ଦୁବାଇ: କ୍ୱିଣ୍ଟନ୍ ଡି'କକଙ୍କ ଧୂଆଁଧାର ବ୍ୟାଟିଂ ସାଙ୍ଗକୁ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ରବିବାର ଆଇପିଏଲର ୧୭ତମ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାକୁ ୩୪ ରନରେ ପରାସ୍ତ କରିଛି। ଏହି ବିଜୟ ସହ ମୁମ୍ବାଇ ପଏଣ୍ଟ ଟେବୁଲର ଟପରେ ପହଞ୍ଚିଛି।
ଶେଖ ଜାୟେଦ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୫ ୱିକେଟରେ ୨୦୮ ରନର ବଡ଼ ସ୍କୋର ଛିଡ଼ା କରିଥିଲା। ଏହି ଲକ୍ଷ୍ୟର ପିଛା କରୁଥିବା ସନରାଇଜର୍ସ ଭଲ ଆରମ୍ଭ ସତ୍ତ୍ୱେ ୭ ୱିକେଟରେ ୧୭୪ ରନ୍ କରି ପରାସ୍ତ ହୋଇଛି। ସନରାଇଜର୍ସ ପକ୍ଷରୁ କ୍ୟାପଟେନ୍ ଡେଭିଡ୍ ୱାର୍ଣ୍ଣର୍ ସର୍ବାଧିକ ୬୦ (୪୪ ବଲ୍, ୫ ଚୌକା, ୨ ଛକା) ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଟିମ୍ ପାଇଁ ଉପଯୋଗୀ ଇନିଂସ୍ ଖେଳିପାରିନଥିଲେ।
ହାଇଦ୍ରାବାଦ ପକ୍ଷରୁ ଜନ୍ନି ବେୟାରଷ୍ଟୋ ୨୫ (୧୫ ବଲ୍, ୨ ଚୌକା, ୨ ଛକା) ରନ୍ କରି ଟ୍ରେଣ୍ଟ୍ ବୋଲ୍ଟଙ୍କ ଶିକାର ହୋଇଥିବା ବେଳେ ମନିଷ ପାଣ୍ଡେ ପୁଣିଥରେ ବଡ଼ ସ୍କୋରରୁ ବଞ୍ଚିତ ହୋଇଥିଲେ। ମନିଷ ୧୯ ବଲରେ ୩୦ (୪ ଚୌକା, ୧ ଛକା) ରନ୍ କରିଥିଲେ। ମଧ୍ୟକ୍ରମରେ କେନ୍ ୱିଲିୟମସନ୍ (୩), ପ୍ରିୟମ ଗର୍ଗ (୮), ଅଭିଷେକ ଶର୍ମା (୧୦) ଫେଲ୍ ମାରିଥିବା ବେଳେ ଜମ୍ମୁ ଓ କଶ୍ମୀରର ଅବଦୁଲ୍ ସମାଦ୍ ଦ୍ରୁତ ରନ୍ କରିବା ପ୍ରୟାସ ୱିକେଟ୍ ଦେଇ ବସିଥିଲେ। ସମାନ ମାତ୍ର ୯ ବଲରେ ଦ୍ରୁତ ୨୦ (୧ ଚୌକା, ୨ ଛକା) ରନ୍ କରିଥିଲେ। ରଶିଦ୍ ଖାନ ୩ ଓ ସନ୍ଦୀପ ଶର୍ମା କୌଣସି ରନ୍ ନକରି ଅପରାଜିତ ଥିଲେ। ମୁମ୍ବାଇ ପକ୍ଷରୁ ବୋଲ୍ଟ, ଜେମ୍ସ ପାଟିନସନ୍ ଓ ଯଶପ୍ରୀତ ବୁମ୍ରା ୨ଟି ଲେଖାଏ ୱିକେଟ୍ ନେଇଥିଲେ।
ଏହା ପୂର୍ବରୁ କ୍ୱିଣ୍ଟନ୍ ଡି'କକଙ୍କ ଧୂଆଁଧାର ବ୍ୟାଟିଂ ଏବଂ ଶେଷଆଡ଼କୁ କୃନାଲ୍ ପାଣ୍ଡ୍ୟାଙ୍କ ବିସ୍ଫୋରଣ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ବଡ଼ ସ୍କୋର କରିବାରେ ସଫଳ ହୋଇଥିଲା। ଡି'କକ୍ ମାତ୍ର ୩୯ ବଲରେ ୪ ଚୌକା ଓ ସମାନ ସଂଖ୍ୟକ ଛକା ସହ ସର୍ବାଧିକ ୬୭ ରନ୍ କରିଥିଲେ। ପୂର୍ବ ମ୍ୟାଚରେ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିବା ରୋହିତ୍ (୬) ପ୍ରଥମ ଓଭରର ଚତୁର୍ଥ ବଲରେ ଛକା ମାରିଥିଲେ ହେଁ ପରବର୍ତ୍ତୀ ବଲରେ ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କୁ ସନ୍ଦୀପ ଶର୍ମା ଆଉଟ୍ କରିଥିଲେ।
ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ସୂର୍ଯ୍ୟକୁମାର ଯାଦବ ଭଲ ଆରମ୍ଭ କରିଥିଲେ ହେଁ ଏହାକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ। ସେ ୧୮ ବଲରେ ୨୭ (୬ ଚୌକା) ରନ୍ କରି ସିଦ୍ଧାର୍ଥ କୌଲଙ୍କ ଶିକାର ହୋଇଥିଲେ। ଡି'କକ୍ ଓ ଇଶାନ୍ କିଷନ ତୃତୀୟ ୱିକେଟ୍ ପାଇଁ ୭୮ ରନର ଭାଗିଦାରୀ କରି ଦଳକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ଶେଷ ତିନି ମ୍ୟାଚରେ ନିରାଶ କରିଥିବା ଡି'କକ୍ ଅର୍ଦ୍ଧଶତକ ମାରି ଫର୍ମକୁ ଫେରିଥିଲେ।
ଦଳର ସ୍କୋର ୧୨୬ ଥିବା ବେଳେ ଡି'କକଙ୍କୁ ଆଉଟ୍ କରି ରଶିଦ୍ ଖାନ୍ ସନରାଇଜର୍ସକୁ ବଡ଼ ସଫଳତା ଦେଇଥିଲେ। କିଷନ ବ୍ୟକ୍ତିଗତ ୩୧ ରନ୍ କରି ସନ୍ଦୀପ ଶର୍ମାଙ୍କ ବଲରେ ଆଉଟ୍ ହୋଇଥିଲେ। ସ୍ଲଗ୍ ଓଭର ସ୍ପେଶାଲିଷ୍ଟ ହାର୍ଦ୍ଦିକ ପାଣ୍ଡ୍ୟା ଓ କାଇରନ ପୋଲାର୍ଡଙ୍କୁ ଦ୍ରୁତ ରନ୍ କରିବାରୁ ସନରାଇଜର୍ସ ହାଇଦ୍ରାବାଦ ରୋକିଥିଲେ। କିନ୍ତୁ କୃନାଲ୍ ପାଣ୍ଡ୍ୟା ଶେଷ ୪ ବଲରେ ୨୦ ରନ୍ କରି ମୁମ୍ବାଇକୁ ସ୍କୋରକୁ ୨୦୦ ରନ୍ ଅତିକ୍ରମ କରାଇଥିଲେ। ପୋଲାର୍ଡ ୧୩ ବଲରେ ୩ ଛକା ସହ ଅପରାଜିତ ୨୫ ରନ୍ କରିଥିବା ବେଳେ ହାର୍ଦ୍ଦିକ ୧୯ ବଲରେ ୨୮ (୨ ଚୌକା, ୨ ଛକା) ରନ୍ କରି ଆଉଟ୍ ହୋଇଥିଲେ। ହାଇଦ୍ରାବାଦ ପକ୍ଷରୁ ସନ୍ଦୀପ ଶର୍ମା ୨ଟି ଓ ରଶିଦ୍ ଖାନ ଗୋଟିଏ ସଫଳତା ପାଇଥିଲେ।