ବିଦେଶରେ ଟିମ୍ ଇଣ୍ଡିଆର ସର୍ବବୃହତ ବିଜୟ

ନର୍ଥ ସାଉଣ୍ଡ: ଟିମ୍ ଇଣ୍ଡିଆ ରବିବାର ୱେଷ୍ଟଇଣ୍ଡିଜକୁ ୩୧୮ ରନର ବୃହତ ବ୍ୟବଧାନରେ ପରାସ୍ତ କରି ଆଣ୍ଟିଗୁଆ ଟେଷ୍ଟ ନିଜ ନାଁରେ କରିଛି। ଭାରତୀୟ ଟିମ୍ ଚତୁର୍ଥ ଇନିଂସରେ ୱେଷ୍ଟଇଣ୍ଡିଜ୍ ଆଗରେ ୪୧୯ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। କିନ୍ତୁ ଘରୋଇ ଟିମ୍ ମାତ୍ର ୧୦୦ ରନରେ ଅଲଆଉଟ୍ ହୋଇଯାଇଥିଲା। ଏଥିସହ ଭାରତ ସିରିଜରେ ୧-୦ରେ ଆଗୁଆ ହୋଇଛି। ୩୧୮ ରନର ବିଜୟ, ବିଦେଶରେ ଭାରତର ସର୍ବବୃହତ ଟେଷ୍ଟ ବିଜୟ। ଏହା ପୂର୍ବରୁ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷ […]

team-india

team-india

Ranjit Kumar Jena
  • Published: Monday, 26 August 2019
  • Updated: 26 August 2019, 04:25 PM IST

Sports

Latest News

ନର୍ଥ ସାଉଣ୍ଡ: ଟିମ୍ ଇଣ୍ଡିଆ ରବିବାର ୱେଷ୍ଟଇଣ୍ଡିଜକୁ ୩୧୮ ରନର ବୃହତ ବ୍ୟବଧାନରେ ପରାସ୍ତ କରି ଆଣ୍ଟିଗୁଆ ଟେଷ୍ଟ ନିଜ ନାଁରେ କରିଛି। ଭାରତୀୟ ଟିମ୍ ଚତୁର୍ଥ ଇନିଂସରେ ୱେଷ୍ଟଇଣ୍ଡିଜ୍ ଆଗରେ ୪୧୯ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। କିନ୍ତୁ ଘରୋଇ ଟିମ୍ ମାତ୍ର ୧୦୦ ରନରେ ଅଲଆଉଟ୍ ହୋଇଯାଇଥିଲା। ଏଥିସହ ଭାରତ ସିରିଜରେ ୧-୦ରେ ଆଗୁଆ ହୋଇଛି।

୩୧୮ ରନର ବିଜୟ, ବିଦେଶରେ ଭାରତର ସର୍ବବୃହତ ଟେଷ୍ଟ ବିଜୟ। ଏହା ପୂର୍ବରୁ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷ ଗଲ୍ ଟେଷ୍ଟରେ ଭାରତ ୩୦୪ ରନରେ ବିଜୟୀ ହୋଇ ରେକର୍ଡ କରିଥିଲା। ଏହାଛଡ଼ା କ୍ୟାପଟେନ୍ ବିରାଟ୍ କୋହଲି ମଧ୍ୟ ଉକ୍ତ ଟେଷ୍ଟ ଜିତି ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି। ଧୋନି ୬୦ ମ୍ୟାଚରେ ୨୭ ଟେଷ୍ଟ ଜିତିଥିବା ବେଳେ କୋହଲି ମାତ୍ର ୪୭ ଟେଷ୍ଟରେ ଏହି ରେକର୍ଡ ସହ ବରାବର କରିଛନ୍ତି।

