ଦ୍ୱିତୀୟ ଅନଅଫିସିଆଲ୍ ଦିନିକିଆ: ଭାରତ-ଏ'ର କ୍ରମାଗତ ଦ୍ୱିତୀୟ ବିଜୟ

ଥିରୁଅନନ୍ତପୁରମ୍: ଇଶାନ୍ କିଶନ (୫୫) ଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ଭାରତ-ଏ’ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଅନଅଫିସିଆଲ୍ ଦିନିକିଆରେ ଦକ୍ଷିଣ ଆଫ୍ରିକା-ଏ’କୁ ୨ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ-ଏ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ହୋଇଛି। ବର୍ଷା ଯୋଗୁ ମ୍ୟାଚ୍ ୨୧ ଓଭର ବିଶିଷ୍ଟ କରାଯାଇଥିଲା, ଯେଉଁଥିରେ ଦକ୍ଷିଣ ଆଫ୍ରିକା-ଏ ୫ ୱିକେଟ୍ ବିନିମୟରେ ୧୬୨ ରନ୍ କରିଥିଲା। ଜବାବରେ ଭାରତ-ଏ ୨୦ ଓଭରରେ ୮ ୱିକେଟ୍ ହରାଇ ଆବଶ୍ୟକ ରନ୍ […]

ishan

ishan

Ranjit Kumar Jena
  • Published: Saturday, 31 August 2019
  • Updated: 31 August 2019, 06:35 PM IST

Sports

Latest News

ଥିରୁଅନନ୍ତପୁରମ୍: ଇଶାନ୍ କିଶନ (୫୫) ଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ଭାରତ-ଏ' ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଅନଅଫିସିଆଲ୍ ଦିନିକିଆରେ ଦକ୍ଷିଣ ଆଫ୍ରିକା-ଏ'କୁ ୨ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ-ଏ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ହୋଇଛି। ବର୍ଷା ଯୋଗୁ ମ୍ୟାଚ୍ ୨୧ ଓଭର ବିଶିଷ୍ଟ କରାଯାଇଥିଲା, ଯେଉଁଥିରେ ଦକ୍ଷିଣ ଆଫ୍ରିକା-ଏ ୫ ୱିକେଟ୍ ବିନିମୟରେ ୧୬୨ ରନ୍ କରିଥିଲା। ଜବାବରେ ଭାରତ-ଏ ୨୦ ଓଭରରେ ୮ ୱିକେଟ୍ ହରାଇ ଆବଶ୍ୟକ ରନ୍ କରିନେଇଥିଲା। ବିସ୍ଫୋରକ ବ୍ୟାଟିଂ ପାଇଁ ଇଶାନଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି।

୧୬୩ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଭାରତ-ଏ ପ୍ରଥମରୁ ଓପନିଂ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଏକ୍ୱାଡ (୧)ଙ୍କ ୱିକେଟ୍ ହରାଇଥିଲା। ଅନ୍ୟତମ ଓପ୍ନର ଶୁବମାନ୍ ଗିଲ୍ (୨୦) ଓ କ୍ୟାପଟେନ୍ ମନିଷ ପାଣ୍ଡେ (୧୩) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ଅନମୋଲପ୍ରୀତ ସିଂହ ଓ ଇଶାନ୍ ଚତୁର୍ଥ ୱିକେଟ୍ ପାଇଁ ୫୯ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରି ଟିମକୁ ବିଜୟ ଅଭିମୁଖେ ନେଇଥିଲେ। ଅନମୋଲପ୍ରୀତ ୧୯ ବଲରେ ୨ ଚୌକା ଓ ୨ ଛକା ସହ ୩୦ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

ଏହା ପରେ ସେଟ୍ ବ୍ୟାଟ୍ସମ୍ୟାନ୍ ଇଶାନ୍ ମଧ୍ୟ ନିଜ ୱିକେଟ୍ ହରାଇ ବସିଥିଲେ। ଇଶାନ୍ ନିଜର ଅର୍ଦ୍ଧଶତକୀୟ ଇନିଂସରେ ୨୪ ବଲର ସାମ୍ନା କରି ୫ ଚୌକା ଓ ୪ ଛକା ମାରିଥିଲେ। ଲୋୟର ଅର୍ଡରରେ ଭାରତ ଲଗାତାର ତିନୋଟି ୱିକେଟ୍ ହରାଇ ବିପଦରେ ପଡ଼ିଥିଲା ବେଳେ କୃନାଲ୍ ପାଣ୍ଡ୍ୟା ଅପରାଜିତ ରହି ଟିମକୁ ଜିତାଇଥିଲେ। କୃନାଲ୍ ୧୫ ବଲରେ ୧ ଚୌକା ଓ ୧ ଛକା ସହ ଅପରାଜିତ ୨୩ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଜୁନିୟର ଡାଲା ୨ଟି ୱିକେଟ୍ ନେଇଥିଲେ।

ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା-ଏ ଆରମ୍ଭରୁ ଦୁଇ ଓପ୍ନର ଜାନେମନ୍ ମାଲାନ୍ (୬) ଓ ରୀଜା ହେଣ୍ଡ୍ରିକ୍ସ (୧)ଙ୍କ ୱିକେଟ୍ ହରାଇଥିଲା। ତେବେ ମଧ୍ୟକ୍ରମରେ ଜର୍ଜ ଲିଣ୍ଡେଙ୍କ ଧୂଆଁଧାର ଅର୍ଦ୍ଧଶତକ ଓ କ୍ୟାପଟେନ୍ ତେମ୍ବା ବାଭୁମାଙ୍କ ସଫଳ ବ୍ୟାଟିଂ ବଳରେ ଭ୍ରମଣକାରୀ ଟିମ୍ ୧୬୨ ରନର ସମ୍ମାନଜନକ ସ୍କୋର କରିପାରିଥିଲା। ଲିଣ୍ଡେ ୨୫ ବଲରେ ୧ ଚୌକା ଓ ୫ ଛକା ସହ ଅପରାଜିତ ୫୨ ରନ୍ କରିଥିବା ବେଳେ ବାଭୁମା ୪୦ (୩୦ ବଲ୍, ୬ ଚୌକା), ହେନରିଚ୍ କ୍ଲାସେନ୍ ୩୧ ଓ ଖାୟା ଜୋଣ୍ଡୋ ୨୪ ରନ୍ କରି ଆଉଟ୍ ହୋଇଥିଲେ। ଭାରତ-ଏ ପକ୍ଷରୁ ଦୀପକ ଚହର୍, ଖଲୀଲ ଅହମ୍ମଦ, ୟୁଜବେନ୍ଦ୍ର ଚହଲ୍ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos