ସ୍ୱର୍ଗତ ପିତାଙ୍କୁ ଉତ୍ସର୍ଗ କଲେ ଶତକ

କିଙ୍ଗଷ୍ଟନ୍: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଚମତ୍କାର ପ୍ରଦର୍ଶନ କରିଥିବା ହନୁମା ବିହାରୀ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ନିଜର ସ୍ୱର୍ଗତ ପିତାଙ୍କୁ ଉତ୍ସର୍ଗ କରିଛନ୍ତି। ଏହା ସହ ସେ ଈଶାନ୍ତ ଶର୍ମାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି, ଯିଏ ବିହାରୀଙ୍କ ସହ ନନଷ୍ଟ୍ରାଇକର୍ ଏଣ୍ଡରେ ଛିଡ଼ା ହୋଇ କଠିନ ପରିସ୍ଥିତିରେ ଜଣେ ଭରସାଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଭାବେ ବ୍ୟାଟିଂ କରିଥିଲେ। ବିହାରୀ ଏହି ମ୍ୟାଚର ପ୍ରଥମ ଇନିଂସରେ ୧୧୧ ରନ୍ କରିଥିଲେ ଏବଂ ପେସ୍ ବୋଲର ଈଶାନ୍ତଙ୍କ ସହ […]

vihari

Ranjit Kumar Jena
  • Published: Sunday, 01 September 2019
  • , Updated: 01 September 2019, 05:26 PM IST

କିଙ୍ଗଷ୍ଟନ୍: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଚମତ୍କାର ପ୍ରଦର୍ଶନ କରିଥିବା ହନୁମା ବିହାରୀ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ନିଜର ସ୍ୱର୍ଗତ ପିତାଙ୍କୁ ଉତ୍ସର୍ଗ କରିଛନ୍ତି। ଏହା ସହ ସେ ଈଶାନ୍ତ ଶର୍ମାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି, ଯିଏ ବିହାରୀଙ୍କ ସହ ନନଷ୍ଟ୍ରାଇକର୍ ଏଣ୍ଡରେ ଛିଡ଼ା ହୋଇ କଠିନ ପରିସ୍ଥିତିରେ ଜଣେ ଭରସାଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଭାବେ ବ୍ୟାଟିଂ କରିଥିଲେ। ବିହାରୀ ଏହି ମ୍ୟାଚର ପ୍ରଥମ ଇନିଂସରେ ୧୧୧ ରନ୍ କରିଥିଲେ ଏବଂ ପେସ୍ ବୋଲର ଈଶାନ୍ତଙ୍କ ସହ ମିଶି ଅଷ୍ଟମ ୱିକେଟ୍ ପାଇଁ ୧୧୨ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ। ଉକ୍ତ ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୪୧୬ ରନର ବଡ଼ ସ୍କୋର ଛିଡ଼ା କରିଛି।

ଦ୍ୱିତୀୟ ଦିବସର ଖେଳ ଶେଷ ପରେ ବିହାରୀ କହିଥିଲେ, "ଯେତେବେଳେ ମୁଁ ୧୨ ବର୍ଷର ହୋଇଥିଲି, ମୋ ପିତାଙ୍କର ଦେହାନ୍ତ ହୋଇଥିଲା ଏବଂ ଏହାପରଠାରୁ ମୁଁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାକୁ ନିଷ୍ପତ୍ତି ନେଇଥିଲି। ସେଥିପାଇଁ ମୁଁ ମୋର ପ୍ରଥମ ଶତକ ମୋ ପିତାଙ୍କୁ ଉତ୍ସର୍ଗ କରିବାକୁ ଚାହୁଁଛି।"

ବିହାରୀ ଆହୁରି କହିଥିଲେ, "ଶତକ ହାସଲ କରି ମୁଁ ବହୁତ ଖୁସି ଏବଂ ଏହାର ସବୁ ଶ୍ରେୟ ଇଶାନ୍ତଙ୍କୁ ଦିଆଯିବା ଦରକାର। ଜଣେ ବ୍ୟାଟ୍ସମ୍ୟାନ୍ ଭାବେ ଆଜି (ଶନିବାର) ସେ ମୋଠାରୁ ଅଧିକ ଭଲ ପ୍ରଦର୍ଶନ କରିଥିଲେ। ସେ ଯେଉଁଭଳି ଶଟ୍ ଖେଳୁଥିଲେ, ତାହା ପ୍ରଶଂସନୀୟ ଥିଲା। ଆମେ ଦୁହେଁ ଲଗାତାର କଥା ହେଉଥିଲୁ ଏବଂ ତାଙ୍କ ଅଭିଜ୍ଞତା ମୋତେ ବହୁତ କାମ ଦେଇଥିଲା।

ଆଜିର ଦିନ ମୋ ପାଇଁ ବହୁତ ଭାବାପୂର୍ଣ୍ଣ ଏବଂ ମୋର ବିଶ୍ୱାସ ସେ (ପିତା) ଯେଉଁଠି ଥିବେ ମୋ ଉପରେ ଗର୍ବ ଅନୁଭବ କରୁଥିବେ। ପ୍ରଥମ ଦିବସର ଖେଳ ଶେଷ ହେବା ପରେ ମୋତେ ଭଲଭାବେ ନିଦ ହୋଇନଥିଲା। ମୁଁ ବଡ଼ ସ୍କୋର କରିବାକୁ ଚାହୁଁଥିଲି ଏବଂ ପ୍ରଥମ ଶତକ ମାରିବା ନେଇ ବହୁତ ଖୁସି।"

Related story