ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଆଜି ଭାରତୀୟ ଦଳର ଘୋଷଣା କରାଯାଇଛି। ଆଶାମୁତାବକ ଲୋକେଶ ରାହୁଲଙ୍କୁ ଟିମରୁ ବାଦ୍ ଦିଆଯାଇଥିବା ବେଳେ ଯୁବ ବ୍ୟାଟ୍ସମ୍ୟାନ୍ ଶୁବମାନ୍ ଗିଲଙ୍କୁ ସୁଯୋଗ ମିଳିଛି। ଗିଲ୍ ପ୍ରଥମଥର ପାଇଁ ଟେଷ୍ଟ ସ୍କ୍ୱାଡରେ ସାମିଲ୍ ହୋଇଛନ୍ତି । ତେବେ ରାହୁଲଙ୍କ ବାଦ୍ ପଡ଼ିବା ପରେ ଏବେ ସ୍ପଷ୍ଟ ହୋଇଛି ଯେ, ଟି-୨୦ ଓପ୍ନର ଓ ଦିନିକିଆ ଟିମର ଭାଇସ୍ କ୍ୟାପଟେନ୍ ରୋହିତ୍ ଶର୍ମାଙ୍କର ଟେଷ୍ଟ ଖେଳିବା […]

gill

Ranjit Kumar Jena
  • Published: Thursday, 12 September 2019
  • , Updated: 12 September 2019, 05:58 PM IST

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଆଜି ଭାରତୀୟ ଦଳର ଘୋଷଣା କରାଯାଇଛି। ଆଶାମୁତାବକ ଲୋକେଶ ରାହୁଲଙ୍କୁ ଟିମରୁ ବାଦ୍ ଦିଆଯାଇଥିବା ବେଳେ ଯୁବ ବ୍ୟାଟ୍ସମ୍ୟାନ୍ ଶୁବମାନ୍ ଗିଲଙ୍କୁ ସୁଯୋଗ ମିଳିଛି। ଗିଲ୍ ପ୍ରଥମଥର ପାଇଁ ଟେଷ୍ଟ ସ୍କ୍ୱାଡରେ ସାମିଲ୍ ହୋଇଛନ୍ତି । ତେବେ ରାହୁଲଙ୍କ ବାଦ୍ ପଡ଼ିବା ପରେ ଏବେ ସ୍ପଷ୍ଟ ହୋଇଛି ଯେ, ଟି-୨୦ ଓପ୍ନର ଓ ଦିନିକିଆ ଟିମର ଭାଇସ୍ କ୍ୟାପଟେନ୍ ରୋହିତ୍ ଶର୍ମାଙ୍କର ଟେଷ୍ଟ ଖେଳିବା ବାଟ ଫିଟିଛି।

ତେବେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମରେ ସ୍ଥାନ ନମିଳିବା ସମସ୍ତଙ୍କୁ ଚକିତ କରିଛି। ବିଶ୍ୱକପ୍ ପରେ ହାର୍ଦ୍ଦିକ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିନାହାନ୍ତି। ଆହତ ଯୋଗୁ ତାଙ୍କୁ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ମଧ୍ୟ ଚୟନ କରାଯାଇନଥିଲା। କିନ୍ତୁ ଏବେ ହାର୍ଦ୍ଦିକ ଫିଟ୍ ରହିଥିଲେ, ତାଙ୍କୁ ୧୫ଜଣିଆ ଦଳରେ ସାମିଲ୍ କରାଯାଇନାହିଁ।

ଟିମ୍ ଚୟନ କରିବା ସମୟରେ ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ସ୍ପଷ୍ଟ କରିଛନ୍ତି ଯେ, ରୋହିତଙ୍କୁ ଓପ୍ନର ଭାବେ ଟିମରେ ସୁଯୋଗ ମିଳିବ। ରାହୁଲଙ୍କୁ ଖରାପ ଫର୍ମର ଫଳ ଭୋଗିବାକୁ ପଡ଼ିଛି। ନିକଟରେ ଶେଷ ହୋଇଥିବା ୱେଷ୍ଟଇଣ୍ଡିଜ୍ ଗସ୍ତ ପରେ ତାଙ୍କ ସ୍ଥାନରେ ରୋହିତଙ୍କୁ ଓପନିଂ କରାଇବା ନେଇ ଚର୍ଚ୍ଚା ହେଉଥିଲା, ଯିଏ ଦିନିକିଆ ବିଶ୍ୱକପରେ ରେକର୍ଡ ୫ଟି ଶତକ ମାରିଥିଲେ।

ୱେଷ୍ଟଇଣ୍ଡିଜ୍ ଗସ୍ତରେ ମଧ୍ୟ ରୋହିତଙ୍କୁ ଟେଷ୍ଟ ଦଳରେ ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଭାବେ ଚୟନ କରାଯାଇଥିଲା। ତେବେ ମିଡିଲ୍ ଅର୍ଡରରେ ଆଜିଙ୍କ୍ୟ ରାହାଣେ ଓ ହନୁମା ବିହାରୀଙ୍କ ଦମଦାର ପ୍ରଦର୍ଶନ କାରଣରୁ ରୋହିତଙ୍କୁ ଗୋଟିଏ ଟେଷ୍ଟରେ ବି ସୁଯୋଗ ମିଳିନଥିଲା। ରୋହିତ୍ ନିଜର ଶେଷ ଟେଷ୍ଟ ଗତବର୍ଷ ଅଷ୍ଟ୍ରେଲିଆ ବିପକ୍ଷ ମେଲବର୍ଣ୍ଣରେ ଖେଳିଥିଲେ। ଯଦି ରୋହିତଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଓପନିଂ କରିବାର ସୁଯୋଗ ମିଳେ, ତାହେଲେ ଲମ୍ବା ଫର୍ମାଟରେ ସେ ପ୍ରଥମଥର ପାଇଁ ଇନିଂସ୍ ଓପନ୍ କରିବେ।

ୱେଷ୍ଟଇଣ୍ଡିଜ୍ ଗସ୍ତରେ ରାହୁଲ ୨୫.୨୫ ହାରରେ ମୋଟ ୧୦୧ ରନ୍ କରିଥିଲେ। ରୋହିତ୍ ଏପର୍ଯ୍ୟନ୍ତ ୨୭ ଟେଷ୍ଟ ମ୍ୟାଚ୍ ଖେଳି ୧୫୮୫ ରନ୍ କରିଛନ୍ତି। ରୋହିତ ନିଜ ଟେଷ୍ଟ କ୍ୟାରିୟରରେ ତିନି ଶତକ ଏବଂ ୧୦ ଅର୍ଦ୍ଧଶତକ ମାରିଛନ୍ତି। ଅନ୍ୟପକ୍ଷରେ ରାହୁଲ ୩୬ ଟେଷ୍ଟରେ ୨୦୦୬ ରନ୍ କରିଛନ୍ତି । ରାହୁଲଙ୍କ ନାଁରେ ୫ ଶତକ ଓ ୧୧ ଅର୍ଦ୍ଧଶତକ ରହିଛି। ତେବେ ବର୍ତ୍ତମାନ ରାହୁଲଙ୍କ ଫର୍ମ ଅତି ଖରାପ ରହିଛି ଏବଂ ଏହି କାରଣରୁ ତାଙ୍କୁ ବାଦ୍ ଦିଆଯାଇଛି।

ରାହୁଲଙ୍କ ବ୍ୟତୀତ ଟିମରୁ ପେସ୍ ବୋଲର ଉମେଶ ଯାଦବଙ୍କୁ ମଧ୍ୟ ବାଦ୍ ଦିଆଯାଇଛି। ଯେହେତୁ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ୧୬ଜଣିଆ ଦଳର ଘୋଷଣା ହୋଇଥିଲା, ତେଣୁ ଉମେଶଙ୍କୁ ସୁଯୋଗ ମିଳିଥିଲା। କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ପାଇଁ ୧୫ଜଣିଆ ଦଳ ଘୋଷଣା ହୋଇଥିବାରୁ ଉମେଶଙ୍କୁ ବାଦ୍ ଦିଆଯାଇଛି। ଏହାଛଡ଼ା ଟିମରେ ସେଭଳି କୌଣସି ପରିବର୍ତ୍ତନ ହୋଇନାହିଁ।

ଭାରତୀୟ ଦଳ: ବିରାଟ୍ କୋହଲି (କ୍ୟାପଟେନ୍), ମୟଙ୍କ ଅଗ୍ରୱାଲ୍, ରୋହିତ୍ ଶର୍ମା, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ (ଭାଇସ୍ କ୍ୟାପଟେନ), ହନୁମା ବିହାରୀ, ରିଷଭ ପନ୍ତ (ୱିକେଟକିପର), ଋଦ୍ଧିମାନ ସାହା (ୱିକେଟକିପର), ରବିଚନ୍ଦ୍ରନ୍ ଅଶ୍ୱିନ୍, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ଶାମି, ଯଶପ୍ରୀତ ବୁମ୍ରା, ଈଶାନ୍ତ ଶର୍ମା, ଶୁବମାନ୍ ଗିଲ୍।

Related story