ମୁମ୍ବାଇ ଇଣ୍ଡିଆନ୍ସର ଚିଫ୍ ମେଣ୍ଟର ପଦରୁ କୁମ୍ବଲେଙ୍କ ଇସ୍ତଫା

ମୁମ୍ବାଇ: ମହାନ ସ୍ପିନ୍ ବୋଲର୍ ଅନୀଲ କୁମ୍ବଲେ ମୁମ୍ବାଇ ଇଣ୍ଡିଆନ୍ସର ଚିଫ୍ ମେଣ୍ଟର ପଦବୀରୁ ସୋମବାର ଇସ୍ତଫା ଦେଇଛନ୍ତି। ୨୦୧୩ ମସିହା ଜାନୁୟାରୀରୁ ସେ ମୁମ୍ବାଇ ଇଣ୍ଡିଆନ୍ସ ସହ ସମ୍ପୃକ୍ତ ଥିଲେ। ସେ କ୍ରୀଡ଼ା ଓ କ୍ରିକେଟ୍ କ୍ଷେତ୍ରରେ ଥିବା ଅନ୍ୟ ସୁଯୋଗଗୁଡ଼ିକରେ କାମ କରିବାକୁ ଚାହୁଁଥିବାରୁ ଏହି ପଦବୀରୁ ଇସ୍ତଫା ଦେଇଛନ୍ତି।

ଅନୀଲଙ୍କ ଇସ୍ତଫା ପରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କୁହାଯାଇଛି ଯେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କ ପ୍ରତି କୃତଜ୍ଞ। ଦେଶରେ ଉଭୟ ଟେଷ୍ଟ୍ ଓ ଦିନିକଆରେ ସର୍ବାଧିକ ୱିକେଟ୍ ନେଇଥିବା ଅନୀଲ ମୁମ୍ବାଇ ଇଣ୍ଡିଆନ୍ସକୁ ଦୃଢ଼ କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ମେଣ୍ଟର ହିସାବରେ ତାଙ୍କର ପ୍ରଥମ ବର୍ଷରେ ୨୦୧୩ରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ଚାମ୍ପିଅନ୍ ହୋଇଥିଲା। ଦଳ ୨୦୧୫ରେ ପୁଣି ଥରେ ଚାମ୍ପିଅନ୍ ହୋଇଥିଲା।