ଶୁକ୍ରବାର ଚତୁର୍ଥ ଟି-୨୦: ଟିମ୍ ଇଣ୍ଡିଆର ଟାର୍ଗେଟ୍ ୪-୦

ୱେଲିଂଟନ୍‌: ହାମିଲଟନ୍ ଟି-୨୦ ଜିତି ସିରିଜ୍ କବଜା କରିସାରିଥିବା ଟିମ୍ ଇଣ୍ଡିଆ ଶୁକ୍ରବାର ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ଚତୁର୍ଥ ଟି-୨୦ ମ୍ୟାଚ୍ ଖେଳିବ। ଏହି ମ୍ୟାଚରେ ଭାରତ ତା’ର ବେଞ୍ଚ୍ ଷ୍ଟ୍ରେନ୍ଥକୁ ପରୀକ୍ଷଣ କରିବାକୁ ଚାହିଁବ। ପ୍ରଥମ ଟି-୨୦ରେ ଭାରତ ୨୦୪ ରନର ବିଶାଳ ଲକ୍ଷ୍ୟକୁ ସହଜରେ ପିଛା କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ମଧ୍ୟ ୧୩୩ ରନର ଟାର୍ଗେଟକୁ ହାସଲ କରିଥିଲା। ବୁଧବାର ତୃତୀୟ ଟି-୨୦ ସୁପର୍ ଓଭରକୁ ଯାଇଥିଲା, ଯେଉଁଥିରେ ରୋହିତ୍ ଶର୍ମା ଶେଷ ଦୁଇ ବଲରେ […]

team-india

Ranjit Kumar Jena
  • Published: Thursday, 30 January 2020
  • , Updated: 30 January 2020, 04:54 PM IST

ୱେଲିଂଟନ୍‌: ହାମିଲଟନ୍ ଟି-୨୦ ଜିତି ସିରିଜ୍ କବଜା କରିସାରିଥିବା ଟିମ୍ ଇଣ୍ଡିଆ ଶୁକ୍ରବାର ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ଚତୁର୍ଥ ଟି-୨୦ ମ୍ୟାଚ୍ ଖେଳିବ। ଏହି ମ୍ୟାଚରେ ଭାରତ ତା'ର ବେଞ୍ଚ୍ ଷ୍ଟ୍ରେନ୍ଥକୁ ପରୀକ୍ଷଣ କରିବାକୁ ଚାହିଁବ। ପ୍ରଥମ ଟି-୨୦ରେ ଭାରତ ୨୦୪ ରନର ବିଶାଳ ଲକ୍ଷ୍ୟକୁ ସହଜରେ ପିଛା କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ମଧ୍ୟ ୧୩୩ ରନର ଟାର୍ଗେଟକୁ ହାସଲ କରିଥିଲା। ବୁଧବାର ତୃତୀୟ ଟି-୨୦ ସୁପର୍ ଓଭରକୁ ଯାଇଥିଲା, ଯେଉଁଥିରେ ରୋହିତ୍ ଶର୍ମା ଶେଷ ଦୁଇ ବଲରେ ଦୁଇଟି ଛକା ମାରି ଭାରତକୁ ଅବିଶ୍ୱସନୀୟ ବିଜୟ ଦେଇଥିଲେ। ତେବେ ସୁପର୍ ଓଭର୍ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ୍ ଇନିଂସର ଅନ୍ତିମ ଓଭରରେ ମହମ୍ମଦ ଶାମି ପ୍ରଥମ ବଲରେ ଛକା ଖାଇବା ପରେ ଜବରଦସ୍ତ କମବ୍ୟାକ୍ କରି ଘରୋଇ ଦଳକୁ ବିଜୟରୁ ବଞ୍ଚିତ କରାଇଥିଲେ ଏବଂ ମୁକାବିଲାକୁ ଟାଇ କରାଇଥିଲେ।

ଭାରତ ପ୍ରଥମଥର ନ୍ୟୁଜିଲ୍ୟାଣ୍ଡ୍ ମାଟିରେ ଟି-୨୦ ସିରିଜ୍ ଜିତିବାରେ ସଫଳ ହୋଇଛି। ଉଭୟ ଟିମ୍ ଗୁରୁବାର ହାମିଲଟନରୁ ୱେଲିଂଟନରେ ପହଞ୍ଚିଛନ୍ତି ଏବଂ ଶନିବାର ମାଉଣ୍ଟ ମାଉଙ୍ଗାନୁଇ ଅଭିମୁଖେ ବାହାରିବେ, ଯେଉଁଠାରେ ରବିବାର ଅନ୍ତିମ ଟି-୨୦ ମ୍ୟାଚ୍ ଖେଳାଯିବ। ତେଣୁ ଶେଷ ଦୁଇଟି ମ୍ୟାଚ୍ ପାଇଁ ଦୁଇ ଦଳ ପାଖରେ ଅଭ୍ୟାସ ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ ନାହିଁ। ସାଧାରଣତଃ ଟି-୨୦ରେ ଅନ୍ତର୍ଜାତୀୟ କ୍ରିକେଟରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜ୍ ବିଶେଷ ଦେଖିବାକୁ ମିଳେ ନାହିଁ। ଭାରତୀୟ ଟିମ୍ ପାଖରେ ୫-୦ରେ କ୍ଲିନସୁଇପ୍ କରିବା ସହ ଇତିହାସ ରଚିବାର ଭଲ ସୁଯୋଗ ରହିଛି।

ଶୁକ୍ରବାର ମ୍ୟାଚରେ ଭାରତ ତା'ର ଚୂଡ଼ାନ୍ତ ଏକାଦଶରେ କିଛି ପରିବର୍ତ୍ତନ କରିପାରେ। ସଞ୍ଜୁ ସାମସନ୍ ଏବଂ ଋଷଭ ପନ୍ତଙ୍କୁ ସୁଯୋଗ ମିଳିପାରେ। ପନ୍ତଙ୍କୁ ଅନ୍ତିମ ଏକାଦଶରେ ସୁଯୋଗ ମିଳିବାର ସମ୍ଭାବନା ଅଧିକ। ଯଦି ପନ୍ତ ସୁଯୋଗ ପାଆନ୍ତି, ତାହେଲେ ତାଙ୍କ ବଦଳରେ ଜଣେ ବ୍ୟାଟ୍ସମ୍ୟାନଙ୍କୁ ବାହାରେ ରଖାଯିବ। ଏହାଛଡ଼ା ପନ୍ତଙ୍କ ଉପସ୍ଥିତିରେ ଲୋକେଶ ରାହୁଲଙ୍କୁ ୱିକେଟକିପିଙ୍ଗ୍ କରିବା ପାଇଁ ସୁଯୋଗ ପାଇବେ କି ନାହିଁ, ତାହା ମଧ୍ୟ ବଡ଼ ପ୍ରଶ୍ନ।

ଶୀର୍ଷ-୩ରେ ରୋହିତ୍ ଶର୍ମା, ରାହୁଲ୍ ଓ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ସ୍ଥାନ ଏକ ପ୍ରକାର ନିଶ୍ଚିତ। ଚତୁର୍ଥ ସ୍ଥାନରେ ଶ୍ରେୟସ ଆୟର୍ ଭଲ ଫର୍ମରେ ଅଛନ୍ତି। ମନିଷ ପାଣ୍ଡେ ଓ ଶିବମ ଦୁବେଙ୍କୁ ବର୍ତ୍ତମାନ ଅଧିକ ସୁଯୋଗ ମିଳିବାର ଆବଶ୍ୟକତା ରହିଛି। ତେବେ ଶୀର୍ଷ ଚାରିଜଣଙ୍କ ମଧ୍ୟରୁ କୌଣସି ଜଣେ ବ୍ୟାଟ୍ସମ୍ୟାନଙ୍କୁ ପରବର୍ତ୍ତୀ ଦୁଇଟି ମ୍ୟାଚରେ ବିଶ୍ରାମ ଦିଆଯାଇପାରେ। ଶେଷ ଦୁଇ ମ୍ୟାଚରେ ପର୍ଯ୍ୟାୟକ୍ରମେ ରୋହିତ୍ ଓ କୋହଲିଙ୍କୁ ମଧ୍ୟ ଯଦି ବିଶ୍ରାମ ଦିଆଯାଏ, ତାହେଲେ ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ। ବୋଲିଂରେ ପରିବର୍ତ୍ତନର ଅଧିକ ଆବଶ୍ୟକତା ରହିଛି।

ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ ଏବଂ ନଭଦୀପ ସାଇନି ସୁଯୋଗ ଅପେକ୍ଷାରେ ଅଛନ୍ତି। ଏହି ତିନିଜଣଙ୍କୁ ଏକାଠି ସୁଯୋଗ ମିଳିବ ନାହିଁ, କିନ୍ତୁ ଟିମ୍ ମ୍ୟାନେଜମେଣ୍ଟ ଜଣେ ସ୍ପିନର୍ ଏବଂ ଜଣେ ପେସ୍ ବୋଲରଙ୍କୁ ରୋଟେଟ୍ କରିପାରନ୍ତି। ସୁନ୍ଦର ଅଷ୍ଟ୍ରେଲିଆର ବଡ଼ ମଇଦାନରେ କୋହଲିଙ୍କ ରଣନୀତିର ଅନ୍ୟତମ ଅଂଶ ଏବଂ ତାଙ୍କୁ ପରବର୍ତ୍ତୀ ଦୁଇଟି ମ୍ୟାଚରେ ସୁଯୋଗ ମିଳିପାରେ। ଶାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ସାଇନିଙ୍କୁ ଅନ୍ତିମ ଏକାଦଶରେ ସ୍ଥାନ ମିଳିବାର ସମ୍ଭାବନା ରହିଛି। ଯଶପ୍ରୀତ ବୁମ୍ରାଙ୍କ ଖେଳିବା ଉପରେ ମଧ୍ୟ କୌଣସି ନିଷ୍ପତ୍ତି ନିଆଯାଇପାରେ। ହାମିଲଟନରେ ବୁମ୍ରା ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଯେହେତୁ ବୁମ୍ରା ଉଭୟ ଟେଷ୍ଟ ଓ ଦିନିକିଆ ଦଳରେ ମଧ୍ୟ ସାମିଲ୍ ଅଛନ୍ତି, ତେଣୁ ତାଙ୍କ ଉପରୁ ଅତିରିକ୍ତ ବୋଝ କମ୍ କରିବା ପାଇଁ ଆରାମ ଦିଆଯାଇପାରେ।

ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ୍ ତା'ର ଏକାଦଶରେ ପରିବର୍ତ୍ତନ କରିବ। କଲିନ୍ ଡି'ଗ୍ରାଣ୍ଡହୋମଙ୍କୁ ଅନ୍ତିମ ଦୁଇଟି ମ୍ୟାଚ୍ ପାଇଁ ଟିମରେ ସ୍ଥାନ ମିଳିନାହିଁ ଏବଂ ତାଙ୍କ ସ୍ଥାନରେ ଟମ୍ ବ୍ରୁସଙ୍କୁ ସାମିଲ୍ କରାଯାଇଛି। ଘରୋଇ ଦଳର ବ୍ୟାଟିଂ ବଡ଼ ସମସ୍ୟା ରହିଆସିଛି। ଟିମକୁ ଓପ୍ନର ଭଲ ଷ୍ଟାର୍ଟ ଦେଉଥିଲେ ହେଁ, ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଏହାକୁ କାଏମ ରଖିପାରୁନାହାନ୍ତି। ହାମିଲଟନରେ କ୍ୟାପଟେନ୍ କେନ୍ ୱିଲିୟମସନ୍ ଚମତ୍କାର ଇନିଂସ୍ ଖେଳିଥିଲେ ହେଁ, ଟିମକୁ ଜିତାଇପାରିନଥିଲେ। ପରବର୍ତ୍ତୀ ମ୍ୟାଚରେ ୱିଲିୟମସନ୍ ଏବଂ ମାର୍ଟିନ୍ ଗପ୍ଟିଲ୍ ଓପନ୍ କରିବାକୁ ଆସିପାରନ୍ତି। ଯଦି ଏହା ହେଲା, ତାହେଲେ କଲିନ୍ ମୁନରୋଙ୍କୁ ତୃତୀୟ ସ୍ଥାନରେ ଆସିବାକୁ ପଡିପାରେ।

Related story