କଟକ, (ଓଡ଼ିଶା ରିପୋର୍ଟର୍): ଜବାହରଲାଲ ନେହରୁ ଇନଡୋର୍ ଷ୍ଟାଡିୟମରେ ଚାଲିଥିବା ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅନଶିପର ମହିଳା ଡବଲ୍ସରେ ଭାରତକୁ ସ୍ୱର୍ଣ୍ଣ ପଦକ ଲାଭ ହୋଇଛି।
ସୋମବାର ଅପରାହ୍ଣରେ ଖେଳାଯାଇଥିବା ମହିଳା ଡବଲ୍ସ ଫାଇନାଲରେ ଭାରତର ପୂଜା ସହସ୍ରବୁଦେ୍ଧ ଓ କ୍ରିତ୍ୱିକା ସିହ୍ନା ରୟ ନିଜ ଦେଶର ଶ୍ରୀଜା ଅକୁଲା ଓ ମୌସୁମୀ ପଲଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ଉପରେ କବଜା କରିଛନ୍ତି। ଫାଇନାଲ୍ ମୁକାବିଲା ଆଶା ମୁତାବକ ସଂଘର୍ଷପୂର୍ଣ୍ଣ ହୋଇଥିଲା। କିନ୍ତୁ ଶେଷରେ ପୂଜା ଓ କ୍ରିତ୍ୱିକାଙ୍କ ଯୋଡ଼ି ମୁକାବିଲାକୁ ୩-୧ (୧୧-୯, ୧୧-୮, ୯-୧୧, ୧୨-୧୦)ରେ ବିଜୟୀ ହୋଇ ଏହି ସଫଳତା ହାସଲ କରିଛନ୍ତି।
ଏହା ପୂର୍ବରୁ ଦୁଇ ଫାଇନାଲିଷ୍ଟ ଯୋଡ଼ି ସେମିଫାଇନାଲରେ ବିଜୟୀ ହୋଇଥିଲେ। ସେମିଫାଇନାଲରେ ପୂଜା ଓ କ୍ରିତ୍ୱିକାଙ୍କ ଯୋଡ଼ି ୩-୦ (୧୧-୭, ୧୨-୧୦, ୧୧-୯)ରେ ସିଙ୍ଗାପୁର ଯୋଡ଼ି ରୁଇ ଜୁଆନ୍ ଗୋଇ ଓ ଜିନ୍ ରୁ ୱଙ୍ଗଙ୍କୁ ହରାଇଥିବା ବେଳେ ଅନ୍ୟଏକ ସେମିରେ ଶ୍ରୀଜା ଓ ମୌସୁମୀଙ୍କ ଯୋଡ଼ି ୩-୦ (୧୧-୮, ୧୧-୮, ୧୧-୬)ରେ ନିଜ ଦେଶର ସୁତୀର୍ଥା ମୁଖାର୍ଜୀ ଓ ଅହିକା ମୁଖାର୍ଜୀଙ୍କୁ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।