କ୍ରିକେଟରଙ୍କ ବିବାହରେ ଲାଗିଲା ଲକଡାଉନ୍ ଗ୍ରହଣ

ନାଗପୁର: କରୋନାଭାଇରସ୍ ଯୋଗୁ ସାଧାରଣ ଜନଜୀବନ ଠପ୍ ହୋଇଥିବା ବେଳେ କ୍ରିକେଟ୍ ଜଗତ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ଏହି ମହାମାରୀ ଯୋଗୁ ବିଶ୍ୱର ସବୁଠାରୁ ବ୍ୟୟବହୁଳ କ୍ରିକେଟ୍ ଲିଗ୍ ଆଇପିଏଲକୁ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି। ଭାରତରେ ମଧ୍ୟ ମେ’ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଲାଗୁ କରାଯାଇଛି। ଏଭଳି ସ୍ଥିତିରେ ରଣଜୀ ଟିମ୍ ବିଦର୍ଭର ତିନି ମୁଖ୍ୟ ଖେଳାଳି ନିଜ ନିଜର ବିବାହକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ତିନି […]

bidharbha

Ranjit Kumar Jena
  • Published: Tuesday, 21 April 2020
  • , Updated: 21 April 2020, 05:52 PM IST

ନାଗପୁର: କରୋନାଭାଇରସ୍ ଯୋଗୁ ସାଧାରଣ ଜନଜୀବନ ଠପ୍ ହୋଇଥିବା ବେଳେ କ୍ରିକେଟ୍ ଜଗତ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ଏହି ମହାମାରୀ ଯୋଗୁ ବିଶ୍ୱର ସବୁଠାରୁ ବ୍ୟୟବହୁଳ କ୍ରିକେଟ୍ ଲିଗ୍ ଆଇପିଏଲକୁ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି। ଭାରତରେ ମଧ୍ୟ ମେ' ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଲାଗୁ କରାଯାଇଛି। ଏଭଳି ସ୍ଥିତିରେ ରଣଜୀ ଟିମ୍ ବିଦର୍ଭର ତିନି ମୁଖ୍ୟ ଖେଳାଳି ନିଜ ନିଜର ବିବାହକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ତିନି କ୍ରିକେଟର୍ ହେଲେ ଅଲରାଉଣ୍ଡର ଆଦିତ୍ୟ ସରୱତେ, ୱିକେଟକିପର ବ୍ୟାଟ୍ସମ୍ୟାନ୍ ଅକ୍ଷୟ ୱାଡକର ଓ ପେସ୍ ବୋଲର ରଜନୀଶ ଗୁରବାନୀ।

ଆଦିତ୍ୟ ଚଳିତ ମାସ ୨୭ ତାରିଖରେ ଅରୁଣିତାଙ୍କ ସହ ବିବାହ କରିଥାନ୍ତେ। ସେହିପରି ଅକ୍ଷୟ ମେ' ୨ ତାରିଖରେ ଏବଂ ରଜନୀଶ ମେ' ୧୮ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ। କିନ୍ତୁ କରୋନା ଏହି କ୍ରିକେଟରଙ୍କ ଦ୍ୱିତୀୟ ଇନିଂସ୍ ଆରମ୍ଭରେ ବାଧା ସୃଷ୍ଟି କରିଛି। ଆଦିତ୍ୟଙ୍କ ଭାବିପତ୍ନୀ ଅରୁଣିତା ନିଜର ବିବାହକୁ ନିରାଡ଼ମ୍ବର ଭାବେ କରିବାକୁ ଚାହୁଁଥିଲେ।

ଆଦିତ୍ୟଙ୍କ ଭାବିପତ୍ନୀ ଅରୁଣିତା କହିଛନ୍ତି, ଗତବର୍ଷ ଜାମଥା ଷ୍ଟାଡିୟମରେ ଯେତେବେଳେ ବିଦର୍ଭ ଟିମ୍ ତା'ର ଦ୍ୱିତୀୟ ରଣଜୀ ଟ୍ରଫି ଜିତିଥିଲା, ମୁଁ ଆଦିତ୍ୟଙ୍କ ସହ ଟାଇଟଲ୍ ବିଜୟର ଖୁସି ମନାଇଥିଲି। ସେହି ସମୟରେ ହିଁ ଆମେ ବିବାହ ପାଇଁ ଯୋଜନା ଆରମ୍ଭ କରିଦେଇଥିଲୁ। ଆମେ ଭାବିଥିଲୁ ଯେ ଆମେ ନିଜର ବିବାହ ସମାରୋହକୁ ସାଧାରଣ ଭାବେ ଆୟୋଜନ କରିବୁ। କିନ୍ତୁ ଆମେ ନିଜର ହନିମୁନକୁ ସ୍ମରଣୀୟ କରିବା ନେଇ ସବୁପ୍ରକାର ଯୋଜନା କରିଥିଲୁ। କିନ୍ତୁ ବର୍ତ୍ତମାନ ଯେଉଁ ପରିସ୍ଥିତି ଚାଲିଛି, ସେଥିରେ କିଛି ବି ସମ୍ଭବ ନୁହେଁ। ଏବେ ଆମକୁ ଏସବୁ ପାଇଁ ଅପେକ୍ଷା କରିବାକୁ ପଡ଼ିବ।

