ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ଆହତ କାରଣରୁ ସିରିଜରୁ ବାହାର ହୋଇଛନ୍ତି। ତାଙ୍କୁ ସୟଦ ମୁସ୍ତାକ୍ ଅଲୀ ଟ୍ରଫି ବେଳେ ଏହି ଆଘାତ ଲାଗିଥିଲା। ତେଣୁ ଧୱନଙ୍କ ସ୍ଥାନରେ ଟି-୨୦ ସିରିଜ୍ ଲାଗି ୱିକେଟକିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନଙ୍କୁ ଟିମରେ ସାମିଲ୍ କରାଯାଇଛି। ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଡିସେମ୍ବର ୬ ତାରିଖରୁ ଆରମ୍ଭ ହେବ।
ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଦିଲ୍ଲୀ ପକ୍ଷରୁ ଖେଳୁଥିବା ଧୱନଙ୍କୁ ମହାରାଷ୍ଟ୍ର ବିପକ୍ଷ ମ୍ୟାଚରେ ବାମ ଆଣ୍ଠୁରେ ଆଘାତ ଲାଗିଥିଲା। ନିକଟରେ ଧୱନ୍ ନିଜର ଆଘାତ ନେଇ ଟ୍ୱିଟରରେ ଫଟୋ ଶେଆର କରିଥିଲେ ଏବଂ ତାଙ୍କୁ ଫିଟ୍ ହେବା ପାଇଁ ୪-୫ ଦିନ ସମୟ ଲାଗିବ ବୋଲି କହିଥିଲେ। କିନ୍ତୁ ଏବେବି ସେ ଅନଫିଟ୍ ଥିବାରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ଖେଳି କୌଣସି ରିସ୍କ ଉଠାଇବାକୁ ଚାହୁଁନାହାନ୍ତି। ଏ ନେଇ ବିସିସିଆଇର ମେଡିକାଲ୍ ଟିମ୍ କହିଛି ଯେ, ତାଙ୍କୁ ଫିଟ୍ ହେବା ପାଇଁ ଆଉ କିଛି ଦିନର ସମୟ ଲାଗିବ।
ଧୱନଙ୍କ ବାଦ୍ ହେବା କାରଣରୁ ଚୟନ କମିଟି ୧୫ଜଣିଆ ଟିମରେ ସାମସନଙ୍କୁ ସାମିଲ୍ କରିଛନ୍ତି। ସଞ୍ଜୁ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ୍ ପାଇଁ ମଧ୍ୟ ଭାରତୀୟ ଦଳରେ ସ୍ଥାନ ପାଇଥିଲେ, କିନ୍ତୁ ସେ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ପାଇନଥିଲେ। ଏହା ପରେ ତାଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଟିମରେ ସାମିଲ୍ କରାଯାଇନଥିଲା। କାରଣ ବାଂଲାଦେଶ ବିପକ୍ଷ ସିରିଜରେ ସେ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ସ୍ଥାନରେ ସାମିଲ୍ ହୋଇଥିଲେ। କିନ୍ତୁ ଏବେ ଧୱନଙ୍କ ଆହତ ହେବା ତାଙ୍କ ପାଇଁ ବରଦାନ ସ୍ୱରୂପ ହୋଇଛି। ସଞ୍ଜୁଙ୍କ ଚୟନ ନହେବା ନେଇ କଂଗ୍ରେସ ସାଂସଦ ଶଶୀ ଥରୁର୍ ଓ ବିଶ୍ୱକପ୍ ବିଜେତା ହରଭଜନ ସିଂହ ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦଙ୍କୁ କଡ଼ା ସମାଲୋଚନା କରିଥିଲେ।
ଭାରତୀୟ ଟି-୨୦ ସ୍କ୍ୱାଡ୍: ବିରାଟ୍ କୋହଲି (କ୍ୟାପଟେନ୍), ରୋହିତ୍ ଶର୍ମା, ଲୋକେଶ ରାହୁଲ୍, ଶ୍ରେୟସ ଆୟର୍, ମନିଷ ପାଣ୍ଡେ, ଋଷଭ ପନ୍ତ (ୱିକେଟକିପର), ଶିବମ ଦୁବେ, ୟୁଜବେନ୍ଦ୍ର ଚହଲ୍, କୁଲଦୀପ ଯାଦବ, ଦୀପକ ଚହର୍, ମହମ୍ମଦ ଶାମି, ଭୁବନେଶ୍ୱର କୁମାର, ସଞ୍ଜୁ ସାମସନ୍।