ପ୍ରଥମ ଟି-୨୦: ଇଂଲଣ୍ଡଠାରୁ ମ୍ୟାଚ୍ ଛଡ଼ାଇ ନେଲେ ଏନଗିଡି

ଇଷ୍ଟ୍ ଲଣ୍ଡନ୍‌: ଲୁଙ୍ଗି ଏନଗିଡିଙ୍କ ଦମଦାର ବୋଲିଂ ବଳରେ ଦକ୍ଷିଣ ଆଫ୍ରିକା ଏଠାରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚରେ ଇଂଲଣ୍ଡକୁ ମାତ୍ର ୧ ରନରେ ହରାଇ ରୋମାଞ୍ଚକର ବିଜୟ ହାସଲ କରିଛି। ଏନଗିଡି ନିଜର ଶେଷ ଦୁଇ ଓଭରରେ ୩ଟି ୱିକେଟ୍ ନେବା ସହ ଇଂଲଣ୍ଡଠାରୁ ବିଜୟ ଛଡ଼ାଇ ଆଣିଥିଲେ। ଦକ୍ଷିଣ ଆଫ୍ରିକା ଦ୍ୱାରା ଧାର୍ଯ୍ୟ ୧୭୮ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡ ଜେସନ୍ ରୟ (୭୦) ଓ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ (୫୨)ଙ୍କ ଅର୍ଦ୍ଧଶତକ […]

saf

Ranjit Kumar Jena
  • Published: Thursday, 13 February 2020
  • , Updated: 13 February 2020, 05:52 PM IST

ଇଷ୍ଟ୍ ଲଣ୍ଡନ୍‌: ଲୁଙ୍ଗି ଏନଗିଡିଙ୍କ ଦମଦାର ବୋଲିଂ ବଳରେ ଦକ୍ଷିଣ ଆଫ୍ରିକା ଏଠାରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚରେ ଇଂଲଣ୍ଡକୁ ମାତ୍ର ୧ ରନରେ ହରାଇ ରୋମାଞ୍ଚକର ବିଜୟ ହାସଲ କରିଛି। ଏନଗିଡି ନିଜର ଶେଷ ଦୁଇ ଓଭରରେ ୩ଟି ୱିକେଟ୍ ନେବା ସହ ଇଂଲଣ୍ଡଠାରୁ ବିଜୟ ଛଡ଼ାଇ ଆଣିଥିଲେ।

ଦକ୍ଷିଣ ଆଫ୍ରିକା ଦ୍ୱାରା ଧାର୍ଯ୍ୟ ୧୭୮ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡ ଜେସନ୍ ରୟ (୭୦) ଓ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ (୫୨)ଙ୍କ ଅର୍ଦ୍ଧଶତକ ବଳରେ ଏକ ସମୟରେ ମଜଭୁତ୍ ସ୍ଥିତିରେ ଥିଲା। କିନ୍ତୁ ଶେଷ ତିନି ଓଭରରେ ଏନଗିଡିଙ୍କ ନେତୃତ୍ୱରେ ଘରୋଇ ଦଳର ବୋଲରମାନେ ବାଜି ପଲଟାଇ ଦେଇଥିଲେ। ଇଂଲଣ୍ଡ ଶେଷ ୫ ୱିକେଟ୍ ମାତ୍ର ୨୪ ରନରେ ହରାଇଥିଲା ଏବଂ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୭୬ ରନ୍ କରିବାକୁ ସକ୍ଷମ ହୋଇଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଏନଗିଡି ୩୦ ରନ୍ ଦେଇ ୩ଟି, ଆଣ୍ଡିଲେ୍ ଫେଲୁକୱାୟୋ ଓ ବ୍ୟୁରାନ୍ ହେଣ୍ଡ୍ରିକ୍ସ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ। ଏହାଛଡ଼ା ପ୍ରତ୍ୟାବର୍ତ୍ତନ ମ୍ୟାଚ୍ ଖେଳୁଥିବା ଭେଟେରାନ୍ ପେସ୍ ବୋଲର୍ ଡେଲ୍ ଷ୍ଟେନ୍ ଗୋଟିଏ ୱିକେଟ୍ ନେଇଥିଲେ।

ଇଂଲଣ୍ଡକୁ ଅନ୍ତିମ ଓଭରରେ ୭ ରନ୍ ଆବଶ୍ୟକ ହେଉଥିଲା, କିନ୍ତୁ ଏନଗିଡି ଚମତ୍କାର ବୋଲିଂ କରି ଟମ୍ କୁରାନ୍ (୨) ଓ ମୋଇନ୍ ଅଲୀ (୫)ଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ ଏବଂ ମାତ୍ର ୫ ରନ୍ ଦେଇ ନିଜ ଟିମକୁ ବିଜୟୀ କରାଇଥିଲେ। ଇଂଲଣ୍ଡର ଶୀର୍ଷ ଚାରି ବ୍ୟାଟ୍ସମ୍ୟାନଙ୍କୁ ଛାଡ଼ି ଦେଲେ ଅନ୍ୟ କେହିବି ଦୁଇଅଙ୍କ ଛୁଇଁପାରିନଥିଲେ। ଦଳ ପକ୍ଷରୁ ରୟ ସର୍ବାଧିକ ୭୦ (୩୮ ବଲ୍‌, ୭ ଚୌକା, ୩ ଛକା) ରନ୍ କରିଥିବା ବେଳେ ମୋର୍ଗାନ୍ ୩୪ ବଲରେ ୭ ଚୌକା ଓ ୧ ଛକା ସହ ୫୨ ରନ୍ କରି ଆଉଟ୍ ହୋଇଥିଲେ। ଜୋସ୍ ବଟଲର୍ ୧୫ ଓ ଜନ୍ନି ବେୟାରଷ୍ଟୋ ୨୩ ରନ୍ କରିଥିଲେ।

ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୮ ୱିକେଟ୍ ହରାଇ ୧୭୭ ରନ୍ କରିଥିଲା। ଦୁଇ ଓପ୍ନର କ୍ୟାପଟେନ୍ କ୍ୱିଣ୍ଟନ୍ ଡି'କକ୍ (୩୧) ଓ ତେମ୍ବା ବାଭୁମା (୪୩) ପ୍ରଥମ ୱିକେଟ୍ ପାଇଁ ୨୬ ବଲରେ ୪୮ ରନ୍ ଯୋଡ଼ିଥିଲେ। ଏହା ପରେ ବାଭୁମା ରାସି ଭନ୍ ଡର୍ ଡୁସେନ୍ (୩୧)ଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୬୩ ରନର ଭାଗୀଦାରୀ କରିଥିଲେ। କିନ୍ତୁ ଏହି ଦୁହିଁଙ୍କ ଆଉଟ୍ ପରେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ କ୍ରିଜରେ ତିଷ୍ଠିପାରିନଥିଲେ। ଡେଭିଡ୍ ମିଲର୍ (୧୬), ଜେଜେ ସ୍ମଟ୍ସ (୨୦) ଓ ଫେଲୁକୱାୟୋ (୧୮) ନିରାଶ କରିଥିଲେ। ଇଂଲଣ୍ଡ ପକ୍ଷରୁ କ୍ରିସ୍ ଜୋର୍ଡାନ୍ ୨ଟି ୱିକେଟ୍ ନେଇଥିଲେ।

Related story