ମାର୍ଚ୍ଚ ୨୩: ବାଂଲାଦେଶକୁ ଚକ୍‌ମା ଦେଇଥିଲେ ଧୋନି

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ସର୍ବଦା ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥାଏ। ଆଜକୁ ପ୍ରାୟ ୪ ବର୍ଷ ତଳେ ଅର୍ଥାତ୍ ୨୦୧୬ରେ ଆୟୋଜିତ ଟି-୨୦ ବିଶ୍ୱକପରେ ଉଭୟ ଦେଶ ମଧ୍ୟରେ ଏକ ଲୋମହର୍ଷକ ମ୍ୟାଚ୍ ଦେଖିବାକୁ ମିଳିଥିଲା। ମାର୍ଚ୍ଚ ୨୩, ୨୦୧୬ରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ମହେନ୍ଦ୍ର ଧୋନି ନିଜର କୁଲ୍ ଟେମ୍ପରାମେଣ୍ଟର ଜବରଦସ୍ତ ନମୁନା ପ୍ରଦର୍ଶିତ କରିଥିଲେ, ଯାହା ଆଜି ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଛି। ୨୦୧୬ରେ ଟି-୨୦ ବିଶ୍ୱକପରେ ବାଂଲାଦେଶ ବିପକ୍ଷ ମ୍ୟାଚ୍ ଭାରତ […]

dhoni

dhoni

Ranjit Kumar Jena
  • Published: Monday, 23 March 2020
  • Updated: 23 March 2020, 09:56 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ସର୍ବଦା ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥାଏ। ଆଜକୁ ପ୍ରାୟ ୪ ବର୍ଷ ତଳେ ଅର୍ଥାତ୍ ୨୦୧୬ରେ ଆୟୋଜିତ ଟି-୨୦ ବିଶ୍ୱକପରେ ଉଭୟ ଦେଶ ମଧ୍ୟରେ ଏକ ଲୋମହର୍ଷକ ମ୍ୟାଚ୍ ଦେଖିବାକୁ ମିଳିଥିଲା। ମାର୍ଚ୍ଚ ୨୩, ୨୦୧୬ରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ମହେନ୍ଦ୍ର ଧୋନି ନିଜର କୁଲ୍ ଟେମ୍ପରାମେଣ୍ଟର ଜବରଦସ୍ତ ନମୁନା ପ୍ରଦର୍ଶିତ କରିଥିଲେ, ଯାହା ଆଜି ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଛି।

୨୦୧୬ରେ ଟି-୨୦ ବିଶ୍ୱକପରେ ବାଂଲାଦେଶ ବିପକ୍ଷ ମ୍ୟାଚ୍ ଭାରତ ପାଇଁ କର ବା ମର ଥିଲା, ଯେଉଁଥିରେ ବାଂଲାଦେଶ ଟିମର ବିଜୟ ଏକପ୍ରକାର ନିଶ୍ଚିତ ଥିଲା, କିନ୍ତୁ ଧୋନି ଯାହା କଲେ, ତାହା କୌଣସି କରିସ୍ମାଠାରୁ କମ୍ ନଥିଲା। ବେଙ୍ଗାଲୁରୁ ଏମ୍‌. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୪୬ ରନ୍ କରିଥିଲା।


୧୪୭ ରନର ଲକ୍ଷ୍ୟର ପିଛା କରୁଥିବା ବାଂଲାଦେଶ ଟିମର ନିୟମିତ ଅନ୍ତରାଳରେ ୱିକେଟ୍ ପତନ ହେବାରେ ଲାଗିଥିଲା, କିନ୍ତୁ ଲକ୍ଷ୍ୟ ସେତେଟା ବଡ଼ ନଥିଲା। ବାଂଲାଦେଶ ଟିମ୍ ୧୯ ଓଭର ପର୍ଯ୍ୟନ୍ତ ୬ ୱିକେଟ୍ ହରାଇ ୧୩୬ ରନ୍ କରିଥିଲା ଏବଂ ଶେଷ ଓଭରରେ ୧୧ ରନ୍ ଆବଶ୍ୟକ ହେଉଥିଲା। ଏହି ସମୟରେ କ୍ରିଜରେ ଥିଲେ ମୁଶଫିକର ରହିମ୍ ଓ ମହମଦୁଲ୍ଲା। ଅନ୍ତିମ ଓଭରର ଶେଷ ତିନୋଟି ବଲରେ ବାଂଲା ଟିମ୍ ୯ ରନ୍ କରି ବିଜୟ ନିକଟତର ହୋଇଥିଲା। ଶେଷ ତିନି ବଲରେ ବାଂଲାଦେଶକୁ ୨ ରନ୍ ଆବଶ୍ୟକ ହେଉଥିବା ବେଳେ ଦଳର ଖେଳାଳି ଏବଂ ପ୍ରଶଂସକ ବିଜୟର ଉତ୍ସବ ମନାଇବାରେ ଲାଗି ପଡ଼ିଥିଲେ। କିନ୍ତୁ ଯେଉଁଠି ଧୋନି ଅଛନ୍ତି, ସେଠି କିଛି ବି ସମ୍ଭବ ବୋଲି ତାହା ପ୍ରମାଣିତ ହୋଇଥିଲା।

ଚତୁର୍ଥ ବଲରେ ହାର୍ଦ୍ଦିକ ପାଣ୍ଡ୍ୟା ରହିମଙ୍କୁ ଏବଂ ପଞ୍ଚମ ବଲରେ ମହମଦୁଲ୍ଲାଙ୍କୁ ଆଉଟ୍ କରି ବାଜି ପଲଟାଇ ଦେଇଥିଲେ। ଶେଷ ବଲରେ ବାଂଲାଦେଶକୁ ଦୁଇ ରନ୍ ଦରକାର ଥିଲା। ଶେଷ୍ ବଲକୁ ପାଣ୍ଡ୍ୟା ଅଫ୍ ଷ୍ଟମ୍ପ ବାହାରକୁ ପକାଇଥିଲେ ଏବଂ ବ୍ୟାଟିଂ କରୁଥିବା ଶୁଭାଗାତା ହୋମ୍ ଏହାକୁ ମିସ୍ କରିଥିଲେ ଏବଂ ବାଇ ରନ୍ ନେବା ପାଇଁ ଦୌଡ଼ିଥିଲେ। ବଲ୍ ଧୋନିଙ୍କ ପାଖକୁ ଆସିଥିଲା ଏବଂ ସେ ବଲ୍ ଧରି ମୁସ୍ତାଫିଜୁର୍ ରେହମାନଙ୍କୁ ରନଆଉଟ୍ କରିବାକୁ ଦୌଡ଼ିଥିଲେ। ଧୋନି ବିଜୁଳିଠାରୁ ଦ୍ରୁତ ଗତିରେ ଦୌଡ଼ି ରେହମାନଙ୍କୁ ରନଆଉଟ୍ କରିଥିଲେ ଏବଂ ଭାରତକୁ ମାତ୍ର ୧ ରନରେ ବିଜୟୀ କରାଇଥିଲେ। ଏହି ବିଶ୍ୱକପରେ ଭାରତ ସେମିଫାଇନାଲରେ ପହଞ୍ଚିଥିଲା, କିନ୍ତୁ ୱେଷ୍ଟଇଣ୍ଡିଜଠାରୁ ହାରି ଫାଇନାଲରୁ ବଞ୍ଚିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos