କିଙ୍ଗଷ୍ଟନ୍: ଯଶପ୍ରୀତ ବୁମ୍ରା ଭାରତର ତୃତୀୟ ଭାବେ ଟେଷ୍ଟ କ୍ରିକେଟରେ ହ୍ୟାଟ୍ରିକ୍ ସଫଳତା ଅର୍ଜନ କରିଛନ୍ତି। ବୁମ୍ରା ୱେଷ୍ଟଇଣ୍ଡିଜ୍ ବିପକ୍ଷ ସବିନା ପାର୍କରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିବସରେ ୱେଷ୍ଟଇଣ୍ଡିଜ୍ ଇନିଂସର ନବମ ଓଭରରେ ତିନୋଟି ବଲରେ ତିନି ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରି ଏହି କାରନାମା କରିଛନ୍ତି। ବୁମ୍ରା ନବମ ଓଭରର ଦ୍ୱିତୀୟ ବଲରେ ଡାରେନ୍ ବ୍ରାଭୋ (୪), ତୃତୀୟ ବଲରେ ଶାହମାର ବ୍ରୁକ୍ସ (୦) ଓ ଚତୁର୍ଥ ବଲରେ ରୋଷ୍ଟନ୍ ଚେଜ୍ (୦)ଙ୍କୁ ଆଉଟ୍ କରି ହ୍ୟାଟ୍ରିକ୍ ନେଇ ଇତିହାସ ପୃଷ୍ଠାରେ ନିଜ ନାଁକୁ ସାମିଲ୍ କରିଛନ୍ତି।
ତେବେ ଜାମାକାଇର ସବିନା ପାର୍କରେ ନିଆଯାଇଥିବା ଏହି ହ୍ୟାଟ୍ରିକର କଥା ଯେବେ ଉଠିବ, କ୍ୟାପଟେନ୍ ବିରାଟ୍ କୋହଲିଙ୍କ କଥା ନିଶ୍ଚିତ ଉଠିବ। ବିରାଟଙ୍କ ଜିଦ୍ କାରଣରୁ ହିଁ ଏହି ଐତିହାସିକ ହ୍ୟାଟ୍ରିକ୍ ପୂରଣ ହୋଇପାରିଛି। ତେଣୁ ସମସ୍ତେ ଭାବୁଥିବେ ବୁମ୍ରା ତ ହ୍ୟାଟ୍ରିକ୍ ନେଲେ, ତାହେଲେ ଏଥିରେ ବିରାଟଙ୍କର ଭୂମିକା କ'ଣ? ବାସ୍ତବରେ ବୁମ୍ରା ଲଗାତାର ଦୁଇଟି ୱିକେଟ୍ ନେଇସାରିଥିଲେ, କିନ୍ତୁ ତୃତୀୟ ୱିକେଟ୍ ତାଙ୍କୁ ଡିଆରଏସ୍ ଦ୍ୱାରା ମିଳିଥିଲା। ଡିଆରଏସ୍ ନେବାର ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ବିରାଟଙ୍କର ଥିଲା, କାରଣ ବୁମ୍ରା ଡିଆରଏସ୍ ପାଇଁ ମନା କରିଦେଇଥିଲେ। ବୁମ୍ରାଙ୍କୁ ଲାଗୁଥିଲା ଯେ ହୁଏତ ବଲ ପ୍ୟାଡ୍ ପୂର୍ବରୁ ବ୍ୟାଟରେ ବାଜିଛି।
ନବମ ଓଭରର ଚତୁର୍ଥ ବଲ ରୋଷ୍ଟନ୍ ଚେଜଙ୍କ ପ୍ୟାଡରେ ବାଜିଥିଲା, କିନ୍ତୁ ଅମ୍ପାୟାର ଏଥିରେ କୌଣସି ଖାସ୍ ପ୍ରତିକ୍ରିୟା ଦେଇନଥିଲେ। ତେବେ ଏହି ସମୟରେ କୋହଲି କିଛି ଅଲଗା ଭାବୁଥିଲେ । ସେ ବୁମ୍ରାଙ୍କ ଭାବିବା ଆଗରୁ ଡିଆରଏସ୍ ନିଷ୍ପତ୍ତି ନେଇଥିଲେ, ଯାହା ପରେ ଅମ୍ପାୟାରଙ୍କୁ ନିଜ ନିଷ୍ପତ୍ତି ବଦଳାଇବାକୁ ପଡ଼ିଥିଲା, କାରଣ ବଲ୍ ବ୍ୟାଟ୍ ପୂର୍ବରୁ ପ୍ୟାଡରେ ଲାଗିଥିଲା ଏବଂ ଏହା ଲେଗ୍ ଷ୍ଟମ୍ପରେ ସ୍ପର୍ଶ କରୁଥିଲା। ଏହା ପରେ ଭାରତୀୟ ଟିମ୍ ହ୍ୟାଟ୍ରିକ୍ ଉତ୍ସବ ମନାଇବାରେ ଲାଗି ପଡ଼ିଥିଲେ।
ଏହିପରି ଭାବେ ବୁମ୍ରା ଟେଷ୍ଟ କ୍ରିକେଟରେ ହ୍ୟାଟ୍ରିକ୍ ନେବାରେ ତୃତୀୟ ଭାରତୀୟ ବୋଲର ହୋଇଥିଲେ। ହ୍ୟାଟ୍ରିକ୍ ମାମଲାରେ ବୁମ୍ରାଙ୍କ ପୂର୍ବରୁ ଭାରତ ପକ୍ଷରୁ ହରଭଜନ ସିଂହ (ରିକି ପଣ୍ଟିଂ, ଆଡାମ ଗିଲଖ୍ରୀଷ୍ଟ ଓ ଶେନ୍ ୱାର୍ଣ୍ଣ) ୨୦୦୧ରେ ଅଷ୍ଟ୍ରେଲିଆ ବିପକ୍ଷ କୋଲକାତା ଟେଷ୍ଟରେ ହ୍ୟାଟ୍ରିକ୍ ନେଇଥିଲେ। ସେ ଟେଷ୍ଟ କ୍ରିକେଟରେ ହ୍ୟାଟ୍ରିକ୍ ନେବାରେ ପ୍ରଥମ ଭାରତୀୟ ହୋଇଥିଲେ। ତାଙ୍କ ପରେ ଏହି କାରନାମା ଇରଫାନ୍ ପଠାନ୍ (ସଲମାନ୍ ବଟ୍ଟ, ୟୁନିସ୍ ଖାନ୍ ଓ ମହମ୍ମଦ ୟୁସୁଫ୍) ୨୦୦୬ରେ ପାକିସ୍ତାନ ବିପକ୍ଷରେ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।