ଅରୁଣିତା ଆହୁରି କହିଛନ୍ତି, ସତ କହିବାକୁ ଗଲେ ଆମକୁ ସାମାନ୍ୟ ଦୁଃଖ ଲାଗୁଛି। କିନ୍ତୁ ସବୁକିଛି ଶେଷ ହୋଇନାହିଁ। ଭବିଷ୍ୟତରେ ନିଶ୍ଚୟ ପରିସ୍ଥିତିରେ ସୁଧାର ଆସିବ ଏବଂ ସେତେବେଳେ ଆମେ ପୁଣିଥରେ ପ୍ଲାନିଙ୍ଗ୍ କରିବୁ। ମୁଁ ସମସ୍ତଙ୍କର ସୁରକ୍ଷା କାମନା କରୁଛି। ସୂଚନାଯୋଗ୍ୟ, ଆଦିତ୍ୟ ୨୦୧୮-୧୯ରେ ସୌରାଷ୍ଟ୍ର ବିପକ୍ଷ ରଣଜୀ ଟ୍ରଫିର ଟାଇଟଲ୍ ମୁକାବିଲାରେ ୧୧ ୱିକେଟ୍ ଏବଂ ୪୯ ରନର ମହତ୍ତ୍ୱପୂର୍ଣ୍ଣ ଇନିଂସ୍ ଖେଳିଥିଲେ ଏବଂ ଏଥିପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା।

ଅରୁଣିତା ହୁଏତ ନିଜର ବିବାହକୁ ସାଧାରଣ ଢଙ୍ଗରେ କରିବାକୁ ଚାହୁଁଥିଲେ, କିନ୍ତୁ ଅକ୍ଷୟଙ୍କ ପତ୍ନୀ ଶୃତିକା ନିଜର ବିବାହକୁ ସମସ୍ତ ରୀତିନୀତି ସହ ବଡ଼ ଜାକଜକମରେ କରିବାକୁ ଚାହୁଁଥିଲେ। ଶୃତିକା କହିଛନ୍ତି, "ମୁଁ ନିଜର ବିବାହର ପ୍ରତିଟି ମୁହୂର୍ତ୍ତକୁ କ୍ୟାପଚର୍ କରିବାକୁ ଚାହୁଁଥିଲି। କିନ୍ତୁ ଅକ୍ଷୟଙ୍କୁ ଏଥିରେ ଅଧିକ ରୁଚି ନଥିଲା। କିନ୍ତୁ ଏବେ କିଛି ବି ସମ୍ଭବ ନୁହେଁ। ମୁଁ ଆଶା କରୁଛି ଯେ ଭବିଷ୍ୟତରେ ଆମେ ନିଜର ଯୋଜନାକୁ ପୁଣିଥରେ କାର୍ଯ୍ୟକାରୀ କରିପାରିବୁ।" ଯଦି ଆବଶ୍ୟକ ପଡ଼େ, ତାହେଲେ ଉଭୟ ଶୃତିକା ଓ ଅରୁଣିତା ସୀମିତ ଅତିଥିଙ୍କ ଉପସ୍ଥିତିରେ ବିବାହ କରିବାକୁ ରାଜି ଅଛନ୍ତି।

ଆଦିତ୍ୟ ଓ ଅକ୍ଷୟଙ୍କ ବ୍ୟତୀତ ରଜନୀଶ ମଧ୍ୟ ଆଗାମୀ ଦିନରେ ବିବାହ କରିବା ପାଇଁ ପ୍ରସ୍ତୁତ ଥିଲେ। ରଜନୀଶଙ୍କ ପିତା ନରେଶ ଗୁରବାନୀ ଭଲଭାବେ ଅବଗତ ଅଛନ୍ତି ଯେ ତାଙ୍କ ସହର ନାଗପୁର କୋଭିଡ୍‌-୧୯ର ରେଡ୍ ଜୋନରେ ଅଛି। ତେଣୁ ନାଗପୁରରେ ବର୍ତ୍ତମାନ କୌଣସି ବିବାହ କାର୍ଯ୍ୟ ସମ୍ପନ୍ନ ପ୍ରାୟତଃ ଅସମ୍ଭବ। ନରେଶ କହିଛନ୍ତି, ମୋ ପୁଅ (ରଜନୀଶ)ର ବିବାହ ତାରିଖ ସ୍ଥଗିତ ହେବା ଏକ ପ୍ରକାର ନିଶ୍ଚିତ। କିନ୍ତୁ ଆମେ ଏପର୍ଯ୍ୟନ୍ତ ଅନ୍ତିମ ନିଷ୍ପତ୍ତି ନେଇନାହୁଁ। ଏହି ମାମଲାରେ ଆମେ ଘରର ବରିଷ୍ଠମାନଙ୍କ ସହ ଆଲୋଚନା କରିବା ପରେ ନୂଆ ତାରିଖ ନିଷ୍ପତ୍ତି ନିଆଯିବ। ରଜନୀଶ ୨୦୧୭-୧୮ ରଣଜୀ ଫାଇନାଲରେ ୭ ୱିକେଟ୍ ଦଖଲ କରିଥିଲେ। ସେହିପରି ଏହି ମ୍ୟାଚରେ ୱାଡକର ଶତକ ମାରିଥିବା ବେଳେ ଆଦିତ୍ୟ ମଧ୍ୟ ଅଲରାଉଣ୍ଡର ପ୍ରଦର୍ଶନ କରିଥିଲେ।

Related story