ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ସର୍ବଶ୍ରେଷ୍ଠ କ୍ୟାପଟେନ୍ କିଏ, ତାକୁ ନେଇ ସବୁବେଳେ ଚର୍ଚ୍ଚା। କେହି ସୌରଭ ଗାଙ୍ଗୁଲି ତ, କେହି ମହେନ୍ଦ୍ର ସିଂହ ଧୋନି ତ ଏବଂ କେହି ବିରାଟ୍ କୋହଲିଙ୍କୁ ନିଜ ନିଜର ପସନ୍ଦର କ୍ୟାପଟେନ୍ କହିଆସୁଛନ୍ତି। କିନ୍ତୁ ଟିମ୍ ଇଣ୍ଡିଆର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀରଙ୍କ ପସନ୍ଦ ସମ୍ପୂର୍ଣ୍ଣ ଅଲଗା। ଗମ୍ଭୀର ପୂର୍ବତନ କ୍ୟାପଟେନ୍ ଗାଙ୍ଗୁଲିଙ୍କ ନେତୃତ୍ୱରେ ନିଜର କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଛନ୍ତି ସତ, କିନ୍ତୁ ତାଙ୍କ ପାଇଁ ପୂର୍ବତନ ସ୍ପିନର୍ ଅନୀଲ କୁମ୍ବଲେ ହିଁ ସର୍ବଶ୍ରେଷ୍ଠ କ୍ୟାପଟେନ୍।
ଗମ୍ଭୀର କହିଛନ୍ତି, ରେକର୍ଡ ଦୃଷ୍ଟିରୁ ଧୋନିଙ୍କ ପ୍ରଦର୍ଶନ ଜବରଦସ୍ତ ରହିଛି। ତାଙ୍କ ନେତୃତ୍ୱରେ ଭାରତ ସବୁଯାକ ଆଇସିସି ଟ୍ରଫି ମଧ୍ୟ ଜିତିଛି। ସେ ଚମତ୍କାର ଢଙ୍ଗରେ ଟିମର ନେତୃତ୍ୱ ନେଇଛନ୍ତି। ସେହିପରି ଗାଙ୍ଗୁଲି ମଧ୍ୟ କ୍ୟାପଟେନ୍ ଭାବେ ନିଜର ଭୂମିକାକୁ ସୁଚାରୁରୂପେ ତୁଲାଇଛନ୍ତି ଏବଂ ମୁଁ ତାଙ୍କ ଅଧୀନରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲି। କିନ୍ତୁ ଜଣେ ବ୍ୟକ୍ତି, ଯାହାଙ୍କୁ ମୁଁ ଲମ୍ବା ସମୟ ଧରି କ୍ୟାପଟେନ୍ ଭାବେ ଦେଖିବାକୁ ଚାହୁଁଥିଲି, ସେ ହେଉଛନ୍ତି ଅନୀଲ କୁମ୍ବଲେ। କୁମ୍ବଲେଙ୍କ ନେତୃତ୍ୱରେ ମୁଁ ମାତ୍ର ୬ ଟେଷ୍ଟ ଖେଳିଛି। ଯଦି ସେ ଦୀର୍ଘ ଦିନ ଧରି ଟିମର କ୍ୟାପଟେନ୍ ପଦରେ ରହିଥାନ୍ତେ, ତାହେଲେ ଅନେକ ରେକର୍ଡର ଅଧିକାରୀ ହୋଇଥାନ୍ତେ। ରେକର୍ଡ ଦୃଷ୍ଟିରୁ ଧୋନି ସବୁଠାରୁ ଆଗରେ, କିନ୍ତୁ ମୁଁ ଯେଉଁ କ୍ୟାପଟେନଙ୍କ ସହ ଖେଳିଛି, ସେଥିମଧ୍ୟରୁ କୁମ୍ବଲେ ସର୍ବଶ୍ରେଷ୍ଠ ଥିଲେ।
ସୂଚନାଯୋଗ୍ୟ, ୨୦୦୭ରେ ରାହୁଲ୍ ଡ୍ରାଭିଡ୍ କ୍ୟାପଟେନ୍ ପଦରୁ ଇସ୍ତଫା ଦେବା ପରେ କୁମ୍ବଲେ ଏହି ଦାୟିତ୍ୱ ବହନ କରିଥିଲେ। କୁମ୍ବଲେଙ୍କ ନେତୃତ୍ୱରେ ଭାରତ ୧୪ ଟେଷ୍ଟ ଖେଳିଛି, ଯେଉଁଥିରେ ୩ ବିଜୟ ଏବଂ ୬ ପରାଜୟ ମିଳିଛି। ତେବେ ବାକି ୫ଟି ଟେଷ୍ଟ ଡ୍ର' ରହିଛି। କିନ୍ତୁ ସେ ଲମ୍ବା ସମୟ ଧରି କ୍ୟାପଟେନ୍ ପଦରେ ରହିପାରିଲେ ନାହିଁ। ୨୦୦୮ରେ ତାଙ୍କ ସନ୍ନ୍ୟାସ ନେବା ପରେ ଧୋନିଙ୍କୁ ତିନୋଟି ଯାକ ଫର୍ମାଟର ଦାୟିତ୍ୱ ମିଳିଥିଲା।
ଗମ୍ଭୀର ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଟିମର ରୋହିତ୍ ଶର୍ମାଙ୍କୁ ଆଇପିଏଲର ସର୍ବକାଳୀନ ସର୍ବଶ୍ରେଷ୍ଠ କ୍ୟାପଟେନ୍ କହିଛନ୍ତି। ଗମ୍ଭୀର କହିଛନ୍ତି, ମୋ ନଜରରେ ରୋହିତ ହିଁ ଆଇପିଏଲ୍ ଇତିହାସର ଶ୍ରେଷ୍ଠ କ୍ୟାପଟେନ୍। ତାଙ୍କ ନେତୃତ୍ୱରେ ମୁମ୍ବାଇ ଚାରିଥର ଚାମ୍ପିୟନ୍ ହୋଇଛି।