କଙ୍ଗାରୁ ଟିମ୍‌କୁ ପରାଜୟରୁ ରକ୍ଷା କରିପାରିଲେନି କମିନ୍‌ସ; ବାଜି ମାରିଲା ବିରାଟ ବାହିନୀ

ମେଲବର୍ଣ୍ଣ: କିଛି ସମୟ ପାଇଁ ବର୍ଷା ବାଧା ସାଜିଥିଲା, କିନ୍ତୁ ଭାରତର ବିଜୟ ରଥକୁ ଅଟକାଇ ପାରିଲା ନାହିଁ। ମ୍ୟାଚ୍ ଆରମ୍ଭ ହେବାର ମାତ୍ର କିଛି ସମୟ ମଧ୍ୟରେ ଭାରତ କଙ୍ଗାରୁ ଟିମ୍‌ର ବାକି ଦୁଇଟି ୱିକେଟ୍ ନେଇ ମେଲବର୍ଣ୍ଣରେ ଖେଳା ଯାଉଥିବା ତୃତୀୟ ଟେଷ୍ଟ୍ ମ୍ୟାଚ୍ ଜିତି ଯାଇଛି। ଦଳ ଅଷ୍ଟ୍ରେଲିଆକୁ ୧୩୭ ରନ୍‌ରେ ପରାସ୍ତ କରିଛି। ଆଉ ଏହା ସହିତ ୪ଟି ମ୍ୟାଚ୍ ବିଶିଷ୍ଟ୍ ଏହି ସିରିଜ୍‌ରେ ଭାରତ ୨-୧ରେ ଆଗୁଆ ରହିଛି। ଏହି […]

india

Jitendra Garnayak
  • Published: Sunday, 30 December 2018
  • , Updated: 30 December 2018, 08:37 AM IST

ମେଲବର୍ଣ୍ଣ: କିଛି ସମୟ ପାଇଁ ବର୍ଷା ବାଧା ସାଜିଥିଲା, କିନ୍ତୁ ଭାରତର ବିଜୟ ରଥକୁ ଅଟକାଇ ପାରିଲା ନାହିଁ। ମ୍ୟାଚ୍ ଆରମ୍ଭ ହେବାର ମାତ୍ର କିଛି ସମୟ ମଧ୍ୟରେ ଭାରତ କଙ୍ଗାରୁ ଟିମ୍‌ର ବାକି ଦୁଇଟି ୱିକେଟ୍ ନେଇ ମେଲବର୍ଣ୍ଣରେ ଖେଳା ଯାଉଥିବା ତୃତୀୟ ଟେଷ୍ଟ୍ ମ୍ୟାଚ୍ ଜିତି ଯାଇଛି। ଦଳ ଅଷ୍ଟ୍ରେଲିଆକୁ ୧୩୭ ରନ୍‌ରେ ପରାସ୍ତ କରିଛି। ଆଉ ଏହା ସହିତ ୪ଟି ମ୍ୟାଚ୍ ବିଶିଷ୍ଟ୍ ଏହି ସିରିଜ୍‌ରେ ଭାରତ ୨-୧ରେ ଆଗୁଆ ରହିଛି। ଏହି ମ୍ୟାଚ୍‌ରେ ୯ଟି ୱିକେଟ୍ ନେଇଥିବା ଯଶପ୍ରୀତ୍ ବୁମ୍ରାଙ୍କୁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ପୁରସ୍କାର ପ୍ରଦାନ କରାଯାଇଛି।

୩୭ ବର୍ଷ ପରେ ଭାରତ ମେଲବର୍ଣ୍ଣରେ ଟେଷ୍ଟ୍ ମ୍ୟାଚ୍ ଜିତିଛି। ଏହା ପୂର୍ବରୁ ୧୯୮୧ ମସିହାରେ ଭାରତ ଏଠାରେ ଜିତିଥିଲା। ସେହିପରି ଅଷ୍ଟ୍ରେଲିଆ ମାଟିରେ ଏହାକୁ ମିଶାଇ ଭାରତ ମୋଟ୍ ୭ଟି ଟେଷ୍ଟ୍ ମ୍ୟାଚ୍‌ରେ ବିଜୟୀ ହୋଇଛି। ଆଡେଲେଡ୍‌ରେ ଖେଳା ଯାଇଥିବା ଚଳିତ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ବି ଭାରତ ଜିତିଥିଲା।

ବର୍ଷା ଯୋଗୁ ଆଜି ପଞ୍ଚମ ଦିନର ଖେଳ ବିଳମ୍ବରେ ଆରମ୍ଭ ହୋଇଥିଲା। ଅଷ୍ଟ୍ରେଲିଆ ବିଜୟ ପାଇଁ ୧୪୧ ରନ୍ ଦରକାର କରୁଥିବା ବେଳେ ଭାରତ ମାତ୍ର ଦୁଇଟି ୱିକେଟ୍ ଆବଶ୍ୟକ କରୁଥିଲା।

ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ୬୧ ରନ୍ କରି ଅପରାଜିତ ଥିବା ପ୍ୟାଟ୍ କମିନ୍‌ସ ଓ ୬ ରନ୍ କରି ଅପରାଜିତ ଥିବା ନେଥନ ଲିଅନ ଆଜି ଅସମାପ୍ତ ପାଳିକୁ ଆଗେଇ ନେବାକୁ ପଡ଼ିଆକୁ ଓହ୍ଲାଇଥିଲେ। ତେବେ ଗତକାଲି ଭାରତର ବିଜୟରେ ବିଳମ୍ବ ଘଟାଇଥିବା କମିନ୍‌ସ ଆଜି ଆଉ ଅଧିକ ସମୟ ବାଧା ଦେଇ ପାରି ନଥିଲେ। ଆଜି ମାତ୍ର ୧୧ଟି ବଲ୍‌ର ସମ୍ମୁଖୀନ ହେବାକୁ ସେ ସମର୍ଥ ହୋଇଥିଲେ। ୮୮.୨ ଓଭରରେ ଯଶପ୍ରୀତ୍ ବୁମ୍ରାଙ୍କ ଏକ ବଲ୍‌ରେ ସେ ଚେତେଶ୍ୱର ପୂଜାରାଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ୧୧୪ଟି ବଲ୍‌ରେ ୬୩ ରନ୍ କରି ସେ ଆଉଟ୍ ହୋଇଯାଇଥିଲେ।

କମିନ୍‌ସ ଆଉଟ୍ ହେବା ପରେ ନେଥନ ଲିଅନ ମଧ୍ୟ ଅଧିକ ସମୟ ରହିପାରି ନଥିଲେ। ୮୯.୩ ଓଭରରେ ସେ ଈଶାନ୍ତ ଶର୍ମାଙ୍କ ଶିକାର ହୋଇଥିଲେ। ୱିକେଟ୍ କିପର୍ ଋଷଭ ପନ୍ତଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ। ଗତକାଲି ନେଥନ୍ ୬ ରନ୍ କରିଥିବା ବେଳେ ଆଜି ବ୍ୟକ୍ତିଗତ ଖାତାରେ ଆଉ କେବଳ ଗୋଟିଏ ରନ୍ ଯୋଡ଼ିବାକୁ ସମର୍ଥ ହୋଇଥିଲେ।

ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ଓ ରବୀନ୍ଦ୍ର ଜାଡେଜା ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ଈଶାନ୍ତ ଶର୍ମା ଓ ମହମ୍ମଦ ଶାମୀ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

ଏହି ଟେଷ୍ଟର ପ୍ରଥମ ଇନିଂସ୍‌ରେ ଭାରତ ୭ ୱିକେଟ୍ ହରାଇ ୪୪୩ ରନ୍ କରିବା ପରେ ପାଳି ଘୋଷଣା କରିଥିଲା। ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୧୫୧ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ଫଳରେ ଭାରତ ୨୯୨ ରନ୍‌ର ଅଗ୍ରଣୀ ଲାଭ କରିଥିଲା। ଦ୍ୱିତୀୟ ଇନିଂସ୍‌ରେ ଭାରି ୮ ୱିକେଟ୍ ହରାଇ ୧୦୬ ରନ୍ କରିଥିଲା ଓ ବିଜୟ ପାଇଁ ଘରୋଇ ଟିମ୍‌କୁ ୩୯୯ ରନ୍‌ର ଟାର୍ଗେଟ୍ ଦେଇଥିଲା। ତେବେ ଦ୍ୱିତୀୟ ଇନିଂସ୍‌ରେ ଘରୋଇ ଦଳ ୨୬୧ ରନ୍‌ରେ ଅଲ୍ ଆଉଟ୍ ହୋଇଯାଇଥିଲା।

ଭାରତ ପକ୍ଷରୁ ପ୍ରଥମ ଇନିଂସ୍‌ରେ ଚେତେଶ୍ୱର ପୂଜାରା ୧୦୬ ରନ୍ କରିଥିବା ବେଳେ ଅଧିନାୟକ ବିରାଟ କୋହଲି ୮୨, ରୋହିତ ଶର୍ମା ୬୩ ଓ ନବାଗତ ମୟଙ୍କ ଅଗ୍ରୱାଲ୍ ୭୬ ରନ୍ କରିଥିଲେ। ତେବେ ଦ୍ୱିତୀୟ ଇନିଂସ୍‌ରେ ପୂଜାରା ଓ କୋହଲି ଖାତା ଖୋଲି ପାରି ନଥିଲେ।

ଏହି ମ୍ୟାଚ୍‌ରେ ଯଶପ୍ରୀତ୍ ବୁମ୍ରା ୯ଟି (ପ୍ରଥମ ଇନିଂସ୍‌ରେ ୬, ଦ୍ୱିତୀୟ ଇନିଂସ୍‌ରେ ୩) ୱିକେଟ୍ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ୫ଟି, ଈଶାନ୍ତ ଶର୍ମା ଓ ମହମ୍ମଦ ଶାମୀ ୩ଟି ଲେଖାଏ ୱିକେଟ୍ ନେଇଥିଲେ।

ଚଳିତ ଟେଷ୍ଟ୍ ସିରିଜ୍‌ର ଚତୁର୍ଥ ତଥା ଅନ୍ତିମ ମ୍ୟାଚ୍ ଜାନୁଆରୀ ୩ ତାରିଖରୁ ସିଡ୍‌ନୀରେ ଖେଳାଯିବ।

Related story