ବେଙ୍ଗଲୁରୁ: ଆଜିଠାରୁ ଆରମ୍ଭ ହେଉଛି ଆଇପିଏଲ୍ ୨୦୨୨ ପାଇଁ ଖେଳାଳି ନିଲାମୀ । ଦୁଇ ଦିନ ବେଙ୍ଗଳୁରୁରେ ଚାଲିବ ଏହି ମେଗା ଅକ୍ସନ । ୨୦୨୨ ଆଇପିଏଲ୍ରେ ମୋଟ ୫୯୦ ଖେଳାଳିଙ୍କ ନିଲାମି ହେବ । ଏଥିରେ ୩୭୦ ଭାରତୀୟ ଖେଳାଳି ଥିବା ବେଳେ ୨୨୦ ବିଦେଶୀ ଖେଳାଳି ରହିଛନ୍ତି । ଏମାନଙ୍କ ମଧ୍ୟରୁ ୨୨୮ କ୍ୟାପଡ୍ ଏବଂ ୩୫୫ ଅନକ୍ୟାପଡ୍ ଖେଳାଳି ରହିଛନ୍ତି ।
ନିଲାମ ପାଇଁ ୨ କୋଟି ଟଙ୍କା ସର୍ବାଧିକ ରିଜର୍ଭ ଦର ଧାର୍ଯ୍ୟ କରାଯାଇଛି । ୨୦ ଖେଳାଳି ୧.୫ କୋଟି ଟଙ୍କାର ବ୍ରାକେଟରେ ରହିଛନ୍ତି । ୩୪ ଖେଳାଳି ୧ କୋଟିର ରିଜର୍ଭ ପ୍ରାଇସରେ ଅଛନ୍ତି । ଏଥିଲାଗି ଲିଷ୍ଟ ଚୂଡ଼ାନ୍ତ ହୋଇସାରିଥିବା ବେଳେ ଟପ୍ଟେନ୍ରେ ରହିଛନ୍ତି ୪ ଭାରତୀୟ ଖେଳାଳି ।
ଭାରତର ଅଶ୍ୱୀନ, ଶ୍ରେୟସ ଆୟର, ମହମ୍ମଦ ଶାମି ଏବଂ ଶିଖର ଧାଓ୍ୱନଙ୍କ ସହ ୬ ବିଦେଶୀ ଖେଳାଳି ଟପ୍ ଟେନ୍ ଲିଷ୍ଟରେ ସ୍ଥାନ ପାଇଛନ୍ତି । ଟପ୍ ଟେନ୍ ଲିଷ୍ଟରେ ଥିବା ବିଦେଶୀ ଖେଳାଳିମାନେ ହେଲେ ଡେଭିଡ୍ ଓ୍ୱାର୍ଣ୍ଣର, ଫାଫ୍ ଡୁ ପ୍ଲେସି, କେ. ରାବାଡା, ଟ୍ରେଣ୍ଟ ବୋଲ୍ଡ, ପାଟ୍ କମିନ୍ସ ଏବଂ କ୍ୱିଣ୍ଟନ ଡିକକ୍ । ଏମାନଙ୍କ ବେସ୍ ପ୍ରାଇସ୍ ରହିଛି ୨ କୋଟି ଟଙ୍କା ।
ଚଳିତ ଥର ନିଲାମି ଲିଷ୍ଟରେ ୪୪ ନୂଅଆ ଚେହେରାଙ୍କୁ ସ୍ଥାନ ମିଳିଛି । ବଛାବଛା ଟପ୍ ଟେନ୍ ପ୍ଲେୟାର ଲିଷ୍ଟରୁ ଅକ୍ସନ ଆରମ୍ଭ ହେବ ।
ଚଳିତବର୍ଷ ଆଇପିଏଲ ନିଲାମୀରେ ଓଡିଶାର ଦୁଇଜଣ ଖେଳାଳି ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତ ସାମିଲ ହେବେ । ଓସିଏ ପକ୍ଷରୁ ୫ଜଣ ଖେଳାଳିଙ୍କ ନାଁ ଆଇପିଏଲରେ ସାମିଲ ପାଇଁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ନିଲାମୀ ପ୍ରକ୍ରିୟାରେ ସାମିଲ ହେବା ପାଇଁ ୨ଜଣ ଖେଳାଳିଙ୍କୁ ସୁଯୋଗ ମିଳିଛି । ଏବର୍ଷ ଆଇପିଏଲରେ ଆଉ ଦୁଇଟି ନୂଆ ଟିମ୍ ସାମିଲ ହେବେ ।