ ସ୍ମୃତି ମନ୍ଧାନାଙ୍କ ଇଣ୍ଡିଆ-ବି ଟିମ୍ ୫ ୱିକେଟରେ ଇଣ୍ଡିଆ-ସି'କୁ ହରାଇଛି। ଟୁର୍ଣ୍ଣାମେଣ୍ଟରେ ଇଣ୍ଡିଆ-ବି' ଅପରାଜେୟ ରହି ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିବା ଇଣ୍ଡିଆ-ସି' ଦୁଇଟି ବିଜୟ ସହ ଦ୍ୱିତୀୟରେ ରହିଛି।

ଗୁରୁବାର ସକାଳ ୯ଟା ବେଳେ ଖେଳାଯାଇଥିବା ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଣ୍ଡିଆ-ସି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୩୫ ରନ୍ କରିଥିଲା। ଦଳ ପକ୍ଷରୁ କ୍ୟାପଟେନ୍ କ୍ରିଷ୍ଣମୂର୍ତ୍ତୀ ସର୍ବାଧିକ ଅପରାଜିତ ୪୭ (୨୯ ବଲ୍‌, ୭ ଚୌକା, ୧ ଛକା) ରନ୍ କରିଥିବା ବେଳେ ଓଡ଼ିଶା ଖେଳାଳି ମାଧୁରୀ ମେହେଟ୍ଟା ୩୬ (୩୨ ବଲ୍‌, ୪ ଚୌକା, ୧ ଛକା), ନୁଝତ୍ ପରୱୀନ୍ ୨୬ ଓ ଦୟାଲାନ୍ ହେମଲତା ୧୯ ରନ୍ କରି ଆଉଟ୍ ହୋଇଥିଲେ। ଇଣ୍ଡିଆ-ଏ ପକ୍ଷରୁ ରାଧା ଯାଦବ ୩ଟି ଓ ମେଘନା ସିଂ ଗୋଟିଏ ୱିକେଟ୍ ନେଇଥିଲେ।

ଜବାବରେ ପ୍ରିୟା ପୁନିଆଙ୍କ ଲଢ଼ୁଆ ଇନିଂସ୍ ସତ୍ତ୍ୱେ ଇଣ୍ଡିଆ-ଏ ୨୦ ଓଭରରେ ୯ ୱିକେଟ୍ ହରାଇ ୧୩୩ ରନ୍ କରି ମ୍ୟାଚ୍ ହାରିଯାଇଥିଲା। ପ୍ରିୟା ୪୪ ବଲରେ ୮ ଚୌକା ସହ ସର୍ବାଧିକ ୬୦ ରନ୍ କରିଥିବା ବେଳେ ତାନିୟା ଭାଟିଆ ୩୧ (୧୯ ବଲ୍‌, ୭ ଚୌକା), କ୍ୟାପଟେନ୍ ହରମନପ୍ରୀତ ୧୩, ଭାରତୀ ଫୁଲମାଲି ୧୦ ଓ ମାନସୀ ଯୋଶୀ ଅପରାଜିତ ୧୦ ରନ୍ କରିଥିଲେ। ଇଣ୍ଡିଆ-ସି ପକ୍ଷରୁ ରାଜେଶ୍ୱରୀ ଗାଏକ୍ୱାଡ୍ ଓ ଅରୁନ୍ଧତୀ ରେଡ୍ଡି ୩ଟି ଲେଖାଏ ୱିକେଟ୍ ନେଇଥିଲେ।

ସେହିପରି ଅପରାହ୍ଣ ସାଢ଼େ ଗୋଟାଏ ବେଳେ ଖେଳାଯାଇଥିବା ଦିବସର ଦ୍ୱିତୀୟ ମ୍ୟାଚରେ ଟସ୍ ଜିତି ବ୍ୟାଟିଂ କରିଥିବା ଇଣ୍ଡିଆ-ସି ୨୦ ଓଭରରେ ୮ ୱିକେଟ୍ ହରାଇ ୧୪୮ ରନ୍ କରିଥିଲା। ୧୬ ବର୍ଷୀୟା ଶେଫାଳୀ ବର୍ମା ମାତ୍ର ୩୧ ବଲରେ ୬ ଚୌକା ଓ ୨ ଛକା ବଳରେ ସର୍ବାଧିକ ୪୬ ରନ୍ କରିଥିବା ବେଳେ ଜିନ୍ସି ଜର୍ଜ ୨୪, ଅରୁନ୍ଧତୀ ୧୯ ଓ ବୃଶାଲି ଭଗତ୍ ୧୫ ରନ୍ କରିଥିଲେ। ଇଣ୍ଡିଆ-ବି ପକ୍ଷରୁ ଓଡ଼ିଶା ସ୍ପିନର ସୁଶ୍ରୀ ଦିବ୍ୟଦର୍ଶିନୀ, ତନୁଜା କନୱର ଓ ରେଣୁକା ସିଂହ ୨ଟି ଲେଖାଏ ୱିକେଟ୍ ପାଇଥିଲେ।

ଜବାବରେ ଇଣ୍ଡିଆ-ବି' ୧୮.୪ ଓଭରରେ ୫ ୱିକେଟ୍ ହରାଇ ୧୫୨ ରନ୍ କରି ବିଜୟୀ ହୋଇଥିଲା। ଦଳ ପକ୍ଷରୁ ପୂଜା ବସ୍ତ୍ରାକର ସର୍ବାଧିକ ୩୭ (୨୧ ବଲ୍‌, ୬ ଚୌକା), ରିଚା ଘୋଷ ୩୬ (୨୬ ବଲ୍‌, ୪ ଚୌକା, ୧ ଛକା), ଭେଲାସ୍ୱାମୀ ବନିତା ୨୬, ମନ୍ଧାନା ୨୪ (୧୧ ବଲ୍‌, ୫ ଚୌକା) ଓ ରବି କଳ୍ପନା ଅପରାଜିୀତ ୨୨ ରନ୍ କରିଥିଲେ।

Related story