ସୁଲତାନ୍ ଜୋହର୍ କପ୍: ଶିଳାନନ୍ଦଙ୍କ ଡବଲ୍, ଫାଇନାଲରେ ଭାରତ

ଜୋହର୍ ବାହରୁ (ମ୍ୟାଲେସିୟା): ଓଡ଼ିଆ ତାରକା ଶିଳାନନ୍ଦ ଲାକ୍ରାଙ୍କ ଡବଲ୍ ଗୋଲ୍ ବଳରେ ଭାରତୀୟ ଜୁନିୟର ହକି ଟିମ୍ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୫-୧ ଗୋଲରେ ହରାଇ ସୁଲତାନ ଜୋହର କପ୍ ଫାଇନାଲରେ ପ୍ରବେଶ କରିଛି। ଭାରତ ପକ୍ଷରୁ ଶିଳାନନ୍ଦ ଦୁଇଟି (୨୬ତମ, ୨୯ତମ), ଦିଲପ୍ରୀତ ସିଂହ (୪୪ତମ), ଗୁରସାହିବଜିତ୍ ସିଂହ (୪୮ତମ) ଓ ମନଦୀପ ମୋର୍ (୫୦ତମ) ଗୋଲ୍ ଦେଇଥିଲେ। ସେହିପରି ଅଷ୍ଟ୍ରେଲିଆ ପକ୍ଷରୁ ଆରୋନ୍ ନାଇଟ୍ (୫୭ତମ) ଏକମାତ୍ର ଗୋଲ୍ ପରିଶୋଧ କରିଥିଲେ। ଚଳିତ ଟୁର୍ଣ୍ଣାମେଣ୍ଟରେ […]

indian-hockey-team

indian-hockey-team

Ranjit Kumar Jena
  • Published: Wednesday, 16 October 2019
  • Updated: 16 October 2019, 06:21 PM IST

Sports

Latest News

ଜୋହର୍ ବାହରୁ (ମ୍ୟାଲେସିୟା): ଓଡ଼ିଆ ତାରକା ଶିଳାନନ୍ଦ ଲାକ୍ରାଙ୍କ ଡବଲ୍ ଗୋଲ୍ ବଳରେ ଭାରତୀୟ ଜୁନିୟର ହକି ଟିମ୍ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୫-୧ ଗୋଲରେ ହରାଇ ସୁଲତାନ ଜୋହର କପ୍ ଫାଇନାଲରେ ପ୍ରବେଶ କରିଛି। ଭାରତ ପକ୍ଷରୁ ଶିଳାନନ୍ଦ ଦୁଇଟି (୨୬ତମ, ୨୯ତମ), ଦିଲପ୍ରୀତ ସିଂହ (୪୪ତମ), ଗୁରସାହିବଜିତ୍ ସିଂହ (୪୮ତମ) ଓ ମନଦୀପ ମୋର୍ (୫୦ତମ) ଗୋଲ୍ ଦେଇଥିଲେ। ସେହିପରି ଅଷ୍ଟ୍ରେଲିଆ ପକ୍ଷରୁ ଆରୋନ୍ ନାଇଟ୍ (୫୭ତମ) ଏକମାତ୍ର ଗୋଲ୍ ପରିଶୋଧ କରିଥିଲେ।

ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ତା'ର ପ୍ରଥମ ଦୁଇଟି ମ୍ୟାଚରେ ଯଥାକ୍ରମେ ମ୍ୟାଲେସିୟା (୪-୨) ଓ ନ୍ୟୁଜିଲ୍ୟାଣ୍ଡ (୮-୨)କୁ ହରାଇଥିବା ବେଳେ ତୃତୀୟ ମ୍ୟାଚରେ ଜାପାନ (୩-୪) ନିକଟରୁ ପରାସ୍ତ ହୋଇଥିଲା। ତେବେ ଆଜି ମ୍ୟାଚ୍ ଜିତି ଭାରତ ପ୍ରଥମ ଦଳ ଭାବେ ଫାଇନାଲରେ ସ୍ଥାନ ପକ୍କା କରିଛି। ଭାରତ ତା'ର ପଞ୍ଚମ ତଥା ଅନ୍ତିମ ଲିଗ୍ ମ୍ୟାଚ୍ ଆସନ୍ତା ୧୮ ତାରିଖରେ ଗ୍ରେଟ୍ ବ୍ରିଟେନ୍ ବିପକ୍ଷରେ ଖେଳିବ। ଏହି ବିଜୟ ସହ ଭାରତ ଷଷ୍ଠଥର ପାଇଁ ଜୋହର କପ୍ ଫାଇନାଲରେ ପହଞ୍ଚିଛି। ଗତ ସଂସ୍କରଣରେ ମଧ୍ୟ ଭାରତ ଫାଇନାଲରେ ପହଞ୍ଚିଥିଲେ ହେଁ, ବ୍ରିଟେନ୍ ନିକଟରୁ ହାରି ରନର୍ସଅପ୍ ହୋଇଥିଲା। ଭାରତ ୨୦୧୩ ଓ ୨୦୧୪ ସଂସ୍କରଣରେ ଟାଇଟଲ୍ ଜିତିଥିବା ବେଳେ ତିନିଥର (୨୦୧୨, ୨୦୧୫, ୨୦୧୮) ରନର୍ସଅପ୍ ହୋଇଥିଲା।

ବୁଧବାର ଖେଳାଯାଇଥିବା ଭାରତ ଓ ଅଷ୍ଟ୍ରେଲିଆ ମ୍ୟାଚ୍ ଆରମ୍ଭରୁ ସଂଘର୍ଷପୂର୍ଣ୍ଣ ହୋଇଥିଲା। ତେବେ ପ୍ରଥମ ମିନିଟରେ ଅଷ୍ଟ୍ରେଲିଆର ଭୁଲ୍ ଯୋଗକୁ ଭାରତକୁ ପ୍ରଥମ ସୁଯୋଗ ମିଳିଥିଲା, କିନ୍ତୁ ରବର୍ଟ ମ୍ୟାକଲିନନାନ୍ ଜବରଦସ୍ତ ଖେଳ ଦେଖାଇ ଗୁରସାହିବଜିତ୍ ସିଂହଙ୍କୁ ଗୋଲ୍ କରିବାକୁ ଦେଇନଥିଲେ। ରବର୍ଟ ବଲକୁ ବାହାରକୁ କରି ନିଜ ଦଳକୁ ପ୍ରଥମ ଝଟକାରୁ ରକ୍ଷା କରିଥିଲେ। ଏହା ପରେ ପୂରା କ୍ୱାର୍ଟରରେ ଅଧିକାଂଶ ସମୟ ମିଡଫିଲ୍ଡରେ ଖେଳ ଦେଖିବାକୁ ମିଳିଥିଲା। ଅଷ୍ଟ୍ରେଲିଆକୁ ଅଷ୍ଟମ ମିନିଟରେ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା, କିନ୍ତୁ ଟିମ୍ ଏହାକୁ ଗୋଲରେ ପରିଣତ କରିପାରିନଥିଲା। ଏହିପରି ଭାବେ ପ୍ରଥମ କ୍ୱାର୍ଟର୍ ଗୋଲଶୂନ୍ୟ ରହିଥିଲା।

