ରବିବାରଠାରୁ ଦିନିକିଆ ସିରିଜ୍‌: ଇଣ୍ଡିଜ୍ ବିପକ୍ଷରେ ଟିମ୍ ଇଣ୍ଡିଆ ଫେଭରିଟ୍‌

ଚେନ୍ନାଇ: ଟି-୨୦ ସିରିଜ୍ ପରେ ଆସନ୍ତାକାଲିଠାରୁ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ ସିରିଜ୍ ଆରମ୍ଭ ହେବ। ପ୍ରଥମ ଦିନିକିଆ ଚେନ୍ନାଇର ଏମ୍‌. ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ। ଟି-୨୦ ଭଳି ଦିନିକିଆ ସିରିଜରେ ମଧ୍ୟ ଭାରତକୁ ଫେଭରିଟ୍ କୁହାଯାଉଛି। ୱେଷ୍ଟଇଣ୍ଡିଜକୁ ହରାଇ ଭାରତ ଲଗାତର ଦଶମ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍ ଜିତିବାକୁ ଲକ୍ଷ୍ୟ ରଖିଛି। ଗତ ୨୪ ଘଣ୍ଟା ଧରି ଏଠାରେ ବର୍ଷା ହେଉଛି, ଯେଉଁ କାରଣୁ ଉଭୟ ଦଳର ନଜର ପାଣିପାଗ ଉପରେ ରହିଛି। ପିଚ୍ […]

india

Ranjit Kumar Jena
  • Published: Saturday, 14 December 2019
  • , Updated: 14 December 2019, 05:14 PM IST

ଚେନ୍ନାଇ: ଟି-୨୦ ସିରିଜ୍ ପରେ ଆସନ୍ତାକାଲିଠାରୁ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ ସିରିଜ୍ ଆରମ୍ଭ ହେବ। ପ୍ରଥମ ଦିନିକିଆ ଚେନ୍ନାଇର ଏମ୍‌. ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ। ଟି-୨୦ ଭଳି ଦିନିକିଆ ସିରିଜରେ ମଧ୍ୟ ଭାରତକୁ ଫେଭରିଟ୍ କୁହାଯାଉଛି। ୱେଷ୍ଟଇଣ୍ଡିଜକୁ ହରାଇ ଭାରତ ଲଗାତର ଦଶମ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍ ଜିତିବାକୁ ଲକ୍ଷ୍ୟ ରଖିଛି। ଗତ ୨୪ ଘଣ୍ଟା ଧରି ଏଠାରେ ବର୍ଷା ହେଉଛି, ଯେଉଁ କାରଣୁ ଉଭୟ ଦଳର ନଜର ପାଣିପାଗ ଉପରେ ରହିଛି। ପିଚ୍ ଓଦା ରହିବା କାରଣରୁ ସନ୍ଧ୍ୟାରେ ଭାରତର ଅଭ୍ୟାସ ସେସନ୍ ବାତିଲ କରାଯାଇଥିଲା।

ଚେନ୍ନାଇରେ ଭାରତର ରେକର୍ଡ ଭଲ ରହିଛି। ଭାରତ ଏଠାରେ ୧୨ ମ୍ୟାଚରୁ ୭ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ହାରିଛି। ସେହିପରି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ଏଠାରେ ୪ଟି ମ୍ୟାଚ୍ ଖେଳାଯାଇଛି, ଯେଉଁଥିରେ ଆୟୋଜକ ଦଳ ୩ଟିରେ ବିଜୟୀ ହୋଇଛି। ତେବେ ୱେଷ୍ଟଇଣ୍ଡିଜ୍ ଦଳ ଏଠାରେ ଭାରତ ବିପକ୍ଷରେ ହିଁ ଏକମାତ୍ର ବିଜୟ ହାସଲ କରିଛି। ଆୟୋଜକ ଟିମକୁ ପେସ୍ ବୋଲର ଭୁବନେଶ୍ୱର କୁମାର ଓ ଶିଖର ଧୱନଙ୍କ ଅନୁପସ୍ଥିତି ଅନୁଭୂତି ହେବ। ଭୁବନେଶ୍ୱର କୁମାର ଗ୍ରୋଇନ୍ ଇଞ୍ଜୁରି ଏବଂ ଧୱନ୍ ମୁସ୍ତାକ୍ ଅଲୀ ଟ୍ରଫିରେ ଲାଗିଥିବା ଆହତରୁ ଏପର୍ଯ୍ୟନ୍ତ ସୁସ୍ଥ ହୋଇପାରିନାହାନ୍ତି।

ଆଇପିଏଲରେ ଚେନ୍ନାଇ ସୁପର୍ କିଙ୍ଗସ୍ ପକ୍ଷରୁ ଖେଳୁଥିବା ମୁମ୍ବାଇର ଶାର୍ଦ୍ଦୁଲ ଠାକୁରଙ୍କୁ ଆହତ ଭୁବନେଶ୍ୱର କୁମାରଙ୍କ ବିକଳ୍ପ ଭାବେ ଭାରତୀୟ ଟିମରେ ସାମିଲ୍ କରାଯାଇଛି। ମୁମ୍ବାଇର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଓ ଲୋକେଶ ରାହୁଲଙ୍କ ବ୍ୟତୀତ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଦମଦାର୍ ଇନିଂସ୍ ବଳରେ ଟି-୨୦ ସିରିଜ୍ ଜିତିବା ପରେ ଭାରତୀୟ ଟିମ୍ ଭଲ ଲୟରେ ଅଛି। ଧୱନଙ୍କ ଅନୁପସ୍ଥିତିରେ ଦିନିକିଆ ସିରିଜରେ ରୋହିତଙ୍କ ସହ ରାହୁଲ୍ ଇନିଂସ୍ ଓପନ୍ କରିପାରନ୍ତି।

ମୟଙ୍କଙ୍କୁ ମିଳିପାରେ ସୁଯୋଗ: ମୟଙ୍କ ଅଗ୍ରୱାଲଙ୍କୁ ଧୱନଙ୍କ ସ୍ଥାନରେ ସାମିଲ୍ କରାଯାଇଛି ଏବଂ ତାଙ୍କୁ ଦିନିକିଆ କ୍ରିକେଟରେ ପଦାର୍ପଣ କରିବା ପଇଁ ସୁଯୋଗ ମିଳୁଛି କି ନାହିଁ, ତାହା ରବିବାର ଜଣାପଡ଼ିବ। କର୍ଣ୍ଣାଟକର ଏହି ବ୍ୟାଟ୍ସମ୍ୟାନ୍ ଟେଷ୍ଟ କ୍ରିକେଟରେ ଜବରଦସ୍ତ ଫର୍ମରେ ଥିଲେ ଏବଂ ଡିଣ୍ଡିଗୁଲରେ ତାମିଲନାଡ଼ୁ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ୍ ଖେଳିବା ପରେ ସେ ଟିମ୍ ସହ ଯୋଗ ଦେଇଛନ୍ତି।

ଚତୁର୍ଥ ସ୍ଥାନ ପାଇଁ ଆୟର୍ ଫିଟ୍‌: ଶ୍ରେୟ ଆୟର୍ ସୁଯୋଗର ଫାଇଦା ଉଠାଇବାରେ ସଫଳ ରହିଛନ୍ତି ଏବଂ ତାଙ୍କୁ ଚତୁର୍ଥ ସ୍ଥାନରେ ପୁଣି ଖେଳାଯିବା ନେଇ ଆଶା ରହିଛି। ଏହି ସ୍ଥାନ ବିଗତ ଦିନ ଗୁଡ଼ିକରେ ଚର୍ଚ୍ଚାର ବିଷୟ ରହିଆସିଛି। ଅମ୍ବାତି ରାୟୁଡୁ ଓ ବିଜୟ ଶଙ୍କର ସମେତ ଅନେକ ଖେଳାଳିଙ୍କୁ ଏହି ସ୍ଥାନରେ ସୁଯୋଗ ଦିଆଯାଇଛି, ଯାହା ପରେ ଆୟର ଏହି କ୍ରମରେ ନିଜ ସ୍ଥାନ ପକ୍କା କରିବା ପ୍ରୟାସରେ ଲାଗିଛନ୍ତି। ସମସ୍ତଙ୍କ ନଜର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ଉପରେ ରହିବ, ଯିଏ ନିକଟରେ ବ୍ୟାଟିଂ ଓ ଗ୍ଲୋଭସରେ ପ୍ରଭାବୀ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ପ୍ରଥମ ଦିନିକିଆ ଜରିଆରେ ତାଙ୍କୁ ପୁଣିଥରେ କୋହଲି ଓ ଟିମ୍ ମ୍ୟାନେଜମେଣ୍ଟଙ୍କ ଭରସାକୁ ଯଥାର୍ଥତା ପ୍ରମାଣ କରିବାକୁ ସୁଯୋଗ ମିଳିବ।

ୟୁଜବେନ୍ଦ୍ର ଚହଲ୍ ଓ କୁଲଦୀପ ଯାଦବଙ୍କ ସ୍ପିନ୍ ଯୋଡ଼ିଙ୍କୁ ଚେପକର ସ୍ପିନିଂ ଟ୍ରାକରେ ପୁଣିଥରେ ଖେଳିବାର ସୁଯୋଗ ମିଳୁଛି କି ନାହିଁ, ତାହା ଦେଖିବାକୁ ପଡ଼ିବ। ଦୁହେଁ ଶେଷଥର ପାଇଁ ବିଶ୍ୱକପରେ ଏକାଠି ଖେଳିଥିଲେ । ଅଭିଜ୍ଞ ମହମ୍ମଦ ଶାମି ଓ ଦୀପକ ଚହରଙ୍କ ସମ୍ଭବତ ପେସ୍ ଆକ୍ରମଣ ସମ୍ଭାଳିବେ ଏବଂ ସେମାନଙ୍କୁ ୱେଷ୍ଟଇଣ୍ଡିଜର ଆକ୍ରମଣାତ୍ମକ ବ୍ୟାଟିଂଲାଇନକୁ ସାମ୍ନା କରିବାକୁ ପଡ଼ିବ।
ଭ୍ରମଣକାରୀ ଦଳ ପାଇଁ ଓପନିଂ ବ୍ୟାଟ୍ସମ୍ୟାନ୍ ଏଭିନ୍ ଲୁଇସଙ୍କ ଆହତ ମୁଖ୍ୟ ଚିନ୍ତାର ବିଷୟ। ମୁମ୍ବାଇରେ ଖେଳାଯାଇଥିବା ଅନ୍ତିମ ଟି-୨୦ରେ ଫିଲ୍ଡିଂ କରୁଥିବା ବେଳେ ସେ ଆହତ ହୋଇଥିଲେ। ଲୁଇସ୍ ଏପର୍ଯ୍ୟନ୍ତ ଫିଟ୍ ହୋଇଛନ୍ତି କି ନାହିଁ, ତାହା ଜଣାପଡ଼ିନାହିଁ । ଟିମ୍ ଅଫିସିଆଲ୍ସ ପକ୍ଷରୁ କୁହାଯାଇଛି ଯେ, ପ୍ରଥମ ଦିନିକିଆ ପୂର୍ବରୁ ତାଙ୍କ ଆହତର ଆକଳନ କରାଯିବ। ଟି-୨୦ରେ ତ ଭ୍ରମଣକାରୀ ଦଳର ବ୍ୟାଟିଂ ବିଭାଗ ସଫଳ ହେଲେ। କିନ୍ତୁ ଦିନିକିଆ କ୍ରିକେଟ୍ ସମ୍ପୂର୍ଣ୍ଣ ଭିନ୍ନ। ଦିନିକିଆରେ ବ୍ୟାଟ୍ସମ୍ୟାନଙ୍କ ଉପରେ ଆକ୍ରମଣାତ୍ମକ ବ୍ୟାଟିଂ କରିବା ସହ ୱିକେଟ୍ ବଞ୍ଚାଇବାର ଦାୟିତ୍ୱ ମଧ୍ୟ ରହିବ।
ଇଣ୍ଡିଜ୍ ଦଳ ପାଇଁ ଶିମରନ୍ ହେଟମେୟର୍ ଓ ନିକୋଲାସ ପୁରନୟ ଛୋଟିଆ ଫର୍ମାଟରେ ନିଜର ଦକ୍ଷତା ଦେଖାଇ ସାରିଛନ୍ତି। ତେବେ ୫୦ ଓଭର କ୍ରିକେଟରେ ଭାରତକୁ ଚକମା ଦେବାକୁ ହେଲେ, ଦୁହିଁଙ୍କୁ ଏଭଳି ପ୍ରଦର୍ଶନ କରିବାକୁ ପଡ଼ିବ। ଅଲରାଉଣ୍ଡର ରୋଷ୍ଟନ ଚେଜଙ୍କୁ ଅନ୍ତିମ ଏକାଦଶରେ ସୁଯୋଗ ମିଳିପାରେ। ସେ ଆକ୍ରମଣାତ୍ମକ ବ୍ୟାଟିଂ ଦ୍ୱାରା ବ୍ୟାଟିଂକ୍ରମକୁ ସ୍ଥିରତା ଦେଇପାରନ୍ତି। କ୍ୟାପଟେନ୍ କାଇରନ୍ ପୋଲାର୍ଡଙ୍କ ଉପରେ ବଡ଼ ଦାୟିତ୍ୱ ରହିବ। ଯେହେତୁ ପୋଲାର୍ଡ ବର୍ତ୍ତମାନ ଟିମର ସବୁଠାରୁ ସିନିୟର ଖେଳାଳି, ତେଣୁ ସେ ନିଜ ପ୍ରଦର୍ଶନ ଦ୍ୱାରା ସାଥୀ ଖେଳାଳିଙ୍କୁ ପ୍ରେରଣା ଯୋଗାଇବାକୁ ଚାହିଁବେ। ଟିମର ବୋଲିଂ ନେତୃତ୍ୱ ନେବେ ଶେଲଡନ୍ କଟ୍ଟରେଲ୍। ଜବରଦସ୍ତ ଫର୍ମରେ ଥିବା ରୋହିତ୍ ଓ କୋହଲିଙ୍କୁ ରୋକିବା ତାଙ୍କ ପକ୍ଷେ ନିଶ୍ଚିତ ଚ୍ୟାଲେଞ୍ଜିଂ ହେବ। ଲେଗ୍ ସ୍ପିନର୍ ହେଡେନ୍ ୱାଲ୍ସ ଟି-୨୦ରେ ଭଲ ପ୍ରଦର୍ଶନ କରିଥିଲେ ଏବଂ ଦିନିକିଆରେ ସେ ଏହାକୁ ଦୋହରାଇବାକୁ ଚାହିଁବେ।

ଭାରତ: ବିରାଟ୍ କୋହଲି (କ୍ୟାପଟେନ୍‌), ରୋହିତ୍ ଶର୍ମା (ଭାଇସ-କ୍ୟାପଟେନ୍‌), ମୟଙ୍କ ଅଗ୍ରୱାଲ୍‌, ଲୋକେଶ ରାହୁଲ୍‌, ଶ୍ରେୟସ୍ ଆୟର୍‌, ମନିଷ ପାଣ୍ଡେ, ଋଷଭ ପନ୍ତ (ୱିକେଟକିପର), ଶିବମ ଦୁବେ, କେଦାର ଯାଦବ, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ୍‌, ଦୀପକ ଚହର୍‌, ମହମ୍ମଦ ଶାମି, ଶାର୍ଦ୍ଦୁଲ ଠାକୁର।

ୱେଷ୍ଟଇଣ୍ଡିଜ୍‌: କାଇରନ୍ ପୋଲାର୍ଡ (କ୍ୟାପଟେନ୍‌), ସୁନୀଲ ଅମ୍ବ୍ରିସ୍‌, ଶାଇ ହୋପ୍‌, ଖାରୀ ପିଏରୀ, ରୋଷ୍ଟନ୍ ଚେଜ୍‌, ଅଲଜାରୀ ଯୋଶେଫ୍‌, କାଇରନ୍ ପୋଲାର୍ଡ (କ୍ୟାପଟେନ୍‌), ଶେଲଡନ୍ କଟ୍ଟରେଲ୍‌, ବ୍ରାଣ୍ଡନ୍ କିଙ୍ଗ୍‌, ନିକୋଲାସ ପୁରନ୍‌, ଶିମରନ୍ ହେଟମେୟର୍‌, ଏଭିନ୍ ଲୁଇସ୍‌, ରୋମାରିଓ ଶେଫର୍ଡ, ଜେସନ୍ ହୋଲ୍ଡର୍‌, କୀମୋ ପଲ୍‌, ହେଡେନ୍ ୱାଲ୍ସ ଜୁନିୟର।

Related story