ତ୍ରିରାଷ୍ଟ୍ରୀୟ ମହିଳା ଜୁନିୟର ହକି ଟୁର୍ଣ୍ଣାମେଣ୍ଟ ଜିତିଲା ଭାରତ

କ୍ୟାନବେରା (ଅଷ୍ଟ୍ରେଲିଆ): ଭାରତୀୟ ଜୁନିୟର ମହିଳା ଟିମ୍ ରବିବାର ଏଠାରେ ଆୟୋଜକ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ୧-୨ରେ ପରାସ୍ତ ହୋଇଛି। ପରାଜୟ ସତ୍ତ୍ୱେ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହି ଭାରତ ଏହି ତିନି ଦେଶକୁ ନେଇ ଆୟୋଜିତ ଟୁର୍ଣ୍ଣାମେଣ୍ଟ ଜିତି ନେଇଛି। ଭାରତ ଚାରୋଟି ମ୍ୟାଚରୁ ୭ ପଏଣ୍ଟ ହାସଲ କରିଛି। ଆୟୋଜକ ଅଷ୍ଟ୍ରେଲିଆ ମଧ୍ୟ ୪ଟି ମ୍ୟାଚରୁ ୭ ପଏଣ୍ଟ ହାସଲ କରିଛି, କିନ୍ତୁ ଭାରତ ଉନ୍ନତ ଗୋଲ୍ ବ୍ୟବଧାନ କାରଣରୁ ଶୀର୍ଷ ସ୍ଥାନ […]

hockey

Ranjit Kumar Jena
  • Published: Sunday, 08 December 2019
  • , Updated: 08 December 2019, 05:50 PM IST

କ୍ୟାନବେରା (ଅଷ୍ଟ୍ରେଲିଆ): ଭାରତୀୟ ଜୁନିୟର ମହିଳା ଟିମ୍ ରବିବାର ଏଠାରେ ଆୟୋଜକ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ୧-୨ରେ ପରାସ୍ତ ହୋଇଛି। ପରାଜୟ ସତ୍ତ୍ୱେ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହି ଭାରତ ଏହି ତିନି ଦେଶକୁ ନେଇ ଆୟୋଜିତ ଟୁର୍ଣ୍ଣାମେଣ୍ଟ ଜିତି ନେଇଛି। ଭାରତ ଚାରୋଟି ମ୍ୟାଚରୁ ୭ ପଏଣ୍ଟ ହାସଲ କରିଛି।

ଆୟୋଜକ ଅଷ୍ଟ୍ରେଲିଆ ମଧ୍ୟ ୪ଟି ମ୍ୟାଚରୁ ୭ ପଏଣ୍ଟ ହାସଲ କରିଛି, କିନ୍ତୁ ଭାରତ ଉନ୍ନତ ଗୋଲ୍ ବ୍ୟବଧାନ କାରଣରୁ ଶୀର୍ଷ ସ୍ଥାନ ହାସଲ କରିଛି। ଅନ୍ତିମ ମ୍ୟାଚରେ ଭାରତ ପକ୍ଷରୁ ଏକମାତ୍ର ଗୋଲ୍ ଗଗନଦିପ କୌର୍ (୫୩ତମ) ଦେଇଛନ୍ତି। ଏହା ପୂର୍ବରୁ ଆବିଗେଲ୍ ୱିଲସନ୍ (୧୫ତମ)ଙ୍କ ଗୋଲ୍ ବଳରେ ଅଷ୍ଟ୍ରେଲିଆ ଅଗ୍ରଣୀ ହାସଲ କରିଥିଲା। ଏହା ପରେ ଆବିଗେଲ୍ ୫୬ତମ ମିନିଟରେ ଆଉ ଏକ ଗୋଲ୍ ଦେଇ ଅଷ୍ଟ୍ରେଲିଆକୁ ୨-୧ରେ ବିଜୟୀ କରାଇଥିଲେ।

