ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସ୍ରେ ଭାରତ କଷ୍ଟେମଷ୍ଟେ ୧୦୭ ରନ୍ କରିଛି। ୧୦୭ ରନ୍ କରି ଟିମ୍ ଅଲ୍ଆଉଟ୍ ହୋଇଯାଇଛି। ଦଳ ପକ୍ଷରୁ ସର୍ବାଧିକ ରନ୍ କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ସେ ୨୯ ରନ୍ କରିଛନ୍ତି।
ବର୍ଷା ଯୋଗୁ ଗୁରୁବାର ଆଦୌ ଖେଳ ଆରମ୍ଭ ହୋଇପାରି ନଥିଲା। ଖେଳ ଆରମ୍ଭ ହେବା ଦୂର କଥା, ଟସ୍ ବି ପଡ଼ି ପାରି ନଥିଲା। ଗତକାଲି ଟସ୍ ହାରିବା ପରେ ଭାରତୀୟ ଟିମ୍ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା। ଓପନର୍ ମୂରଲୀ ବିଜୟ ପ୍ରଥମ ଓଭରରେ କୌଣସି ରନ୍ ନ କରି ଆଉଟ୍ ହୋଇଯାଇଥିଲେ। ଲୋକେଶ୍ ରାହୁଲ୍ ମାତ୍ର ୮ ରନ୍ କରି ଆଉଟ୍ ହୋଇଥିବା ବେଳେ ଚେତେଶ୍ୱର ପୂଜାର ୧ ରନ୍ କରିଥିଲେ।
ପ୍ରଥମ ଟେଷ୍ଟରେ ଭଲ ପ୍ରଦର୍ଶନ କରିଥିବା ଅଧିନାୟକ ବିରାଟ କୋହଲି ବି ଫେଲ୍ ମାରିଥିଲେ। ସେ ମାତ୍ର ୨୩ ରନ୍ କରି ଆଉଟ୍ ହୋଇଯାଇଥିଲେ। ଆଜିଙ୍କ୍ୟ ରାହାଣେ ୧୮ ରନ୍ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୧୧ ଓ ଦୀନେଶ କାର୍ତ୍ତିକ ୧ ରନ୍ କରିଥିଲେ। କୁଲ୍ଦୀପ୍ ଯାଦବ ଓ ଈଶାନ୍ତ ଶର୍ମା ଖାତା ଖୋଲି ପାରି ନଥିଲେ। ମହମ୍ମଦ ଶାମି ୧୦ ରନ୍ କରି ଅପରାଜିତ ରହିଥିଲେ।
ଇଂଲଣ୍ଡ ପକ୍ଷରୁ ଆଣ୍ଡର୍ସନ୍ ୧୩.୨ ଓଭର ବୋଲିଂ କରି ମାତ୍ର ୨୦ ରନ୍ ଦେଇ ୫ଟି ୱିକେଟ୍ ନେଇଥିଲେ। କ୍ରିସ୍ ୱକ୍ସ ୨ଟି ୱିକେଟ୍ ନେଇଥିବା ବେଳେ ଷ୍ଟୁଆର୍ଟ ବ୍ରଡ ଓ ସାମ୍ କରାନ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।
ଭାରତ ଏହି ମ୍ୟାଚ୍ରେ ଶିଖର ଧାୱନ୍ ଓ ଉମେଶ ଯାଦବଙ୍କ ବଦଳରେ ଚେତେଶ୍ୱର ପୂଜାରା ଓ କୁଲ୍ଦୀପ୍ ଯାଦବଙ୍କୁ ଖେଳାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।