ଆଣ୍ଟିଗୁଆ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଟିମ୍ କ୍ୟାପଟେନ୍ ମେଗ୍ ଲାନିଙ୍ଗ୍ ୧୩ତମ ଦିନିକିଆ ଶତକ ମାରି ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ନୂଆ କୀର୍ତ୍ତିମାନ କରିଛନ୍ତି। ସେ ସବୁଠାରୁ ଦ୍ରୁତ ୧୩ ଦିନିକିଆ ଶତକ ମାରିବା ମାମଲାରେ ଦକ୍ଷିଣ ଆଫ୍ରିକାର ହାଶିମ୍ ଆମଲା ଏବଂ ଭାରତୀୟ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ପଛରେ ପକାଇଛନ୍ତି।
ତେବେ ମହିଳା ଓ ପୁରୁଷଙ୍କ ପକ୍ଷେ ଏହା ରେକର୍ଡ। ୧୩ ଶତକ ମାରିବା ପାଇଁ ଲାନିଙ୍ଗ୍ ମାତ୍ର ୭୬ ଇନିଂସର ସହାୟତା ନେଇଛନ୍ତି। ଗତ ଚାରୋଟି ମ୍ୟାଚରେ ଲାନିଙ୍ଗଙ୍କର ଏହା ଦ୍ୱିତୀୟ ଶତକ। ସବୁଠାରୁ ଦ୍ରୁତ ୧୩ ଶତକ ମାରିବାର ରେକର୍ଡ ଆମଲାଙ୍କ ନାଁରେ ଥିଲା।
ଆମଲା ୮୩ ଇନିଂସରେ ଏହି କାରନାମା କରିଥିବା ବେଳେ ବିରାଟ୍ ୮୬ ଇନିଂସରେ ୧୩ ଶତକ ମାରିଥିଲେ। ଅର୍ଥାତ୍ ଲାନିଙ୍ଗ ଏହି ରେକର୍ଡ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ବିରାଟଙ୍କଠାରୁ ୧୦ ଇନିଂସ୍ କମ୍ ଖେଳିଛନ୍ତି। ଏହାଛଡ଼ା ମହିଳା କ୍ରିକେଟରେ ଲାନିଙ୍ଗ ନାଁରେ ସର୍ବାଧିକ ଶତକ ମାରିବାର ରେକର୍ଡ ମଧ୍ୟ ରହିଛି।