ଭାରତୀୟ ଟିମ୍ ପ୍ରଥମ କ୍ୱାର୍ଟରରେ ଆୟୋଜକ ଟିମ୍ ଉପରେ ଲଗାତାର ଚାପ ପକାଇଥିଲା। ଭାରତ ପ୍ରଥମ ୧୫ ମିନିଟରେ କିଛି ସୁଯୋଗ ସୃଷ୍ଟି କରିଥିଲେ ହେଁ, ଏହାର କୌଣସି ଫାଇଦା ଉଠାଇପାରିନଥିଲା। ଅଷ୍ଟ୍ରେଲିଆକୁ ୧୫ତମ ମିନିଟରେ ମ୍ୟାଚର ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା, ଯାହାକୁ ଆବିଗେଲ୍ ଗୋଲରେ ପରିଣତ କରି ଆୟୋଜକ ଦଳକୁ ୧-୦ରେ ଆଗୁଆ କରାଇଥିଲେ।

ଭାରତ ଦ୍ୱିତୀୟ କ୍ୱାର୍ଟରରେ ବରାବର ପାଇଁ ପ୍ରୟାସ କରିଥିଲା, କିନ୍ତୁ ଅଷ୍ଟ୍ରେଲିଆର ଡିଫେନ୍ସକୁ ଭେଦ କରିବାରେ ଭ୍ରମଣକାରୀ ଟିମ୍ ବିଫଳ ହୋଇଥିଲେ। ଭାରତକୁ ୨୨ତମ ଓ ୨୬ ମିନିଟରେ ପେନାଲ୍ଟି କର୍ଣ୍ଣର ମିଳିଥିଲା, କିନ୍ତୁ ଟିମକୁ ଏହାକୁ ଗୋଲରେ ପରିଣତ କରିପାରିନଥିଲା। ଦୁଇ ମିନିଟ୍ ପରେ ଅଷ୍ଟ୍ରେଲିଆକୁ ପେନାଲ୍ଟି ଷ୍ଟ୍ରୋକ୍ ଦ୍ୱାରା ତା'ର ଅଗ୍ରଣୀକୁ ଡବଲ୍ କରିବା ପାଇଁ ସୁଯୋଗ ମିଳିଥିଲା, କିନ୍ତୁ ଭାରତୀୟ ଗୋଲକିପର ବିଚୁ ଦେବୀ ଖାରିବାମ୍ ଚମତ୍କାର କିପିଙ୍ଗ୍ କରି ଭାରତକୁ ୦-୨ରେ ପଛୁଆ ହେବାରୁ ରୋକିଥିଲେ।

ତୃତୀୟ କ୍ୱାର୍ଟରରେ ମଧ୍ୟ ଉଭୟ ଦଳ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିବାରେ ବିଫଳ ରହିଥିଲେ। ଭାରତ ଚତୁର୍ଥ କ୍ୱାର୍ଟର୍ ଆରମ୍ଭରୁ ହିଁ ଅଷ୍ଟ୍ରେଲିଆ ଉପରେ ଚାପ ପକାଇଥିଲା। ଟିମକୁ ଏହାର ଫାଇଦା ୫୩ତମ ମିନିଟରେ ପେନାଲ୍ଟି କର୍ଣ୍ଣର ସ୍ୱରୂପ ମିଳିଥିଲା। ଏହା ପରେ ଅଷ୍ଟ୍ରେଲିଆର ଗୋଲକିପର ହାନ୍ନା ଆଷ୍ଟବରୀଙ୍କୁ ଚକମା ଦେଇ ଗଗନଦୀପ ଚମତ୍କାର ଗୋଲ୍ ସ୍କୋର କରି ମ୍ୟାଚକୁ ୧-୧ରେ ବରାବର କରାଇଥିଲେ। ତେବେ ଭାରତ ଏହି ଗୋଲ୍ ଖୁସିକୁ ବେଶୀ ସମୟ କାଏମ ରଖିପାରିନଥିଲା ଏବଂ ତିନି ମିନିଟ୍ ଭିତରେ ହିଁ ଆବିଗେଲ୍ ପେନାଲ୍ଟି କର୍ଣ୍ଣରରେ ଆଉ ଏକ ଗୋଲ୍ ଦେଇ ଅଷ୍ଟ୍ରେଲିଆକୁ ୨-୧ରେ ଆଗୁଆ କରାଇଥିଲେ। ଭାରତ ଶେଷ ମୁହୂର୍ତ୍ତରେ ବରାବର କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ହେଁ, କୌଣସି ସଫଳତା ମିଳିନଥିଲା।

Related story