ବର୍ଷା ଧୋଇଦେଲା ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମ୍ୟାଚ୍, କ୍ରିକେଟପ୍ରେମୀ ନିରାଶ

ନଟ୍ଟିଂହାମ୍: ଚଳିତ ବିଶ୍ୱକପରେ ଆଉ ଏକ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଛି। ଗୁରୁବାର ଟ୍ରେଣ୍ଟ ବ୍ରିଜରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱକପ୍ ମ୍ୟାଚକୁ ମଧ୍ୟ ବର୍ଷା ଧୋଇ ଦେଇଛି। ଏଥିସହ ମ୍ୟାଚ୍ ଦେଖିବାକୁ ଆସିଥିବା ହଜାର ହଜାର ଭାରତୀୟ ପ୍ରଶଂସକଙ୍କୁ ମଧ୍ୟ ନିରାଶ ହେବାକୁ ପଡ଼ିଛି। ମ୍ୟାଚ୍ ବାତିଲ ହେବା ଦ୍ୱାରା ଉଭୟ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ପଏଣ୍ଟ ଭାଗ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ ୭ ପଏଣ୍ଟ ସହ ଶୀର୍ଷରେ ସ୍ଥିର […]

match

Hemant Lenka
  • Published: Thursday, 13 June 2019
  • , Updated: 13 June 2019, 07:47 PM IST

ନଟ୍ଟିଂହାମ୍: ଚଳିତ ବିଶ୍ୱକପରେ ଆଉ ଏକ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଛି। ଗୁରୁବାର ଟ୍ରେଣ୍ଟ ବ୍ରିଜରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱକପ୍ ମ୍ୟାଚକୁ ମଧ୍ୟ ବର୍ଷା ଧୋଇ ଦେଇଛି। ଏଥିସହ ମ୍ୟାଚ୍ ଦେଖିବାକୁ ଆସିଥିବା ହଜାର ହଜାର ଭାରତୀୟ ପ୍ରଶଂସକଙ୍କୁ ମଧ୍ୟ ନିରାଶ ହେବାକୁ ପଡ଼ିଛି।

ମ୍ୟାଚ୍ ବାତିଲ ହେବା ଦ୍ୱାରା ଉଭୟ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ପଏଣ୍ଟ ଭାଗ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ ୭ ପଏଣ୍ଟ ସହ ଶୀର୍ଷରେ ସ୍ଥିର ରହିଥିବା ବେଳେ ଭାରତ ୫ ପଏଣ୍ଟ ସହ ତୃତୀୟ ସ୍ଥାନକୁ ଉଠିଛି। ତେବେ ୪ ପଏଣ୍ଟ ସହ ଇଂଲଣ୍ଡ ଚତୁର୍ଥ ସ୍ଥାନକୁ ଖସି ଆସିଛି। ଅଷ୍ଟ୍ରେଲିଆ ୬ ପଏଣ୍ଟ ସହ ଦ୍ୱିତୀୟରେ ରହିଛି।

ଗୁରୁବାର ମ୍ୟାଚ୍ ଭାରତୀୟ ସମୟ ଅନୁଯାୟୀ ଅପରାହ୍ଣ ୩ଟା ବେଳେ ଖେଳାଯିବାର ଥିଲା। କିନ୍ତୁ ଗତ ରାତିରେ ଲଗାଣ ବର୍ଷା ଯୋଗୁ ଗ୍ରାଉଣ୍ଡର ଆଉଟ୍ ଫିଲ୍ଡ ଓଦା ରହିଥିଲା। ଆଜି ସକାଳୁ ପାଗ ଶୁଖିଲା ଥିଲା, କିନ୍ତୁ ଆଉଟ୍ ଫିଲ୍ଡ ଓଦା ରହିବାରୁ ଟସ୍ ପଡ଼ିବାରେ ବିଳମ୍ବ ହୋଇଥିଲା।

କିନ୍ତୁ ଏହା ପରେ ବର୍ଷାର ଲୁଚକାଳି ଦେଖିବାକୁ ମିଳିଥିଲା, ଯେଉଁ କାରଣରୁ ଅମ୍ପାୟାର ବାରମ୍ବାର ପିଚ୍ ନୀରିକ୍ଷଣ ପାଇଁ ଗ୍ରାଉଣ୍ଡକୁ ଯାଇଥିଲେ। କିନ୍ତୁ ଦୁଇ ଫିଲ୍ଡ ଅମ୍ପାୟାର ପିଚକୁ ନେଇ ଆଦୌ ସନ୍ତୁଷ୍ଟ ନଥିଲେ। ମ୍ୟାଚର କଟଅଫ୍ ସମୟ ରାତି ୮.୪୫ ଯାଏ ରହିଥିଲା। ଯଦି ଏହି ସମୟ ମଧ୍ୟରେ ପିଚ୍ ଖେଳିବା ଉପଯୋଗୀ ହୋଇଥାନ୍ତା, ତାହେଲେ ଦର୍ଶକ ଅତିକମରେ ୨୦ ଓଭର ବିଶିଷ୍ଟ ମ୍ୟାଚ୍ ଦେଖିବାର ସୁଯୋଗ ପାଇଥାନ୍ତେ। କିନ୍ତୁ ତାହା ମଧ୍ୟ ସମ୍ଭବ ହୋଇପାରିଲା ନାହିଁ।

ସୂଚନାଯୋଗ୍ୟ, ଚଳିତ ବିଶ୍ୱକପର ତିନୋଟି ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇସାରିଛି। ବ୍ରିଷ୍ଟଲରେ ପାକିସ୍ତାନ ବନାମ ଶ୍ରୀଲଙ୍କା ଏବଂ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁଥିବା ମ୍ୟାଚକୁ ବର୍ଷା ଧୋଇ ଦେଇଥିଲା। ସେହିପରି ସାଉଥାମ୍ପଟନରେ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ମଧ୍ୟ ବର୍ଷା ଯୋଗୁ ବାତିଲ ହୋଇଥିଲା। ଏହି ମ୍ୟାଚରେ ମାତ୍ର ୭.୩ ଓଭର ଖେଳ ସମ୍ଭବ ହୋଇଥିଲା। ଏବେ ଦେଖିବାକୁ ବାକି ରହିଲା ଯେ, ଚଳିତ ବିଶ୍ୱକପର ଆଉ କେତୋଟି ମ୍ୟାଚ୍ ବର୍ଷା ବାଧାପ୍ରାପ୍ତ ହେଉଛି।

Related story