ଉଲାନ୍-ଉଦେ (ରୁଷ୍): କିମ୍ବଦନ୍ତୀ ଭାରତୀୟ ବକ୍ସର ଏମସି ମ୍ୟାରୀ କମ୍ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପର ସେମିଫାଇନାଲରେ ପରାସ୍ତ ହୋଇଛନ୍ତି। ଶନିବାର ୫୧ କେଜି ଓଜନ ବର୍ଗର ସେମିଫାଇନାଲରେ ସେ ତୁର୍କୀର ବୁସେନାଜ କାକିରୋଗଲୁଙ୍କଠାରୁ ପରାସ୍ତ ହୋଇଛନ୍ତି। ଏହି ପରାଜୟ ସହ ୬ଥରର ବିଶ୍ୱ ଚାମ୍ପିୟନ୍ ମ୍ୟାରୀ କମଙ୍କୁ ଏଥର ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେମିରେ କାକିରୋଗଲୁ ୪-୧ ପଏଣ୍ଟରେ ବିଜୟୀ ହୋଇ ଫାଇନାଲରେ ସ୍ଥାନ ହାସଲ କରିଛନ୍ତି।
ଏହା ମ୍ୟାରୀ କମଙ୍କର ବିଶ୍ୱ ଚାମ୍ପିୟନଶିପରେ ଅଷ୍ଟମ ପଦକ। ସେ କ୍ୱାର୍ଟରଫାଇନାଲରେ କଲମ୍ବିଆ ଇନଗ୍ରିଟ୍ ଭାଲେନସିଆଙ୍କୁ ୫-୦ରେ ହରାଇ ପଦକ ପକ୍କା କରିଥିଲେ। ଉଭୟ ପୁରୁଷ ଓ ମହିଳା ବର୍ଗରେ ମ୍ୟାରୀ କମ (୮)ଙ୍କ ନାଁରେ ରେକର୍ଡ ସଂଖ୍ୟକ ପଦକ ରହିଛି। ଅର୍ଥାତ୍ ମହିଳା ହେଉ କିମ୍ବା ପୁରୁଷ, ଉଭୟ ବର୍ଗରେ ସର୍ବାଧିକ ବିଶ୍ୱ ଚାମ୍ପିୟନଶିପ୍ ପଦକ ଏବେ ମ୍ୟାରୀ କମଙ୍କ ନାଁରେ ହୋଇଛି।
ଆଜି ମୁକାବିଲାରେ ମ୍ୟାରୀ କମ୍ ଦ୍ୱିତୀୟ ସିଡ୍ କାକିରୋଗଲୁଙ୍କ ବିରୋଧରେ ସତର୍କତାର ସହ ଆରମ୍ଭ କରିଥିଲେ। ପ୍ରଥମ ରାଉଣ୍ଡରେ ମ୍ୟାରୀ କମ୍ ନିଜର ପ୍ରତିଦ୍ୱନ୍ଦ୍ୱୀଙ୍କ ମୁଭକୁ ପରଖିଥିଲେ ଏବଂ ପୂରା ସମୟ ନେଇଥିଲେ। ମ୍ୟାରୀ କମ୍ ଅଧିକ ଆକ୍ରମଣାତ୍ମକ ହୋଇନଥିଲେ। ସେ ଦ୍ୱିତୀୟ ବାଉଟରେ ୟୁରୋପିଆନ୍ ଚାମ୍ପିୟନଙ୍କ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ବଜାୟ ରଖିଥିଲେ। ତେବେ ଉଭୟ ବକ୍ସରଙ୍କୁ ସେତେଟା ସଫଳତା ମିଳିଥିଲା ଏବଂ ମୁକାବିଲା ସଂଘର୍ଷପୂର୍ଣ୍ଣ ହୋଇଥିଲା।
କାକିରୋଗଲୁ ତୃତୀୟ ରାଉଣ୍ଡରେ ଭଲ ପ୍ରଦର୍ଶନ କରିଥିଲେ ଏବଂ ନିର୍ଣ୍ଣାୟକ ପଏଣ୍ଟ ହାସଲ କରିଥିଲେ। ଏହା ପରେ ତୁର୍କୀ ବକ୍ସର ଜଣକ ଅଧିକ ଆକ୍ରମଣାତ୍ମକ ହୋଇଥିଲେ ଏବଂ ମ୍ୟାରୀ କମଙ୍କୁ ସମସ୍ୟାରେ ପକାଇଥିଲେ। ବାଉଟ୍ ଶେଷ ହେବା ପରେ ପାଞ୍ଚଜଣିଆ ଜଜ୍ କାକିରୋଗଲୁଙ୍କ ସପକ୍ଷରେ ୨୮-୨୯, ୩୦-୨୭, ୨୯-୨୮, ୨୯-୨୮, ୩୦-୨୭ରେ ନିଷ୍ପତ୍ତି ଶୁଣାଇଥିଲେ।
ତେବେ ଜଜଙ୍କ ଏହି ନିଷ୍ପତ୍ତି ବିରୋଧରେ ଭାରତ ଅପିଲ କରିଥିଲା, କିନ୍ତୁ ଏହାକୁ ଅଗ୍ରାହ୍ୟ କରିଦିଆଯାଇଥିଲା। ଏଆଇବିଏର ନିର୍ଦ୍ଦେଶ ଅନୁଯାୟୀ, ଜଣେ ଖେଳାଳି ସେତେବେଳେ ଅପିଲ୍ କରିପାରିବ, ଯେତେବେଳେ ସେ ୨-୩ କିମ୍ବା ୧-୩ରେ ମୁକାବିଲା ହାରିଥିବ। କିନ୍ତୁ ମ୍ୟାରୀ କମ୍ ୧-୪ରେ ମୁକାବିଲା ହାରିଥିଲେ, ଏଥିପାଇଁ ଟେକନିକ୍ କମିଟି ଭାରତର ଅପିଲକୁ ସ୍ୱୀକାର କରିନଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।