ନୂଆଦିଲ୍ଲୀ: ତିନୋଟି ଯାକ ଫର୍ମାଟରେ ଭାରତର ନେତୃତ୍ୱ ନିଅନ୍ତୁ ବିସ୍ପୋରକ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି। ସେ ଟେଷ୍ଟଦଳର ନେତୃତ୍ୱ ନେଇ ସାରିଥିବା ବେଳେ ଦିନିକିଆ ଓ ଟି-୨୦ରେ ମଧ୍ୟ ଧୋନିଙ୍କଠାରୁ ଦଳର ନେତୃତ୍ୱ ନିଅନ୍ତୁ। ମଙ୍ଗଳବାର ଏହା କହିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ନିର୍ଦ୍ଦେଶକ ରବି ଶାସ୍ତ୍ରୀ।
ସେ କହିଛନ୍ତି,“ମୁଁ ଭାବୁଛି କୋହଲି ତିନିଟି ଯାକ ଫର୍ମାଟରେ ଦାୟିତ୍ୱ ନେବାକୁ ଏବେ ସକ୍ଷମ। ସେ ଏବେ ଧୋନିଙ୍କ ଠାରୁ ଦିନିକିଆ ଓ ଟି-୨୦ର ଦାୟିତ୍ୱ ନେବା ଉଚିତ। ଯଦି ବିଗତ ଦିନରେ କୋହଲିଙ୍କ ପ୍ରଦର୍ଶନ ଉପରେ ଦୃଷ୍ଟି ଦିଆଯାଏ ତେବେ ସେ ବିଶ୍ୱର ଜଣେ ଅଗ୍ରଣୀ ଖେଳାଳି ଏଥିରେ ସନ୍ଦେହ ନାହିଁ। ଆଇପିଏଲ୍ରେ ତାଙ୍କର କ୍ରୀଡା ରଣନୀତି ସଫଳ ହୋଇଛି। ତାଙ୍କ ନେତୃତ୍ୱରେ ଦଳ ଫାଇନାଲ ଯାଏ ଯାଇପାରିଛି ତେଣୁ ତାଙ୍କୁ ନେତୃତ୍ୱ ନେବାକୁ ସୁଯୋଗ ଦିଆଯିବା ଉଚିତ ବୋଲି ମୁଁ ଭାବୁଛି।”
ଧୋନି ୨୭ଟି ବିଜୟ ପରେ ୨୦୧୪ ଡିସେମ୍ବରରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। ଏହାପରେ କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ଦଳର ନେତୃତ୍ୱ ନେଇଥିଲେ।