ଭାରତ ଦ୍ୱିତୀୟ କ୍ୱାର୍ଟରରେ ଗୋଲକିପର ପ୍ରଶାନ୍ତ ଚୌହାନଙ୍କୁ ମଇଦାନକୁ ଓହ୍ଲାଇଥିଲା। ଏହି କ୍ୱାର୍ଟରରେ ଅଷ୍ଟ୍ରେଲିଆ କିଛି ଭଲ ମୁଭ୍ କରିଥିଲା ଏବଂ ମାଇକେଲ୍ ଫ୍ରାନ୍ସିସଙ୍କଠାରୁ ପାସ୍ ପାଇ ସାମ୍ ମ୍ୟାକକୁଲୋଚ୍ ଗୋଲପୋଷ୍ଟ ନିକଟକୁ ଶଟ୍ ମାରିଥିଲେ, କିନ୍ତୁ ଭାରତୀୟ ଗୋଲକିପର ପ୍ରଶାନ୍ତ ଏହାକୁ ଚମତ୍କାର ଢ଼ଙ୍ଗରେ ରୋକି ନେଇଥିଲେ। ଏହା ପରେ ଭାରତକୁ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା, କିନ୍ତୁ ଗୁରସାହିବଜିତ୍ ଏହାକୁ ଗୋଲରେ ପରିଣତ କରିପାରିନଥିଲେ। କିନ୍ତୁ ୨୬ତମ ମିନିଟରେ ଭାରତ ପାଇଁ ପ୍ରଥମ ସଫଳତା ଆଣିଥିଲେ ଶିଳାନନ୍ଦ ଲାକ୍ରା। ଦିଲପ୍ରୀତଙ୍କ ଦମଦାର୍ ପାସ୍ ଅଷ୍ଟ୍ରେଲିଆ ଡିଫେନ୍ସକୁ ଭେଦ କରିଥିଲା, ଯାହାର ଫାଇଦା ଉଠାଇ ଶିଳାନନ୍ଦ ବଲକୁ ଗୋଲପୋଷ୍ଟ ଭିତରେ ପହଞ୍ଚାଇଥିଲେ।

ଦ୍ୱିତୀୟ କ୍ୱାର୍ଟର୍ ଶେଷ ମୁହୂର୍ତ୍ତରେ ଚୌହାନ ଅଷ୍ଟ୍ରେଲିଆର ଆଉ ଏକ ପ୍ରୟାସକୁ ବ୍ୟର୍ଥ କରିଥିଲେ। ଦିଲପ୍ରୀତ ଓ ଶିଳାନନ୍ଦଙ୍କ ଯୋଡ଼ି ଆଉ ଏକ ମୁଭ୍ ସୃଷ୍ଟି କରିଥିଲେ। ଏଥର ମଧ୍ୟ ଲାକ୍ରା କୌଣସି ଭୁଲ୍ ନକରି ଭାରତ ପାଇଁ ଦ୍ୱିତୀୟ ଗୋଲ୍ ସ୍କୋର କରିଥିଲେ। ଫଳରେ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଭାରତ ୨-୦ରେ ଆଗୁଆ ରହିଥିଲା। ତୃତୀୟ କ୍ୱାର୍ଟରରେ ମଧ୍ୟ ଭାରତର ଆକ୍ରମଣ ଜାରି ରହିଥିଲା। ମ୍ୟାଚର୪୪ତମ ମିନିଟରେ ଦିଲପ୍ରୀତ ଗୋଟିଏ ଗୋଲ୍ ଦେଇ ଭାରତକୁ ୩-୦ରେ ଆଗୁଆ କରାଇଥିଲେ।

ଚତୁର୍ଥ କ୍ୱାର୍ଟରରେ ଗୁରସାହିବଜିତ୍ ୪୮ତମ ମିନିଟରେ ଭାରତ ପାଇଁ ଚତୁର୍ଥ ଗୋଲ୍ ଦେଇଥିବା ବେଳେ ୫୦ତମ ମିନିଟରେ କ୍ୟାପଟେନ୍ ମନଦୀପ ମୋର୍ ପଞ୍ଚମ ଗୋଲ୍ ଦେଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଆରୋନ୍ ନାଇଟ୍ ୫୭ତମ ମିନିଟରେ ଗୋଟିଏ ଗୋଲ୍ ଦେଇଥିଲେ ହେଁ, ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା। ଏହା ପରେ ଆଉ କୌଣସି ଗୋଲ୍ ହୋଇନଥିବା ବେଳେ ଭାରତ ଏକତରଫା ଭାବେ ମ୍ୟାଚକୁ ୫-୧ରେ ଜିତି ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos