ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯିବାକୁ ଥିବା ତିନିଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍। ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ୍ରେ ଖେଳାଯିବ। ଦିନ ସାଢ଼େ ଗୋଟେରୁ ଏହି ମ୍ୟାଚ୍ ଆରମ୍ଭ ହେବ।
ଏହି ସିରିଜ୍ ଜିତି ପୁଣି ଥରେ ଭାରତ ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନକୁ ଫେରିବାକୁ ଉଦ୍ୟମ କରିବ। ଟିମ୍ ଇଣ୍ଡିଆ ଚଳିତ ବର୍ଷ ୨୨ଟି ମ୍ୟାଚ୍ରୁ ୧୭ଟିରେ ବିଜୟ ହାସଲ କରିଛି। ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍କୁ ଭାରତ ୪-୧ରେ ଜିତିଥିଲା। ଏହି ସିରିଜ୍ ଭାରତରେ ଖେଳା ଯାଇଥିଲା। ତା’ପୂର୍ବରୁ ଶ୍ରୀଲଙ୍କାକୁ ତା’ରି ମାଟିରେ ଦିନିକିଆ ସିରିଜ୍ରେ ୫-୦ରେ ହରାଇଥିଲା ଟିମ୍ ଇଣ୍ଡିଆ। ଶ୍ରୀଲଙ୍କା ପୂର୍ବରୁ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯାଇଥିଲା ଦଳ। ବିରାଟ ବାହିନୀ ୱେଷ୍ଟଇଣ୍ଡିଜ୍କୁ ୩-୧ରେ ହରାଇ ଦିନିକିଆ ସିରିଜ୍ ହାତେଇ ଥିଲା। ଏଣୁ ଦଳ ମାନସିକ ଭାବେ ଦୃଢ଼ ରହିଛି।
ଏପର୍ଯ୍ୟନ୍ତ ଭାରତ ମାଟିରେ ନ୍ୟୁଜିଲାଣ୍ଡ ଓ ଟିମ୍ ଇଣ୍ଡିଆ ମଧ୍ୟରେ ୩୨ ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ଭାରତ ୨୪ଟିରେ ବାଜିମାତ୍ କରିଛି। ନ୍ୟୁଜିଲାଣ୍ଡ ମାତ୍ର ୭ ଥର ଜିତିବାରେ ସକ୍ଷମ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।