ଚତୁର୍ଥ ଦିବସରେ ଭାରତ ତା'ର ପୂର୍ବଦିନର ସ୍କୋର ୧୮୫/୩ରୁ ଖେଳ ଆରମ୍ଭ କରିଥିଲା। ତେବେ ଆଜିଙ୍କ୍ୟ ରାହାଣେଙ୍କ ଶତକ ଓ ହନୁମା ବିହାରୀଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଭାରତ ଦ୍ୱିତୀୟ ଇନିଂସରେ ୭ ୱିକେଟ୍ ହରାଇ ୩୪୩ ରନ୍ କରି ପାଳି ଘୋଷଣା କରିଥିଲା। କୋହଲି (୫୧) ନିଜ ପୂର୍ବଦିନର ସ୍କୋରରେ ଆଉ କୌଣସି ରନ୍ ଯୋଡ଼ିବା ପୂର୍ବରୁ ରୋଷ୍ଟନ୍ ଚେଜଙ୍କ ଶିକାର ହୋଇଥିଲେ। ଏହା ପରେ ରାହାଣେ ଓ ବିହାରୀ ୧୩୫ ରନର ଶତକୀୟ ଭାଗୀଦାରୀ କରି ଭାରତକୁ ମଜଭୁତ୍ ସ୍ଥିତିରେ ପହଞ୍ଚାଇଥିଲେ।

ରାହାଣେ ପ୍ରାୟ ଦୁଇବର୍ଷ ପରେ ଟେଷ୍ଟ ଶତକ ମାରିଥିବା ବେଳେ ବିହାରୀ ବଞ୍ଚିତ ହୋଇଥିଲେ। ରାହାଣେ ୨୪୨ ବଲ୍ ଖେଳି ୫ ଚୌକା ସହ ୧୦୨ ଓ ବିହାରୀ ୧୨୮ ବଲରେ ୧୦ ଚୌକା ଓ ୧ ଛକା ସହ ୯୩ ରନ୍ କରି ଆଉଟ୍ ହୋଇଥିଲେ। ରିଷଭ ପନ୍ତ ୭ ରନ୍ କରି ଆଉଟ୍ ହୋଇଥିବା ବେଳେ ରବୀନ୍ଦ୍ର ଜାଡେଜା ୧ ରନ୍ କରି ଅପରାଜିତ ଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଚେଜ୍ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ।

୪୧୯ ରନର ବଡ଼ ଲକ୍ଷ୍ୟର ପିଛା କରୁଥିବା ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନମାନେ ଭାରତୀୟ ପେସ୍ ଆକ୍ରମଣକୁ ସାମ୍ନା କରିପାରିନଥିଲେ। ଟିମ୍ ଏକ ସମୟରେ ୫୦ ରନରେ ୯ ୱିକେଟ୍ ହରାଇଥିଲା ବେଳେ କେମାର ରୋଚ୍ ଦ୍ରୁତ ୩୮ (୩୧ ବଲ୍, ୧ ଚୌକା, ୫ ଛକା) ଓ ମିଜୁଏଲ୍ କମିନ୍ସ ୧୯* ରନ୍ କରି ଟିମ୍ ସ୍କୋରକୁ ୧୦୦ରେ ପହଞ୍ଚାଇଥିଲେ। ଚେଜ୍ (୧୨)ଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁପାରି ନଥିଲେ। ଭାରତ ପକ୍ଷରୁ ବୁମ୍ରା ମାତ୍ର ୭ ରନ୍ ଦେଇ ୫ଟି ୱିକେଟ୍ ନେଇଥିବା ବେଳେ ଈଶାନ୍ତ ଶର୍ମା ୩ଟି ଓ ମହମ୍ମଦ ଶାମି ୨ଟି ୱିକେଟ୍ ନେଇଥିଲେ।

ସୂଚନାଯୋଗ୍ୟ, ଉକ୍ତ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୨୯୭ ରନ୍ କରିଥିବା ବେଳେ ୱେଷ୍ଟଇଣ୍ଡିଜ୍ ୨୨୨ ରନ୍ କରି ଅଲଆଉଟ୍ ହୋଇଥିଲା। ଉଭୟ ଇନିଂସରେ ଦମଦାର ବ୍ୟାଟିଂ କରିଥିବା ରାହାଣେ (୮୧ ଏବଂ ୧୦୨) ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos