ନୂଆଦିଲ୍ଲୀ: ଆଇପିଏଲ୍ ପରେ ଏବେ ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜକୁ ମଧ୍ୟ ବାତିଲ୍ କରିଦିଆଯାଇଛି। ମହାମାରୀ କରୋନା ଭାଇରସର ବଢ଼ୁଥିବା ବିପଦକୁ ଦୃଷ୍ଟିରେ ରଖି ଶୁକ୍ରବାର ବିସିସିଆଇ ଏହି ଘୋଷଣା କରିଛି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାକି ଦୁଇଟି ଦିନିକିଆ ଯଥାକ୍ରମେ ଲକ୍ଷ୍ନୌ ଓ କୋଲକାତାରେ ହେବା ପାଇଁ ଧାର୍ଯ୍ୟ ହୋଇଥିଲା।
ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିଲା। ଏହି ମ୍ୟାଚ୍ ବିନା ଟସରେ ଶେଷ ହୋଇଥିଲା। ଅନ୍ୟପକ୍ଷରେ କରୋନା ଭାଇରସର ଭୟାବହ ପ୍ରଭାବର ଫଳାଫଳ ସିରିଜର ବାକି ଦୁଇଟି ମ୍ୟାଚ୍ ଉପରେ ପଡ଼ିଛି। ଗୁରୁବାର ଧର୍ମଶାଳା ଦିନିକିଆ ଧୋଇ ହୋଇଯିବା ପରେ ବିସିସିଆଇ ପକ୍ଷରୁ ସୂଚନା ମିଳିଥିଲା ଯେ ସିରିଜର ବାକି ଦୁଇଟି ଦିନିକିଆ ବନ୍ଦ ଦ୍ୱାରରେ ଅର୍ଥାତ୍ ଖାଲି ଷ୍ଟାଡିୟମରେ ଆୟୋଜନ କରାଯିବ। କିନ୍ତୁ ଶୁକ୍ରବାର ଏହି ନିଷ୍ପତ୍ତିକୁ ବଦଳା ଯାଇଛି।
ପ୍ରଥମେ ଆଇପିଏଲକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଗଲା ଏବଂ ଏହା ପେର ବିସିସିଆଇ ଭାରତ ଓ ଦକ୍ଷିଣ ଆଫ୍ରିକା ସିରିଜର ବାକି ଦୁଇଟି ମ୍ୟାଚକୁ ନକରାଇବାକୁ ନିଷ୍ପତ୍ତି ସାମ୍ନାକୁ ଆସିଛି। ତେବେ ଏହି ନିଷ୍ପତ୍ତି ଉଭୟ ଦଳର ଖେଳାଳି ଏବଂ ଜନସାଧାରଣଙ୍କ ହିତ ପାଇଁ ନିଆଯାଇଛି। ଖେଳାଳି ଓ ଦର୍ଶକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିସିସିଆଇ ଏହି ବଳିଷ୍ଠ ପଦକ୍ଷେପ ଉଠାଇଛି।
ଏ ନେଇ ବିସିସିଆଇ ଅଧିକାରୀ କହିଛନ୍ତି, "ଆଇପିଏଲକୁ ସ୍ଥଗିତ କରିଦିଆ ଗଲା ଏବଂ ଏହି ସମୟରେ ଦିନିକିଆ ସିରିଜକୁ ବାତିଲ କରାଯିବା ଠିକ୍ ନିଷ୍ପତ୍ତି। ଭାରତରେ କରୋନା ମାମଲା ବଢ଼ୁଥିବାର ଦେଖି ଦକ୍ଷିଣ ଆଫ୍ରିକା ଟିମ୍ ସିରିଜରେ ଭାଗ ନେବାକୁ ମନା କରିଛି। ଏଭଳି ଏକ ଭୟାବହ ପରିବେଶରେ ଖେଳାଳିମାନେ ଜଲଦି ସ୍ୱଦେଶ ଫେରିଯିବାକୁ ଚାହାନ୍ତି।"
ସିରିଜର ବାକି ଦୁଇଟି ଦିନିକିଆ ଖେଳିବା ପାଇଁ ଦକ୍ଷିଣ ଆଫ୍ରିକା ପରେ ଭାରତ ଭାରତ ଗସ୍ତରେ ଆସିବ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ କହିଛନ୍ତି। ବିସିସିଆଇ ଓ ସିଏସଏ ଏକାଠି ମିଶି ନୂଆ କାର୍ଯ୍ୟକ୍ରମ ଧାର୍ଯ୍ୟ କରିବେ। ଆମ ପାଇଁ ଏବେ ଖେଳାଳି ଓ ଦର୍ଶକଙ୍କ ସୁରକ୍ଷା ମୁଖ୍ୟ ମାମଲା। ସୂଚନାଯୋଗ୍ୟ, ଭାରତରେ ଏପର୍ଯ୍ୟନ୍ତ କରୋନାରେ ୮୧ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ସେହିପରି ସମଗ୍ର ବିଶ୍ୱରେ ଏପର୍ଯ୍ୟନ୍ତ ୧ଲକ୍ଷ ୩୦ହଜାର ଲୋକେ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ବେଳେ ୫ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।